ଭାଇ ଭଉଣୀ ପାଖକୁ ଲେଖିଥିବା ଚିଠିର ଓଜନ୫କେଜି ଲମ୍ବା ୪୩୪ ମିଟର …

ଭାଇ ଆଉ ଭଉଣୀର ସମ୍ପର୍କର ଡୋରି ପୂରା ନିଆରା। ସେଥିପାଇଁ ତ ଯେତେ ରାଗ ଋଷା ଥିଲା ବି ଟିକିଏ ପରେ ପୁଣି ଯୋଡ଼ି ହୋଇଯାଆନ୍ତି ଏମାନେ। ବନ୍ଧନ ଏମିତି କି କେହିବି ଅଲଗା ହୋଇ ରହି ପାରନ୍ତି ନାହିଁ। କେବେ ଭାଇ ଭଉଣୀକୁ ବୁଝାଏ ତ ପୁଣି କେବେ ଭଉଣୀ ନିଜ ଭାଇର ରାଗକୁ ଶାନ୍ତ କରିବା ପାଇଁ କିଛି ବି କରିପାରେ, ଯେତେ କଷ୍ଟ ହେଉନା କାହିଁକି। ଯେମିତି କରିଛନ୍ତି କେରଳର ଜଣେ ମହିଳା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିଜ ଭାଇକୁ କେବଳ ସରି କହିବା ପାଇଁ ଏହି ମହିଳା ଜଣକ ୫ କେଜି ପେପର୍ ରେ ଲେଖିଛନ୍ତି ଲମ୍ବା ଚିଠି। ଯାହା ଏବେ ଚର୍ଚ୍ଚାକୁ ଆସିଛି । ଆଜିର ଆଧୁନିକ ଆଉ ଡିଜିଟାଲ ଯୁଗରେ ଯୁବ ପିଢ଼ି ଫୋନରେ କେବଳ ଗୋଟିଏ ଶବ୍ଦ Sorry କହି ଭୁଲ୍ ମାଗିବାକୁ ପଛାଉଛନ୍ତି। ସେଠି ନିଜର ସାନ ଭାଇ ପାଇଁ ଦୀର୍ଘ ୧୨ ଘଣ୍ଟା ଗୋଟିଏ ସ୍ଥାନରେ ବସି ନିଜର ସବୁ ଭାବନା ବିଷୟରେ ଚିଠି ଲେଖି ଭୁଲ ମାଗିଛନ୍ତି ବଡ଼ ଭଉଣୀ।

Advertisement

ଚିଠିରେ କଣ ଲେଖା ଯାଇଛି ସିଏ ତ ପଛ କଥା। ହେଲେ ତାର ଓଜନ ଓ ଲମ୍ବକୁ ମାପିଲେ ଭଉଣୀ ମନରେ ଭାଇ ପ୍ରତି କେତେ ଭଲ ପାଇବା ଅଛି ତାକୁ ମାପି ହେଉଛି । ତାଙ୍କ ଘର ଠାରୁ ୨୫୦ କିଲୋମିଟର ଦୂରରେ ଥିବା ଇଡୁକିଙ୍କ ପେର୍ମେଡୁରେ ରହୁଛି ସାନଭାଇ କୃଷ୍ଣପ୍ରସାଦ। ତାଙ୍କୁ ଆଶ୍ୱାସନା ଦେବା ପାଇଁ କେରଳର ଏହି ମହିଳା କ୍ରିଷ୍ଣାପ୍ରିୟା ତାଙ୍କ ସାନ ଭାଇଙ୍କ ନିକଟକୁ ଏହି ଚିଠି ଲେଖିଛନ୍ତି । ଭୁଲ ମାଗି ୫ କେଜି ୪୩୪ ମିଟର କାଗଜରେ ତାଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠି ଲେଖିବାର ମୂଳ କାରଣ ହେଉଛି ଯେ କ୍ରିଷ୍ଣାପ୍ରିୟା ତାଙ୍କ ସାନ ଭାଇ କ୍ରିଷ୍ଣା ପ୍ରସାଦଙ୍କୁ ଗତ ମେ ୨୪ ତାରିଖରେ ଅର୍ଥାତ୍ ବିଶ୍ବ ଭାତୃତ୍ବ ଦିବସରେ ଶୁଭେଚ୍ଛା ଜଣାଇନଥିଲେ । ଏହି ଘଟଣାରେ ଭାଇ କ୍ରିଷ୍ଣାପ୍ରସାଦ ରାଗି ଯାଇଥିଲେ । ଅଭିମାନ କରି ଭଉଣୀ ସହ କଥା ହୋଇ ନଥିଲେ। ଏପରିକି ସେ ଅନ୍ୟ ସାଙ୍ଗଙ୍କ ସ୍କ୍ରିନସଟ ଓ ତାଙ୍କୁ ଯିଏ ବି ଶୁଭେଛା ଜଣାଇଥିଲେ ତାଙ୍କ ସ୍କ୍ରିନସଟ ପଠାଇଥିଲେ ନିଜ ଭଉଣୀଙ୍କୁ। ତେଣୁ ନିଜ ଭଉଣୀ ହୋଇ ‘ବ୍ରଦର୍ସ ଡେ’ ରେ ଶୁଭେଚ୍ଛା ନ ଜଣାଇବାରୁ ଅଭିମାନ କରି କ୍ରିଷ୍ଣପ୍ରସାଦ ତାଙ୍କ ଭଉଣୀର ହ୍ୱାଟସଆପ୍ ମଧ୍ୟ ବ୍ଲକ କରି ଦେଇଥିଲେ। ତେବେ କ୍ରିଷ୍ଣାପ୍ରିୟା କହିଛନ୍ତି ଯେ ମୁଁ ପ୍ରତି ବର୍ଷ ଭାଇକୁ ଶୁଭେଚ୍ଛା ଜଣାଏ କିନ୍ତୁ ଏ ବର୍ଷ ଭୁଲି ଯାଇଥିଲି। ତେଣୁ ମୋ ମନରେ ସାନ ଭାଇ ପାଇଁ ଯାହା ଅଛି ମୁଁ ସେ ଚିଠିରେ ଲେଖିଛି। ଆମ ସଂପର୍କ ବହୁତ୍ ନିବିଡ଼। ଆମେ କେବେ ବି ଝଗଡ଼ା କରୁନା। ମୁଁ ମୋ ସାନ ଭାଇକୁ ଖୁବ୍ ସ୍ନେହ କରେ। ତେଣୁ ସେ ସ୍କ୍ରିନସଟ୍ ଦେବା ପରେ ପରେ ହିଁ ମୁଁ ମେ ୨୫ରେ ପ୍ରାୟ ୧୫ଟି ରୋଲ କିଣି ୧୨ ଘଣ୍ଟା ଧରି ଚିଠି ଲେଖି ବସିଥିଲି। ମୁଁ ଜାଣି ପାରି ନଥିଲି ଯେ ଚିଠି ଏତେ ବଡ ହୋଇଯିବ। ମୋ ଭାଇ ମୋ ପାଇଁ ସବୁ କିଛି।

