ଖେଳଣା ପିସ୍ତଲ ଦେଖାଇ ନିଜେ ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ଲୁଟିନେଲେ ମହିଳା …

କେତେକ ସାମାଜିକକର୍ମୀଙ୍କ ସହିତ ଆସିଥିବା ଜଣେ ମହିଳା ଗୋଟାଏ ଖେଳନା ପିସ୍ତଲ୍‌ ଦେଖାଇ ଲେବାନନ୍‌ ଅନ୍ତର୍ଗତ ବେରୁଟ୍‌ରେ ଥିବା ଗୋଟାଏ ବ୍ୟାଙ୍କ୍‌ ଶାଖାରୁ ନିଜ ସଞ୍ଚିତ ଅର୍ଥରୁ ନଗଦ ୧୩,୦୦୦ ଆମେରିକୀୟ ଡଲାର୍‌ ଲୁଟ୍‌ କରି ନେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ୩ ବର୍ଷ ତଳେ ଆର୍ଥିକ ସଙ୍କଟ ଦେଖା ଦେବାରୁ ଲେବାନନ୍‌ର ବ୍ୟାଙ୍କ୍‌ ସବୁ ଜମାକାରୀମାନଙ୍କର ସଞ୍ଚିତ ଅର୍ଥ ‘ଲକ୍‌’ କରି ଦେଇଥିବାରୁ ଲୋକେ ଟଙ୍କା ଉଠାଇ ନ ପାରି ହଇରାଣ ହେଉଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଉକ୍ତ ମହିଳାଜଣକ ଗୋଟାଏ ଖେଳନା ପିସ୍ତଲ୍‌ ଦେଖାଇ ବେରୁଟ୍‌ ନିକଟବର୍ତ୍ତୀ ସୋଡେକୋସ୍ଥିତ ‘ବ୍ଲୋମ୍‌ ବ୍ୟାଙ୍କ୍‌’ ଶାଖାରେ ପ୍ରବେଶ କରିବା ସହ ସଞ୍ଚୟ କରିଥିବା ଟଙ୍କା ନେବାକୁ ଦାବି କରିଥିଲେ ବୋଲି ଜଣେ ନିରାପତ୍ତା ରକ୍ଷୀ ‘ରଏଟର୍ସ’କୁ କହିଛନ୍ତି। ଏହାର ପ୍ରାୟ ଘଣ୍ଟାଏ ପରେ ମହିଳାଜଣକ ନଗଦ ୧୩,୦୦୦ ଆମେରିକୀୟ ଡଲାର୍‌ ଧରି ଚାଲିଯାଇଥିବା କଥା ‘ଡିପୋଜିଟର୍ସ ଆଉଟ୍‌କ୍ରାଏ ଗ୍ରୁପ୍’ସୂତ୍ରରୁ ଜଣାପଡ଼ିଛି। ଏହି ଗ୍ରୁପ୍‌ ବ୍ୟାଙ୍କ୍‌ରେ ସଞ୍ଚିତ ଅର୍ଥ ‘ଲକ୍‌’ ହୋଇଯାଇଥିବା ଲେବାନନ୍‌ର ନାଗରିକଙ୍କ ସପକ୍ଷରେ ସଂଗ୍ରାମ କରୁଛି। କେବଳ ସେତିକି ନୁହେଁ, ଉକ୍ତ ମହିଳା ପ୍ରାୟ ୬ ନିୟୁତ ଲେବାନୀୟ ପାଉଣ୍ଡ୍‌ (ଆମେରିକୀୟ ଡଲାର୍‌ ହିସାବରେ ୧୬୦ ଡଲାର୍‌) ମଧ୍ୟ ନେଇ ଯାଇଛନ୍ତି। ଉପରୋକ୍ତ ଘଟଣା ପାଇଁ ନିଜେ ଦାୟୀ ବୋଲି ‘ଡିପୋଜିଟର୍ସ ଆଉଟ୍‌କ୍ରାଏ ଗ୍ରୁପ୍’ ‘ରଏଟର୍ସ’କୁ କହିଛି।

Advertisement

ଅର୍ଥ ଲୁଟ୍‌ କରିଥିବା ଉକ୍ତ ମହିଳାଙ୍କ ନାଁ ସାଲି ହାଫେଜ୍‌ ବୋଲି ତାଙ୍କ ମାଆ କହିଛନ୍ତି। ଏକ ଆଞ୍ଚଳିକ ଲେବାନୀୟ ଟେଲିଭିଜନ୍‌ ‘ଅଲ୍‌-ଜାଦିଦ୍‌’କୁ ତାଙ୍କ ମାଆ କହିଛନ୍ତି, କର୍କଟ ରୋଗ‌ରେ ପୀଡ଼ିତା ସାନଭଉଣୀର ଚିକିତ୍ସା ନିମନ୍ତେ ହାଫେଜ୍‌ ନିଜସ୍ବ ଆକାଉଣ୍ଟ୍‌ରୁ ଅର୍ଥ ଲୁଟ୍‌ କରିଛି। ‘ଅଲ୍‌-ଜାଦିଦ୍‌’ ଟିଭିକୁ ସେ କହିଛନ୍ତି, ଆମେ ତାହା କରି ନ ଥିଲେ ମୋ ଝିଅ ମରିଯାଇ ଥାଆନ୍ତା। ଆମର ସମସ୍ତ ଆର୍ଥିକ ସମ୍ବଳ ବ୍ୟାଙ୍କ୍‌ରେ ହିଁ ଗଚ୍ଛିତ ଅଛି। ସେ ଅର୍ଥ ନେବା ପାଇଁ ମୋ ଝିଅ ବାଧ୍ୟ ହୋଇଥିଲା। ଭଉଣୀର ଚିକିତ୍ସା ନିମନ୍ତେ ଅର୍ଥ ନେବା ତା’ର ଅଧିକାର। କାରଣ ଅର୍ଥରାଶି ତା’ ଜମାଖାତାରେ ହିଁ ଅଛି। ଖେଳନା ପିସ୍ତଲ୍‌ଟି ତାଙ୍କ ପୁତୁରାର ବୋଲି ହାଫେଜ୍‌ କହିଛନ୍ତି। ସେ କହିଛନ୍ତି, ସଞ୍ଚିତ ଅର୍ଥ ଉଠାଇବା ପାଇଁ ମୁଁ ପୂର୍ବରୁ ବାରମ୍ବାର ଶାଖା ପରିଚାଳକଙ୍କୁ ଅନୁରୋଧ କରିଥିଲି। ମୋ ଭଉଣୀ ମୃତ୍ୟୁ ମୁଖରେ ବୋଲି ମଧ୍ୟ ତାଙ୍କୁ ଅବଗତ କରାଇଥିଲି। ନିରୁପାୟ ହୋଇ ମୁଁ ଏଭଳି କରିଛି। ‘ବ୍ଲୋମ୍‌ ବ୍ୟାଙ୍କ୍‌’ ‌ଜାରି କରିଥିବା ବିବୃତିରେ ସୁନିଶ୍ଚିତ କରିଛି ଯେ, ବ୍ୟାଙ୍କ୍‌ରେ ପଣବନ୍ଦୀ ପରିସ୍ଥିତିର ଅବସାନ ଘଟିଛି କିନ୍ତୁ, କେତେ ଅର୍ଥ ଲୁଟ୍‌ ହୋଇଛି, ସେ ବିଷୟରେ ସବିଶେଷ ବିବରଣୀ ଦେଇନାହିଁ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!