ବଦନାମ ହେଉଛି ନନ୍ଦନକାନନ, ଉପନିର୍ଦେଶକଙ୍କ ସହ ଜଙ୍ଗଲ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର/ବାରଙ୍ଗ -: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ । ଗୋଟିଏ ପରେ ଗୋଟିଏ ଘଟଣା ନନ୍ଦନକାନନ ଇତିହାସରେ କଳା ଦାଗ ଲଗାଉଛି । କେତେବେଳେ ଖୁଆଡ଼ରେ ଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ ତ ଆଉ କେତେବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ । ଲଗାତାର ଭାବେ ଚାରି ମାସ ମଧ୍ୟରେ ନନ୍ଦନକାନନରେ ୪୦ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବା ନନ୍ଦନକାନନ କର୍ତୃପକ୍ଷଙ୍କ ସମେତ ବନ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି । କିଭଳି ଭାବେ ଏହାର ମୁକାବିଲା କରାଯାଇପାରିବ, ସେନେଇ ମାନସ ମନ୍ଥନ ଚାଲିଥିବା ବେଳେ ରବିବାର ଛତିଶଗଡ଼ର ୨୬ଜଣ ପର୍ଯ୍ୟଟକଙ୍କୁ ସଫାରି ଗାଡ଼ି କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣ, ନନ୍ଦନକାନନର ସୁନାମକୁ ତଳେ ପକାଇଛି । ଘଟଣା ଅଧିକ ବଢ଼ିବା ପୂର୍ବରୁ ୩ ଜଣଙ୍କୁ ବାନ୍ଧି ପୁଲିସ ନିଜର କାର୍ଯ୍ୟ ସାରିଦେଇଛି । ମାତ୍ର ପର୍ଯ୍ୟଟକଙ୍କ ସୁରକ୍ଷା କିଭଳି କରାଯାଇପାରିବ, ସେନେଇ କେହି ଗୁରୁତ୍ୱ ଦେଉନାହାନ୍ତି । ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଏହା ପ୍ରଥମ ଘଟଣା ନୁହେଁ । କିଛି ବର୍ଷ ହେଲା ନନ୍ଦନକାନନ ଭିତରେ ଓ ବାହାରେ ପର୍ଯ୍ୟଟକ ଦୁର୍ବ୍ୟବହାରର ଶିକାର ହେଉଛନ୍ତି ।

Advertisement


୨୦୨୧ରେ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ଓ ନନ୍ଦନକାନନ କର୍ତୃପକ୍ଷ ମୁହାଁମୁହିଁ ହୋଇଥିଲେ । ତା’ ପରେ ବି ଏହା ଉପରେ ରୋକ୍‌‌ ଲଗାଇବାରେ ସ୍ଥାନୀୟ ପୁଲିସ କିମ୍ବା କର୍ତୃପକ୍ଷ କେହି ବି ସଫଳ ହୋଇପାରି ନାହାନ୍ତି ।
ସେପଟେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା ପରେ ଜଙ୍ଗଲ ବିଭାଗ ସାମାନ୍ୟ ତତ୍ପରତା ଦେଖାଇଛି । ପିସିସିଏଫ୍‌‌ (ବନ୍ୟପ୍ରାଣୀ) ଶଶି ପଲ୍‌‌ ସୋମବାର ଗଣମାଧ୍ୟମକୁ କହିଛନ୍ତି ଯେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସହିତ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରେ ନନ୍ଦନକାନନ କର୍ମଚାରୀ ସମ୍ପୃକ୍ତ ନୁହନ୍ତି । ବରଂ ସଫାରି ବସ ସର୍ଭିସର ଆଉଟ ସୋର୍ସିଂ କର୍ମଚାରୀ ଏଭଳି କାଣ୍ଡ ଘଟାଇଛନ୍ତି । ତଦନ୍ତ ପାଇଁ କର୍ମଚାରୀ ଯାଇଛନ୍ତି । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ପଦକ୍ଷେପ ନେବୁ । ସିସିଏଫ୍‌‌ଙ୍କଠାରୁ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପର୍ଯ୍ୟଟକଙ୍କୁ ମାଡ଼ ଘଟଣାର ତନାଘନା, ୨୦୨୧‌ରେ ପର୍ଯ୍ୟଟକଙ୍କୁ ହୋଇଥିଲା ଦୁର୍ବ୍ୟବହାର

