ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୫ରେ ହେବ ଉପନିର୍ବାଚନ, କାହା ଉପରେ ରହିବ ଜନତାଙ୍କ ଆର୍ଶୀବାଦ…

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ବାଦିକ) – ଧାମନଗରର ନିର୍ବାଚନ ଫଳାଫଳ ରାଜନୀତିର ସମୀକରଣ ବଦଳାଇ ଦେଇଛି । ଲଗାତର ସମସ୍ତ ଉପ ନିର୍ବାଚନରେ ନିରଙ୍କୁଶ ସଫଳତା ହାସଲ କରିଥିବା ବିଜେଡି ବିରୋଧରେ ଧାମନଗର ରାୟ ବିଜେଡିକୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରିଥିବା ବେଳେ ବିଜେପି ପାଇଁ ବୁଷ୍ଟର ଡୋଜ୍‌ର କାମ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ସମଗ୍ର ଦେଶରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡିଶାରେ ଦେଖା ଦେଇଥିଲା ତାର ବ୍ୟତିକ୍ରମ । ସମସ୍ତ ଉପ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ କେବଳ କର୍ମୀ ନୁହେଁ ଭୋଟରଙ୍କୁ ମଧ୍ୟ ନିରାଶ କରିଥିଲା । ସମସ୍ତେ ପ୍ରାୟ ନିଶ୍ଚିତ ହୋଇ ଯାଇଥିଲେ ଯେ ରାଜ୍ୟରେ ବିଜେଡିର ବିକଳ୍ପ ନାହିଁ ଓ ନବୀନଙ୍କ କରିସ୍ମା ଆଗରେ ସମସ୍ତେ ଫିକା । ଏହି ଅବଧାରଣକୁ ନେଇ ରାଜ୍ୟବାସୀ ବିଜେଡିକୁ ସମର୍ଥନ ଉଜାଡି ଦେଉଥିବା ବେଳେ ଧାମନଗର ନିର୍ବାଚନ ବିଜେପି ପାଇଁ ସଞ୍ଜିବନୀ ସଦୃଶ କାମ କରିଛି । ଦଳ ଓ କର୍ମୀଙ୍କ ଭିତରେ ଶକ୍ତି ସଞ୍ଚାର ହୋଇଛି ।

Advertisement

ନିର୍ବାଚନ ହାରିବାରେ ଅଭ୍ୟସ୍ତ ହୋଇସାରିଥିବା ରାଜ୍ୟ ବିଜେପି ଧାମନଗର ବିଜୟ ପରେ ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ନିର୍ବାଚନରେ ବିଜୟର ବାନା ଉଡାଇବା ପାଇଁ ଅଣ୍ଟା ଭିଡି ସାରିଲାଣି । ଯଦିଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ବିଜେପି ଠାରୁ ପଦ୍ମପୁର ଆସନ ଛଡେଇ ନେଇଥିଲ କିନ୍ତୁ ଏଥର ତାହା ଏତେ ସହଜ ଭଳି ମନେ ହେଉ ନାହିଁ । ଧାମନଗର ଓ ପଦ୍ମପୁର ଭିତରେ କିଛି ସମାନତା ଓ କିଛି ଭିନ୍ନତା ରହିଛି । ୨୦୧୪ରେ ପଦ୍ମପୁର ଆସନ ବିଜେପି କବ୍‌ଜାରେ ଥିଲା । ବିଜେପିର ପ୍ରଦୀପ ପୁରୋହିତ ବିଜେଡିର ବିଜୟ ରଞ୍ଜନ ସିଂ ବରିହାଙ୍କୁ ହରାଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ସମୀକରଣ ବଦଳିଗଲା । ବିଜେଡିର ବିଜୟ ରଞ୍ଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ ୫୭୩୪ ଖଣ୍ଡ ଭୋଟରେ ପରାଜିତ କରି ନିର୍ବାଚିତ ହେଲେ । ହେଲେ ବିଜେଡିର ଏହି ବିଜୟ ପଛର ମୁଖ୍ୟ କାରଣ ଥିଲେ ସ୍ୱାଧୀନପ୍ରାର୍ଥୀ ରାଜୁ ଘିବେଲା । ଧାମନଗର ପରି ପଦ୍ମପୁରରେ ବିଜେପିର ବାଗୀ ସାଜିଥିଲେ ରାଜୁ । ବିଜେପି ଟିକେଟ୍ ପାଇଁ ଆଶୀୟୀ ରାଜୁଙ୍କୁ ଦଳ ନିରାଶ କରିବା ପରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ପାଇଥିଲେ ୪୫୧୨ ଖଣ୍ଡ ଭୋଟ୍ । ଯାହା ବିଜେପି ପରାଜୟ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି । ବର୍ତ୍ତମାନ ଧାମନଗରରେ ରାଜୁ ଦାସ ଯେଉଁ ଭଳି ବିଜେଡିକୁ ହରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କଲେ ସେହିଭଳି ରାଜୁ ଘିବେଲା ପହ୍ମପୁରରେ ବିଜେପି ବିଜୟ ରାସ୍ତାରେ କଣ୍ଟା ସାଜିଥିଲେ ।

