ଚୀନରେ ମାଷ୍ଟର ମାଇଣ୍ଡର ବ୍ଲୁ ପ୍ରିଣ୍ଟ , ଓଡିଶାରେ ଠକେଇର ନେଟ୍ ୱାର୍କ

ଭୁବନେଶ୍ବର -: ଆର୍‌ବିଆଇ ଦ୍ବାରା ପଞ୍ଜୀକୃତ ହୋଇନଥିବା ବେଆଇନ୍ ଋଣପ୍ରଦାନକାରୀ ଆପ୍‌ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଉ ପାଦେ ଆଗେଇଛି। ଏଭଳି ଠକ ଆପ୍ ତିଆରି କରି ଲୋକଙ୍କ ଅର୍ଥ ଆତ୍ମସାତ୍ କରିବା ପଛରେ ଚୀନର ଏକ କମ୍ପାନିର ହାତ ରହିଛି ବୋଲି ଜଣାପଡ଼ିଛି। ତେଣୁ ଚୀନର ଉକ୍ତ କମ୍ପାନିର ନିର୍ଦ୍ଦେଶକଙ୍କୁ ଗିରଫ କରିବା ପାଇଁ ବ୍ୟୁରୋ ଅଫ୍ ଇମିଗ୍ରେସନ୍‌ (ବିଓଆଇ)ର ସହାୟତା ଲୋଡ଼ିଛି ଇଓଡବ୍ଲୁ। ହାଙ୍ଗ୍‌ଝୌ ସହରସ୍ଥିତ ଜିଆନ୍‌ବିଙ୍ଗ ଟେକ୍ନୋଲୋଜିର ନିର୍ଦ୍ଦେଶକ ଲିୟୁ ୟି ଭାରତରେ ପ୍ରାୟ ୧୨ରୁ ଅଧିକ ବେଆଇନ୍ ଋଣପ୍ରଦାନକାରୀ ଆପ୍ ତିଆରି ଲୋକଙ୍କୁ ଠକେଇ କରିଛି। ସେଥିପାଇଁ ଲିୟୁଙ୍କ ବିରୋଧରେ ବିଓଆଇ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି।

Advertisement

ମାଷ୍ଟର ମାଇଣ୍ଡର ବ୍ଲୁ ପ୍ରିଣ୍ଟ

ଇଓଡବ୍ଲୁର ତଦନ୍ତ ଅନୁଯାୟୀ ଏହି ସଂସ୍ଥା ୨୦୧୯ ମସିହାରେ ଭାରତରେ ବ୍ୟବସାୟ ପାଇଁ କମ୍ପାନି ଆରମ୍ଭ କରିଥିଲା। ଲିୟୁ ବେଙ୍ଗାଲୁରୁରେ ଜିଆନ୍‌ବିଙ୍ଗ୍‌ର ଅନ୍ୟ ଏକ ଶାଖା ‘ଓମ୍‌ଲେଟ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍’ ନାଁରେ ଏକ କମ୍ପାନି ଖୋଲିଥିଲେ। ଓମଲେଟ୍ ଟେକ୍ନୋଲୋଜି ଭାରତରେ ବନ୍ଦ ହୋଇଯାଇଥିବା ୮ଟି ଆଇଟି ସଂସ୍ଥା ଯଥା ୟେଲୋ ଟ୍ୟୁନ୍ ଟେକ୍ନୋଲୋଜି ପ୍ରାଲି, ମଡମେଟ୍ ଟେକ୍ନୋଲୋଜି ପ୍ରାଲି, ପିଙ୍କ୍ ଲିଫ୍ ଆର୍ୟାନ୍ କମ୍ୟୁନିକେସନ୍ ପ୍ରାଲି, ଟେକ୍‌ଲାଇଟ୍ ଡେଭଲପମେଣ୍ଟ ପ୍ରାଲି, ୟୁରେଲା ଟେକ୍ନୋଲୋଜି ପ୍ରାଲି, ଲାଟରଫନ୍ ଟେକ୍ନୋଲୋଜି ପ୍ରାଲି, ଆଇଡବ୍ଲୁଟି ଇଣ୍ଡିଆ ଓ ଓସେନ୍ ଟ୍ରେଡିଂ ସହିତ ବ୍ୟବସାୟ କରିବା ପାଇଁ ଚୁକ୍ତି କରିଥିଲେ। ଲୋନ୍‌ ଆପ୍ ତିଆରି କରି ଲୋକଙ୍କୁ ଋଣ ଦେବା ଏବଂ ପରେ ସୁଧ ଟଙ୍କାରୁ ମିଳୁଥିବା ଲାଭରେ କମ୍ପାନି ଚାଲିବ ବୋଲି ଚୁକ୍ତି ହୋଇଥିଲା। ଏହି ୮ ଭାରତୀୟ ସଂସ୍ଥା ଓମଲେଟ୍ ଟେକ୍ନୋଲୋଜି ବ୍ୟବହାର କରିବେ ବୋଲି ଚୁକ୍ତି କରିଥିଲେ। ଏହା ପରେ କୋକୋ ଲୋନ୍, ଜୋଜୋ ଲୋନ୍, ଗୋଲ୍ଡେନ୍ ଲାଇଟେନିଂ ଲୋନ୍‌, ସିଲଭର୍ କ୍ରେଡିଟ୍ ଲୋନ୍, ଲିଟିଲ୍ ବରୋ ଲୋନ୍, ଟାପ୍ କ୍ରେଡିଟ୍ ଲୋନ୍, କ୍ରେଡିଟ ବିୟର୍ ଲୋନ୍, ସ୍ପିଡି ରୁପି ଲୋନ୍, ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍, କ୍ରେଡିଟ ପ୍ଲାନ୍ ଲୋନ୍, ରୁପି ଡେ ଲୋନ୍ ଭଳି ୧୨ରୁ ଅଧିକ ଲୋନ୍ ଆପ୍ ତିଆରି କରାଯାଇଥିଲା।