ପିସିସିଏଫ୍‌ଙ୍କ ବକ୍ତବ୍ୟର ୨୪ଘଣ୍ଟା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ନନ୍ଦନକାନନ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାଖାପାଖି ଏକ ଘଣ୍ଟା ଧରି ନନ୍ଦନକାନନ ଉପନିର୍ଦେଶକଙ୍କ ସହ ରୁଦ୍ଧଦ୍ବାର ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି। ସୁରକ୍ଷା ଅଧିକାରୀଙ୍କୁ ଡାକି ସେଦିନର ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି। ତେବେ ମନ୍ତ୍ରୀ ଶ୍ରୀ ଆରୁଖ କେଉଁ ବିଷୟରେ ଆଲୋଚନା‌ କଲେ, ସେନେଇ କେହି ବି ମୁହଁ ଖୋଲୁନାହାନ୍ତି। ସମସ୍ତେ ଚୁପ୍‌ ରହିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩ଟି ବିଷୟ ଉପରେ ମୁଖ୍ୟତଃ ଗୁରୁତ୍ବାରୋପ କରିଥିଲେ। ପ୍ରଥମତଃ ରବିବାର ପର୍ଯ୍ୟଟକଙ୍କୁ ମାଡ଼ ମରାଯିବା ଘଟଣାରେ ଏପର୍ଯ୍ୟନ୍ତ କି’ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଚିଡ଼ିଆଖାନାରେ ଲାଗିଥିବା ସିସିଟିଭି ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ? ‌ବନ୍ୟଜନ୍ତୁଙ୍କ ସୁରକ୍ଷାରେ କାହିଁକି ବାରମ୍ବାର ଅବହେଳା କରାଯାଉଛି, ସେନେଇ ପଚାରିଥିଲେ। ଏଥିସହ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ କରିବା ନେଇ ଉପନିର୍ଦେଶକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

୨୭ରେ କାର୍ଯ୍ୟକ୍ଷମ ହେବ ବହୁତଳ ପାର୍କିଂ

ବହୁ ପ୍ରତୀକ୍ଷିତ ନନ୍ଦନକାନନ ବହୁତଳ ଗାଡ଼ି ପାର୍କିଂ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମେ’ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କିଂସ୍ଥଳର ଉଦ୍‌ଘାଟନ କରିବେ। ଅପରାହ୍‌ଣରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହିବେ। ୫ ଏକର ପରିମିତ ଜମିରେ ଏହି ବହୁତଳ ଗାଡ଼ି ପାର୍କିଂ ପ୍ରକଳ୍ପ ହୋଇଛି। ସେଥିମଧ୍ୟରୁ ୧୭ହଜାର ୩୩୫ ବର୍ଗ ମିଟରରେ ୩ ତାଲା ବିଶିଷ୍ଟ ପାର୍କିଂ ବିଲଡିଂ ନିର୍ମାଣ ହୋଇଛି। ପ୍ରତି ମହଲାରେ ୫୬୦୦ ବର୍ଗମିଟର ହୋଇଛି। ଏଠାରେ ୫୮୩ରୁ ଅଧିକ ଚାରି ଚକିଆ ଓ ୨୦୦୦ ଦୁଇ ଚକିଆ ଯାନ ରହିପାରିବ। ୩.୯ ଏକରରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି, ଯେଉଁଠାରେ ୧୩୭ଟି ବସ୍‌ ରହିପାରିବ। ଏହାବ୍ୟତୀତ ଡ୍ରାଇଭର ରେଷ୍ଟ ରୁମ୍‌, ଟଏଲେଟ୍‌ ବ୍ଲକ, ୨ଟି ଲିଫ୍ଟ, ଦିବ୍ୟାଙ୍ଗ ପାଇଁ ରୢାମ୍ପ, ସିସିଟିଭି ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା ହୋଇଛି। ୨୦୨୦ ମାର୍ଚ୍ଚ ମାସରୁ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!