ବାତ୍ୟା ଭୟରେ ଦୀପାବଳି : ଚିନ୍ତାରେ ବାଣ ବ୍ୟବସାୟୀ, ୩୦% ଦର ବୃଦ୍ଧି

ଭୁବନେଶ୍ବର -: ଆଉ ମାତ୍ର ୫ଦିନ ପରେ ଆଲୋକର ପର୍ବ ଦୀପାବଳି। କରୋନାର ୨ବର୍ଷ ପରେ ବେଶ୍‌ ଆନନ୍ଦ ଓ ଉଲ୍ଲାସର ସହ ଏହି ପର୍ବକୁ ପାଳିବାକୁ ଲୋକେ ଚାହିଁ ବସିଛନ୍ତି। କିନ୍ତୁ ଏଥର ଦୀପାବଳି ଦିନ ସୂର୍ଯ୍ୟୋପରାଗ ସାଙ୍ଗକୁ ହେବାକୁ ଥିବା ସାମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ତାହା ଦୀପାବଳିକୁ ଫିକା ପକାଇବ ବୋଲି ଜଳଜଳ ଦିଶିଲାଣି। ବାତ୍ୟା ଭୟରେ ବ୍ୟବସାୟୀମାନେ ବାଣ କିଣିବାକୁ ଭୟ କରୁଛନ୍ତି। କରୋନା ପୂର୍ବବର୍ଷ ଅର୍ଥାତ୍‌ ୨୦୧୯ରେ ରାଜ୍ୟର ବ୍ୟବସାୟୀମାନେ ୫୦କୋଟି ଟଙ୍କାର ବାଣ ବିକ୍ରି କରିବାକୁ ସାମଗ୍ରୀ ଆଣୁଥିବା ବେଳେ ଚଳିତ ବର୍ଷ ୧୫କୋଟି ଟଙ୍କାର ବାଣ ଆଣିଛନ୍ତି। ଚଳିତ ବର୍ଷ ସିନା କରୋନା କଟକଣା ନାହିଁ କିନ୍ତୁ ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ମାଡ଼ ବାଣ ବିକ୍ରି ଉପରେ ମାଡ଼ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ବାତ୍ୟା ପ୍ରଭାବରେ ବର୍ଷା ହୁଏ, ଦୀପାବଳି ଫିକା ପଡ଼ିବ ଓ ବ୍ୟବସାୟୀଙ୍କର ବାଣ ବିକ୍ରି ହେବ ନାହିଁ। ଏଭଳି ଆଶାଆଶଙ୍କାରେ ଖୁଚୁରା ବାଣ ବ୍ୟବସାୟୀ ଘାଣ୍ଟି ହେଲେଣି।

