ଭୁବନେଶ୍ବର -: ବିହାର ଗୋଖାଦ୍ୟ ଦୁର୍ନୀତିର ଭୟାବହ ପରିଣାମକୁ ନେଇ ସମ୍ଭବତଃ ଆମ ରାଜ୍ୟର କୃଷି ବିଭାଗ କିଛି ଶିଖିନାହିଁ। ନଚେତ୍ କୃଷି ଯନ୍ତ୍ରପାତି କିଣା ସବ୍ସିଡିରେ କୋଟି କୋଟି ଟଙ୍କାର ହେରଫେର୍ କରିବାକୁ ବିଭାଗୀୟ ବାବୁମାନେ କଦାପି ଦୁଃସାହସ କରିନଥାନ୍ତେ। କୃଷିର ବିକାଶ ଓ କୃଷକର ଆୟ ବୃଦ୍ଧି ଲକ୍ଷ୍ୟ ନେଇ ରାଜ୍ୟ ସରକାର କାଳିଆ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ସେହିଭଳି ପ୍ରତିବର୍ଷ ବିହନ, ସାର ଏବଂ କୃଷି ଯନ୍ତ୍ରପାତି କିଣା ବାବଦରେ ପଚାଶ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ଦିଆଯାଉଛି।
ବାଟମାରଣା ଯେମିତି ନ ହେବ, ସେଥିଲାଗି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସବ୍ସିଡି ଅର୍ଥ ଦେବା ପାଇଁ ପ୍ରତ୍ୟକ୍ଷ ଅର୍ଥ ସ୍ଥାନାନ୍ତର (ଡିବିଟି) ପ୍ରକ୍ରିୟା ଅନୁସରଣ କରୁଛନ୍ତି ସରକାର। ଏହାସତ୍ତ୍ବେ ସବ୍ସିଡି ଅର୍ଥ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବଦଳରେ ଦଲାଲମାନଙ୍କ ଦ୍ବାରା ଅନାୟାସରେ ହଡ଼ପ କରାଯାଉଛି। କେବଳ ଧାନରୁଆ ମେସିନ୍ କିଣା ଘଟଣାକୁ ଉଦାହରଣ ଭାବେ ନେଲେ ଏ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ସବ୍ସିଡି ହେରଫେର ସଂପର୍କରେ ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକାଧିକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି। ସେଥିରୁ ଦୁଇଟି ମାମଲାରେ ପାଖାପାଖି ୧୩କୋଟି ଟଙ୍କା ହଡ଼ପ ହୋଇଥିବାର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ମିଳିବାରୁ ଇଓଡବ୍ଲୁ ଏ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି।
ତେବେ ଏହି ହାତଗଣତି ମାମଲାର ଅନୁସନ୍ଧାନକୁ ଆତ୍ମସନ୍ତୋଷ ଭାବେ ଗ୍ରହଣ କରାଯାଇନପାରେ। କାରଣ ଇତିମଧ୍ୟରେ ଖୋଦ୍ କୃଷି ଉତ୍ପାଦନ କମିସନର ସଂଜୀବ ଚୋପ୍ରା କୃଷି ଯନ୍ତ୍ରପାତି କିଣା ହେରଫେର ସଂପର୍କରେ ସାଂଘାତିକ ଅଭିଯୋଗ ପାଇଛନ୍ତି। ଶ୍ରୀ ଚୋପ୍ରା ଚୁପ୍ ନ ବସି ଇତିମଧ୍ୟରେ ଉଚ୍ଚସ୍ତରୀୟ ବୈଠକ କରିବା ସହିତ ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ନିର୍ଦେଶ ଦେଇଥିଲେ।
ହେଲେ ଉଦ୍ବେଗର ବିଷୟ ହେଲା, ଶ୍ରୀ ଚୋପ୍ରାଙ୍କ ତନାଘନାକୁ ମଧ୍ୟ କୃଷି ବିଭାଗର ବାବୁମାନେ ଯେତିକି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହୋଇନାହିଁ। ପରୋକ୍ଷରେ ଏହା ସଙ୍କେତ ଦେଇଛି ଯେ କୃଷି ବିଭାଗରେ ବିଭ୍ରାଟ ସୀମା ଲଂଘିଲାଣି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କେବଳ ଧାନରୁଆ ମେସିନ୍ କିଣା ହେରଫେର ବାବଦରେ ଇଓଡବ୍ଲୁ ଦାୟର କରିଥିବା ୨ଟି ମାମଲାରେ ଯଦି ୧୩ କୋଟି ଟଙ୍କା ହଡ଼ପ ସନ୍ଧାନ ମିଳିଛି, ତେବେ ଦୀର୍ଘ ୧୦ବର୍ଷ ଧରି ରାଜ୍ୟ ସରକାର କୃଷି ଯନ୍ତ୍ରପାତି କିଣା ବାବଦରେ ଯେଉଁ ହଜାର ହଜାର କୋଟି ଟଙ୍କାର ସବ୍ସିଡି ପ୍ରଦାନ କରିଛନ୍ତି, ସେଥିରେ କେତେ ହେରଫେର ହୋଇଥିବ?