ହେଲେ ୨୦୧୯ ନିର୍ବାଚନ ପରେ ସମୀକରଣ ବଦଳ ସାରିଛି । ରାଜୁ ଘିବେଲା ଏବେ ବିଜେପି କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି । ପ୍ରଦୀପ ପୁରୋହିତଙ୍କ ପାଇଁ ରାସ୍ତା ସଫା, ଧାମନଗରରୁ ବଳ ଗୋଟାଇ ଥିବା ବିଜେପି ପଦ୍ମପୁରର ନିର୍ବାଚନୀ ଟ୍ରାକ୍‌ରେ ଫୁଲ ଦମରେ ଦୌଡିବାକୁ ପ୍ରସ୍ତୁତ । ବିଜେପିର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଧାମନଗର ସଫଳତା ପରେ ପଦ୍ମପୁର ପାଇଁ ଫୁଲ୍ ଦମରେ ନିର୍ବାଚନ ମଇଦାନକୁ ଓହ୍ଲାଇବ । ହେଲେ ଧାମନଗର ଭଳି ବିଜେପି କଣ ଏଠି ବି ନିଜ ବିଜୟ ଅଭିଯାନ ଦୋହରାଇ ପାରିବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଥରେ ନଜର ପକାଇବା ଧାମନଗର ରାଜନୈତିକ ଇତିହାସ ଓ ବର୍ତ୍ତମାନର ଦୃଶପଟ୍ଟ ଉପରେ । ଝାରବନ୍ଦ ବ୍ଲକର ୧୪ ପଞ୍ଚାୟତ, ପଦ୍ମପୁରର ୨୨ ପଞ୍ଚାୟତ, ପାଇକମାଲର ୨୨ ପଞ୍ଚାୟତ ଓ ପଦ୍ମପୁର ଏନଏସିର ୧୧ ୱାର୍ଡକୁ ନେଇ ଗଠିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଏହା ଅଧିନରେ ରହିଛି ୮ଟି ଜିଲ୍ଲା ପରିଷଦ ଜୋନ୍ । ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ୪ଟି ଲେଖାଏଁ ଜୋନ୍ ଅକ୍ତିଆର କରିଥିବା ବେଳେ ପୌର ନିର୍ବାଚନରେ ମୋଟ୍ ୧୧ଟି ୱାର୍ଡରୁ ୭ଟି ବିଜେଡି ଓ ୪ଟି ବିଜେପି ଖାତାକୁ ଯାଇଥିଲା ଆଉ ଏଠାରେ ଚେୟାରମ୍ୟାନ ଆସନ ବିଜେଡି ଦଖଲକୁ ଆସିଥିଲା । ଏହି ସିଟ୍‌ରେ ବିଜେଡି ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଛି । ବିଜେପି ପ୍ରଦିପ ପୁରୋହିତଙ୍କୁ ପ୍ରାର୍ଥୀ କରିବା ପ୍ରାୟ ଏକ ପ୍ରକାର ନିଶ୍ଚିତ ।