ସେ ଜଣେ ଇଞ୍ଜିନିୟରିଂ ଛାତ୍ର। ମୁଁ ତାର ଛୋଟୋ ବେଳୁ ଦାୟିତ୍ୱ ନେଇ ଆସୁଛି। ମୁଁ ପ୍ରତିନିଦ ମୋ ଭାଇ ପାଇଁ ଭଗବାନଙ୍କ ପାଖରେ ପ୍ରର୍ଥାନା କରେ। ସେ କେମିତି ନିଜ ପରିବାର ଠାରୁ ପାଇଥିବା ଉଚିତ୍ ଶିକ୍ଷା ସମାଜ ସେବାରେ ଲଗାଇବ ସେ ବିଷୟରେ ମଧ୍ୟ ମୁଁ ଚିଠିରେ ଲେଖିଛି। ନିଜ ଜୀବନରେ ଭଲ କାମ କରିବା ସହିତ ଅନ୍ୟଙ୍କୁ କିପରି ସାହାଯ୍ୟ କରିବ ସେ ବିଷୟରେ ମଧ୍ୟ ମୁଁ ତାକୁ ଚିଠି ଲେଖିଛି। ମୋ ଭାଇ ଜଣେ ସମାଜସେବୀ ହୋଇ ଥିବାରୁ ମୁଁ ଖୁବ୍‌ ଗର୍ବିତ। ଆମେ ଛୋଟ ବେଳୁ ବହୁତ ପରିଶ୍ରମ କରିଛୁ। ଯାହା କେବେ ବ୍ୟର୍ଥ ଯିବନି ବୋଲି ସେ ତାଙ୍କ ଭାଇକୁ କହିଛନ୍ତି।

ଏପଟେ ନିଜ ବଡ଼ ଭଉଣୀର ଚିଠି ପାଇ କନ୍ଦି ପକାଇଥିଲେ କ୍ରିଷ୍ଣା ପ୍ରସାଦ । ସେ ମଧ୍ୟ ତାଙ୍କ ଭଉଣୀଙ୍କୁ ନେଇ ଖୁବ୍ ଗର୍ବିତ। ତେବେ ଭାଇ ପାଇଁ କ୍ରିଷ୍ଣାପ୍ରିୟା ଲେଖିଥିବା ଚିଠି ହୁଏତ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇ ପାରେ । କାରଣ ସେ ବିଶ୍ୱର ସବୁଠାରୁ ଦୀର୍ଘତମ ଚିଠି ଲେଖିଛନ୍ତି। ଯାହା ପାଇଁ ତାଙ୍କ ଭାଇ କହିବା ପରେ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ଆବେଦନ କରିଛନ୍ତି। ଚିଠିଟି ରେକର୍ଡ଼ କରୁ କି ନକରୁ ଭାଇ ଭଉଣୀଙ୍କର ଏହି ସ୍ନେହର ବନ୍ଧନ କିନ୍ତୁ ସମସ୍ତଙ୍କୁ ଅଭିଭୂତ କରିଛି । ଆଉ ପୁଣି ଥରେ ଭାଇ ଭଉଣୀର ସମ୍ପର୍କ କେତେ ମଜବୁତ ତାକୁ ଦର୍ଶାଇଛି । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ନିଜ ଭଉଣୀ ଠାରୁ ଦୂରରେ ରହିଥିବା ଅବା କୌଣସି କାରଣରୁ ଭଉଣୀ ସହିତ ସମ୍ପର୍କ ରଖି ନଥିବା ଭାଇମାନଙ୍କୁ ଏହି ଘଟଣା ନିଶ୍ଚୟ ମନେ ପକାଇ ଦେବ ବନ୍ଧନର ଗୁରୁତ୍ୱ । ଆମେ ଆଶା କରୁଛୁ ଭାଇ ଭଉଣୀ କ୍ରିଷ୍ଣାପ୍ରିୟା ଓ କ୍ରିଷ୍ଣା ପ୍ରସାଦଙ୍କ ଏ କାହାଣୀ ଉଦାହରଣ ହୋଇ ରହିବ ସମସ୍ତଙ୍କ ପାଇଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!