ଏହାର ପରିମାଣ ଜାଣିବା ଏକ ଜଟିଳ ବ୍ୟାପାର ବୋଲି କୁହାଯାଇପାରେ।ସରକାରୀ ହିସାବ ଅନୁସାରେ, କୃଷିର ଯାନ୍ତ୍ରିକ କରଣ ନିମନ୍ତେ ୨୦୧୧-୧୨ ଆର୍ଥିକ ବର୍ଷ ବଜେଟରେ ରାଜ୍ୟ ସରକାର ୮୦ କୋଟି ଟଙ୍କାର ସବ୍ସିଡି ବରାଦ କରିଥିଲେ। ତାହା କ୍ରମଶଃ ବଢ଼ି ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ୨୨୪ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୧-୨୨ରେ ବ୍ୟାବସାୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାନରେ ପୁଞ୍ଜି ବିନିଯୋଗ ଏବଂ କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପର ଲୋକପ୍ରିୟତା ବୃଦ୍ଧି ପାଇଁ ଏହାକୁ ୪୫୪ କୋଟି ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ଅର୍ଥାତ୍ ଏହି ୧୨ବର୍ଷ ଭିତରେ ଏ ବାବଦରେ ହଜାର ହଜାର କୋଟି ଟଙ୍କାର ସବ୍ସିଡି ପ୍ରଦାନ କରାଯାଇଛି। ସମାନ୍ତରାଳ ଭାବେ ୨୦୧୧-୧୨ ରୁ ୨୦୨୦-୨୧ ମସିହା ଏହି ଦଶ ବର୍ଷ ଭିତରେ ସରକାରୀ ରେକର୍ଡ କହୁଛି, ରାଜ୍ୟ ସରକାର ୭୩ ହଜାର ୯୮୨ ଟ୍ରାକ୍ଟର ସବ୍ସିଡିରେ ଦେଇଛନ୍ତି। ଏହାବ୍ୟତୀତ ଚାଷୀଙ୍କୁ ୧ଲକ୍ଷ ୦୫ ହଜାର ୩୯୬ ପାଵାର ଟିଲର, ୬୬୨୦ଟି କମ୍ବାଇନ୍ ହାର୍ଭେଷ୍ଟର ଏବଂ ୪୭ ହଜାର ୨୧୦ଟି ରୋଟାଭେଟର କିଣିବା ଲାଗି କୃଷକଙ୍କୁ ପର୍ଯ୍ୟାପ୍ତ ସବ୍ସିଡି ଦିଆଯାଇଛି।
ହେଲେ ଏଥିରୁ କେତେ କେଉଁଠି କାମ କରୁଛି ତାହାର ସ୍ପଷ୍ଟ ହିସାବ କାହା ପାଖରେ ନାହିଁ। ଓଲଟା ସବ୍ସିଡିରେ କିଣାଯାଇଥିବା ଅନେକ ଟ୍ରାକ୍ଟର ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବା କିମ୍ବା ସେଥିରୁ କିଛି କାଟି ରଦ୍ଦି ଲୁହା ଦରରେ ବିକ୍ରି ହୋଇଥିବା ଭଳି ସାଂଘାତିକ ଅଭିଯୋଗ ରାଜ୍ୟ କୃଷି ଉତ୍ପାଦନ କମିସନର ପାଇଛନ୍ତି। ଘଟଣାର ଗମ୍ଭୀରତା ଉପଲବ୍ଧ କରି ସେ ତୁରନ୍ତ କୃଷି, ସମବାୟ, ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାରୀଙ୍କୁ ନେଇ ଆଲୋଚନା କରିବା ସହ ବିଭିନ୍ନ ଜିଲ୍ଲାର କୃଷି ନିର୍ବାହ ଯନ୍ତ୍ରୀଙ୍କ ଠାରୁ ଗତ ପାଞ୍ଚବର୍ଷର ହିସାବ ମାଗିବାକୁ ନିର୍ଦେଶ ଦେଇଥିଲେ।
ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଇତିମଧ୍ୟରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଜିଲ୍ଲାରୁ ସବିଶେଷ ରିପୋର୍ଟ ଆସିପାରିନାହିଁ। ଏ ସଂକ୍ରାନ୍ତରେ ଆଉ ଏକ ତଥ୍ୟ ହସ୍ତଗତ ହୋଇଛି। କେବଳ ଯେ ଧାନ ରୁଆ ମେସିନ୍ କିଣା ହେରଫେରକୁ କେନ୍ଦ୍ର କରି ଇଓଡବ୍ଲୁର ଦୁଇଟି ମାମଲା ରୁଜୁ କରିଛି ତା’ ନୁହେଁ। ବରଂ ହାଇକୋର୍ଟରେ ବରଗଡ, ସମ୍ବଲପୁର, ପୁରୀ, ନୟାଗଡ, ମୟୂରଭଂଜ ଓ ବଲାଙ୍ଗୀର ଜିଲ୍ଲାରେ ସଂଗଠିତ ଏ ସଂକ୍ରାନ୍ତ ହେରଫେରକୁ ନେଇ ଏକ ମକଦ୍ଦମା ରୁଜୁ ହୋଇଛି। ଏହା ସତ୍ତ୍ବେ କୃଷି ନିର୍ବାହୀ ଯନ୍ତ୍ରୀମାନେ ବାରମ୍ବାର ତଲବ ପରେ ରିପୋର୍ଟ ଦାଖଲ ନ କରିବା ବହୁ କୋଟି ଟଙ୍କାର ହେରଫେରକୁ ଇଙ୍ଗିତ କରୁଛି।
ମିଳୁଥିବା ତଥ୍ୟ ଅନୁସାରେ, ଇଓଡବ୍ଲର ଅଧିକାରୀମାନେ ୬ କୋଟି ୮୧ଲକ୍ଷ ୫୩ ହଜାର ଟଙ୍କା ସବ୍ସିଡି ହେରଫେର ଅଭିଯୋଗରେ ଦୁଇଭାଇ ମାନସ ରଂଜନ ଦାସ ଓ ତାପସ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ଶୀତଲ ଆଗ୍ରୋ ଇନ୍ପୁଟ୍ ପ୍ରା.ଲି. ଓ ମିଶିତା ଏଣ୍ଟରପ୍ରାଇଜର୍ସ ନାମରେ ଦୁଇଟି ସଂସ୍ଥା କରି କୃଷି ବିଭାଗରେ ପଞ୍ଜୀକୃତ କରାଇଥିଲେ। ଏଭଳି ସଂସ୍ଥା ଧାନ ରୁଆ ମେସିନ୍ ତିଆରି ଓ ମରାମତି କରୁଥିବା ଦର୍ଶାଇ ପଞ୍ଜୀକୃତ ହେବା ପରେ ଜାଲ ହିତାଧିକାରୀ, କୃଷକଙ୍କୁ ମେସିନ୍ ଯୋଗାଇଥିବା ଦର୍ଶାଇବା ସହିତ ଜାଲ ବିଲ୍, ଇନ୍ଭଏସ୍ ବାହାର କରିଥିଲେ।