କିନ୍ତୁ ପ୍ରଶ୍ନ ହେଉଛି ବିଜେଡି କାହାକୁ ପ୍ରାର୍ଥୀ କରିବ ? ପୂର୍ବ ଉପ ନିର୍ବାଚନକୁ ଦେଖିଲେ ଲାଗୁଛି ବିଜେଡି ହୁଏତ ବିଜୟ ରଞ୍ଜନଙ୍କ ଧର୍ମପତ୍ରୀ ତିଲୋତ୍ତମା ସିଂ ବରିହାଙ୍କୁ ପ୍ରାର୍ଥୀ କରିପାରେ । ଯଦି ବରିହାଙ୍କ ପରିବାର ବାହାରୁ କାହାକୁ ପ୍ରାର୍ଥୀ କରାଯାଏ ତେବେ ରେସ ରେ ଅଛନ୍ତି ନୂଆପଡାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ମହେନ୍ଦ୍ର ବଢେଇ । ସେପଟେ କଂଗ୍ରେସ ତରଫରୁ ସତ୍ୟ ଭୁଷଣ ସାହୁ ଓ ସନ୍ତୋଷ ଶତପଥୀଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ମୁଖ୍ୟତ ଲଢେଇ ବିଜେପି ବିଜେଡି ମଧ୍ୟରେ ହେବ । ବିଜେପି ହାତରେ ବରଗଡ ଲୋକସଭା ଆସନ ଥିବାରୁ ସୁରେଶ ପୂଜାରୀ ଏହି ନିର୍ବାଚନରେ ମୁଖ୍ୟ ଭୁମିକା ତୁଲାଇବେ । ସେପଟେ ବିଜେଡିର ପୁରୁଖା ନେତା ପ୍ରଶନ୍ନ ଆଚାର୍ଯ୍ୟ ଓ ବରଗଡ ରାଜନୀତିର ଧୁରନ୍ଦର ଖିଲାଡି ସୁଶାନ୍ତ ସିଂଙ୍କୁ ବିଜେଡି ନିର୍ବାଚନ ଦାୟୀତ୍ୱ ଦେଇପାରେ । ଧାମନଗରର ଆସନ ଯଦିଓ ବିଜେପି ହାତରେ ଥିଲା କିନ୍ତୁ ଟିକେଟ୍ ବଣ୍ଟନ ନିଷ୍ପତ୍ତିରେ ସାମାନ୍ୟ ଭୁଲ ପାଇଁ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିଛି । ଆଶା ଏଥର ବିଜେଡି ପୂର୍ବ ଭୁଲର ପୁନରାବୃତ୍ତି କରିବ ନାହିଁ । ଜନ ଭାବନାକୁ ସମ୍ମାନ ଜଣାଇ ସଠିକ୍ ଲୋକକୁ ଟିକେଟ୍ ଦେବ । ଆଉ ବିଜେପି ଧାମନଗର ନିର୍ବାଚନର ଫଳାଫଳକୁ ଆଧାର କରି ପୁଣି ଥର ପଦ୍ମପୁର ଦଖଲ ପାଇଁ ନିଜର ସମସ୍ତ ବଳ ଖଟାଇବ । ହେଲେ ସବୁ ସେଇ ଜନତା ଉପରେ ନିର୍ଭର କରୁଛି ଯେ ସେ କାହାକୁ ନିଜ ନେତା ବାଛିବ ???

Advertisement

Leave a Reply

Your email address will not be published. Required fields are marked *

error: Content is protected !!