Advertisement

କରୋନା ସଂକ୍ରମଣର ଦୁଇ ବର୍ଷ ପରେ ଦୀପାବଳିରେ ଭଲ ବାଣ ବିକ୍ରି ହେବ ବୋଲି ବ୍ୟବସାୟୀମାନେ ଆଶା କରିଥିଲେ। ମାତ୍ର ପାଣିପାଗ ବିଭାଗର ସୂଚନା ଅନୁସାରେ ଯଦି ବାତ୍ୟା ହୁଏ ଓ ଦୀପାବଳିରେ ବର୍ଷା ଲାଗି ରୁହେ ତେବେ ବାଣ ବିକ୍ରି ହେବ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଣ ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବା ବେଳେ ଏଠାରୁ ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଆଦି ଜିଲ୍ଲାର ବ୍ୟବସାୟୀମାନେ ବାଣ କିଣି ଖୁଚୁରା ବ୍ୟବସାୟ କରନ୍ତି। ଏହାବ୍ୟତୀତ ତାମିଲନାଡୁର ଶିବକାଶୀରୁ ବିପୁଳ ପରିମାଣର ବାଣ ମଧ୍ୟ ଏଠାକୁ ଆସେ। ଜଟଣୀରେ ୫ରୁ ଅଧିକ ହୋଲସେଲ୍‌ ବ୍ୟବସାୟୀ ଥିବା ବେଳେ ୬୦ରୁ ଅଧିକ ଖୁଚୁରା ବ୍ୟବସାୟୀ ରହିଛନ୍ତି। ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣିଥା’ନ୍ତି। ତେବେ ପାର୍ବଣ ସମୟରେ ଏହି ବେପାର ଭଲ ହୁଏ। ବ୍ୟବସାୟମାନେ ମଧ୍ୟ ସରକାରଙ୍କୁ ଏଥିପାଇଁ ଲକ୍ଷଲକ୍ଷ ଟଙ୍କାର ଟିକସ ଦିଅନ୍ତି। ଚଳିତ ବର୍ଷ ପାର୍ବଣ ଋତୁ ବି ଫିକା ପଡ଼ିବାରେ ଲାଗିଛି। ଦଶହରାରେ ବର୍ଷା ହେବାରୁ ବାଣ ବ୍ୟବସାୟ ହୋଇପାରିଲା ନାହିଁ। ମଣ୍ଡପଗୁଡ଼ିକରେ ଆତସବାଜୀ ବାଧାପ୍ରାପ୍ତ ହେବାରୁ ବାଣ ବ୍ୟବସାୟୀମାନେ ବହୁ ପରିମାଣରେ କ୍ଷତି ସହିଲେ। ବ୍ୟବସାୟୀଙ୍କର ଅନ୍ୟ ଏକ ଚିନ୍ତା ହେଲା, ପ୍ରତି ବାଣରେ ୩୦ରୁ ୪୦% ଦର ବଢ଼ିଛି।

ଯେଉଁଥିପାଇଁ ବ୍ୟବସାୟୀମାନେ ମଦ୍ୟ ଉଚ୍ଚାଦରରେ ବାଣ କିଣିଛନ୍ତି। ଯେମିତିକି ୩୦ସେମିର ଫୁଲଝରି ୨୦୧୯ ମସିହାରେ ୩୫ଟଙ୍କା ଥିବା ବେଳେ ଏବର୍ଷ ୫୪ଟଙ୍କାରେ କିଣାଯାଇଥିବା ରାଜ୍ୟ ବାଣ ବ୍ୟବସାୟୀ ସଂଘ ସଭାପତି ତ୍ରିଲୋଚନ ପଟ୍ଟନାୟକ କହିଛନ୍ତି। ସେହିପରି ଚକ୍ରି ବାଣ ଦର ୩୦ରୁ ୪୮, କୁମ୍ପି ୮୦ରୁ ୧୧୧, ଆକାଶ ସଟ୍‌ ୨୮୦ରୁ ୪୫୦ଟଙ୍କାକୁ ବୃଦ୍ଧି ହୋଇଛି। ଗ୍ରାହକଙ୍କୁ କିଣିବା ସମୟରେ ଅଧିକ ଦର ଦେବାକୁ ପଡ଼ିବ। ବାତ୍ୟା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ବାଣ ବ୍ୟବସାୟ ଏତେ ମାତ୍ରାରେ ହେବ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି। ଭୁବନେଶ୍ବରରେ ପ୍ରାୟ ୪୫୦ରୁ ଅଧିକ ଖୁଚୁରା ବାଣ ବ୍ୟବସାୟୀ ବାଣ ବିକ୍ରି କରନ୍ତି। ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ପୂର୍ବବର୍ଷ ଅପେକ୍ଷା ଏଥର କମ୍‌ ଟଙ୍କାର ସାମଗ୍ରୀ ଅଣାଯାଇଛି। ତେଣୁ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କଠାରୁ ୨୩ତାରିଖ ଭିତରେ ସମସ୍ତ ବାଣ ବିକ୍ରି ହୋଇଯିବ ବୋଲି ଆଶା ରହିଛି। ଭୁବନେଶ୍ବରସ୍ଥିତ ଗାଡ଼କଣର ଶବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳଣ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ ସହ ୨ଟି ସ୍ଥାନରେ ବାଣ ବିକ୍ରି ହେବ ବୋଲି ବିଏମ୍‌ସି କହିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!