ସେମାନଙ୍କ ନାମରେ ଜାଲି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା। ଉକ୍ତ ଆକାଉଣ୍ଟକୁ କୃଷି ବିଭାଗ ସବ୍ସିଡି ସ୍ଥାନାନ୍ତର କରିବା ପରେ ସେହି ଅର୍ଥକୁ ଏମାନେ ଉଠାଇ ନେଇଥିଲେ। ଏପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନ ଅନୁସାରେ କେବଳ ଜଗତସିଂହପୁର ଜିଲ୍ଲାର ତିନିଟି ଅଞ୍ଚଳରେ ଧାନ ରୁଆ କିଣା ମେସିନ୍ ସବ୍ସିଡି ବାବଦରେ ୬ କୋଟି ୮୧ଲକ୍ଷରୁ ଅଧିକ ଟଙ୍କା ଅଭିଯୁକ୍ତମାନେ ହଡପ କରିଥିବା ଇଓଡବ୍ଲୁ ପ୍ରମାଣ ପାଇଛି। ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର ସମେତ ୧୯ଟି ଜିଲ୍ଲାରେ ୫୦୪ଟି ଟ୍ରାନ୍ସପ୍ଲାଣ୍ଟର୍ ସବ୍ସିଡିରେ ଏମାନଙ୍କ ହାତ ଥିବା ତଦନ୍ତକାରୀ ଅଧିକାରୀ ଜାଣିପାରିଛନ୍ତି।
ଆଉ ଏକ ଅଭିଯୋଗ ଖୋଦ୍ ରାଜଧାନୀର ଭରତପୁର ଥାନାରେ ଦାୟର ହେବା ପରେ କ୍ରାଇମବ୍ରାଞ୍ଚ ତାହାର ପ୍ରାଥମିକ ଅନୁସନ୍ଧାନ ଶେଷ କରିଛି। ତଦନ୍ତ ରିପୋର୍ଟ ଅନୁସାରେ ବାଙ୍ଗାଲୋର ସ୍ଥିତ ଭାରୁଷପ୍ରିୟା ଏଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ପୂର୍ବତନ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଶ୍ରୀନାଥ ରଣା ବାଲେଶ୍ବର ଜିଲ୍ଲାର କିଛି ହିତାଧିକାରୀଙ୍କ ନାମରେ ଧାନ ରୁଆ ମେସିନ୍ କିଣା ସବ୍ସିଡିରୁ ୬କୋଟି ଟଙ୍କା ଆତ୍ମସାତ୍ କରିଥିବା ଜଣାପଡିଛି। ବାଙ୍ଗାଲୋର ସ୍ଥିତ ସଂସ୍ଥାର ନିର୍ଦେଶକ କେ ଜି ଶ୍ରୀଚରଣଙ୍କ ଅଭିଯୋଗ ଆଧାରରେ ଶ୍ରୀନାଥ ରଣାଙ୍କୁ ଗିରଫ କରାଯାଇଛି। କେବଳ ଧାନରୁଆ ମେସିନ୍ କିଣା ସବ୍ସିଡି ବାବଦରେ ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ହାତଗଣତି ଅଞ୍ଚଳର ସୀମିତ ହିତାଧିକାରୀଙ୍କ ଅର୍ଥରୁ ଯଦି ୧୩ କୋଟି ଟଙ୍କା ହଡ଼ପ କରାଯାଇଥାଏ, ତେବେ ବିପୁଳ ବ୍ୟୟରେ ଲକ୍ଷାଧିକ କୃଷି ଯନ୍ତ୍ରପାତି କିଣା କାରବାରରୁ କେତେ କୋଟି ଟଙ୍କା ହଡପ କରାଯାଇଥିବ, ତାହା କେବଳ ଅନୁସନ୍ଧାନ ପରେ ଜଣାପଡ଼ିବ।