ଲୋକଙ୍କୁ ଋଣ ସୁବିଧା ଦେବା ପାଇଁ ୮ ଭାରତୀୟ ସଂସ୍ଥାର ନାଁରେ ଏହି ସବୁ ଲୋନ୍‌ ଆପ୍‌ ତିଆରି ହୋଇଥିଲା। ଏହି ଆପ୍‌ଗୁଡ଼ିକ ଲୋକଙ୍କୁ ୩ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ଅବଧିର ଋଣ ଦେବ ବୋଲି ସ୍ଥିର ହୋଇଥିଲା। ପ୍ରତିବଦଳରେ ଆପ୍ ମୋବାଇଲ୍‌ରୁ ସମସ୍ତ ପ୍ରକାରର ଡାଟା, ଫୋନ୍ ନମ୍ବର, ଫଟୋ ଆଦି ନେଉଥିଲା। ମାତ୍ର ସପ୍ତାହକ ମଧ୍ୟରେ ମୂଳ ସମେତ ୨ଗୁଣାରୁ ଅଧିକ ସୁଧ ଟଙ୍କା ଦାବି କରାଯାଉଥିଲା। ଋଣଗ୍ରହୀତା ସୁଝିବାରେ ବିଳମ୍ବ କଲେ ତାଙ୍କ ଫଟୋକୁ ବିକୃତ କରି ସଂପର୍କୀୟଙ୍କ ମୋବାଇଲକୁ ପଠାଯାଉଥିଲା। ଏପରିକି ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଅନେକ ଆତ୍ମହତ୍ୟା କରିଥିଲେ। ଏଭଳି ଅଭିଯୋଗ ଆସିବା ପରେ ଇଓଡବ୍ଲୁ ୫ଜଣଙ୍କୁ ଗିରଫ କରିବା ସହିତ ୬କୋଟି ୫୭ଲକ୍ଷ ଟଙ୍କା ଜବତ କରିଥିଲା। ପରେ ଜଣାପଡ଼ିଥିଲା ଠକେଇ ଟଙ୍କା ଭାରତୀୟ କମ୍ପାନିମାନଙ୍କର ଆକାଉଣ୍ଟରୁ ଓମଲେଟ୍ ଟେକ୍ନୋଲୋଜି ଦ୍ବାରା ଚୀନର ହାଙ୍ଗ୍‌ଝୌସ୍ଥିତ ଲିୟୁଙ୍କ ଜିଆନ୍‌ବିଙ୍ଗ ଟେ‌କ୍ନୋଲୋଜି କମ୍ପାନିକୁ ସ୍ଥାନାନ୍ତର ହୋଇଛି। ଏଣୁ ଏବେ ଲୋନ୍ ଆପ୍ ଠକେଇର ମୁଖ୍ୟ କାର୍ପଟଦାର ଲିୟୁଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ନେଇଛି। ଲିୟୁ ଏବେ ବି ଭାରତରେ ଡେରା ପକାଇଥିବା ସୂଚନା ମିଳିବା ପରେ ଇଓଡବ୍ଲୁ ଏହି ପଦକ୍ଷେପ ନେଇଛି। ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି ଯେ କରୋନା ମହାମାରୀ ସଂକଟ ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଟଙ୍କା ପାଇଁ ହନ୍ତସନ୍ତ ହେଉଥିଲେ। ସହଜରେ ଋଣ ଦେଉଥିବା ଏଭଳି ଲୋନ୍ ଆପ୍ ବାବଦରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ଦ୍ବାରା ଲୋକେ ଆକୃଷ୍ଟ ହେଲେ। ଫଳରେ ଏହି ୧୨ଟି ଆପ୍‌କୁ ଭାରତରେ କୋଟିଏରୁ ଅଧିକ ଲୋକ ଡାଉନ୍‌ଲୋଡ୍ କରିଥିଲେ। ଥରେ ଋଣ ନେବା ପରେ ଏହି ଠକ ସଂସ୍ଥା ଟଙ୍କା ଲୋକଙ୍କୁ ବ୍ଲାକମେଲ୍ କରି ଶୋଷଣ କରିବା ଆରମ୍ଭ କରିଥିଲା।

Advertisement

Leave a Reply

Your email address will not be published. Required fields are marked *