ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ! ଆସିଲା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୁର୍ଣ୍ଣ ରାୟ

କଟକ -: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ । ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ ବ୍ୟକ୍ତିଙ୍କୁ ଆବଣ୍ଟନ କରିଥିବା ଦ୍ୱିତୀୟ ପ୍ଲଟକୁ ବାତିଲ କରିଥିବା ବେଳେ ବାତିଲ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିବା ସହିତ ଭବିଷ୍ୟତରେ ଏହି ପ୍ରସଂଗରେ ଅଙ୍କୁଶ ଲାଗାଇବାକୁ ନିଦେର୍ଦଶ ଦେଇଛନ୍ତି । ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ଲଟ ଆବଣ୍ଟନର ସୁବିଧା ପାଇଥିବା ବ୍ୟକ୍ତି ଯେଭଳି ଆଉ କୌଣସି ଯୋଜନାରେ ପ୍ଲଟ ପାଇଁ ଆବେଦନ ନ କରିବେ ତାହା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ଲଟ ପାଇଥିବା ବ୍ୟକ୍ତିଙ୍କୁ ସଂପୃକ୍ତ ସହରର ଅନ୍ୟ ଉନ୍ନୟନ ପ୍ରକଳ୍ପରେ ବା ଅନ୍ୟ ଜିଲ୍ଲାର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଖରେ ପ୍ଲଟ ପାଇଁ ଆବେଦନ କରି ପାରିବେ ନାହିଁ ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି । ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଏକାଧିକ ପ୍ଲଟ ଆବଣ୍ଟନ ଅପେକ୍ଷା ଏହା ଉପଯୁକ୍ତ ନାଗରିକଙ୍କ ପାଇଁ ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି ।

Advertisement

ଏହି ରାୟର କପି ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କ ପାଖକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏକାଧିକ ପ୍ଲଟ ଆବଣ୍ଟନ ନିଷେଧ ପ୍ରସଂଗରେ ରହିଥିବା ଏହି ନିର୍ଦ୍ଦେଶ ପାଳନ କରି ଉନ୍ନୟନ କର୍ତ୍ତୃପକ୍ଷ ଭବିଷ୍ୟତରେ ଯତ୍ନଶୀଳ ହୋଇ ପ୍ରକଳ୍ପର ବିବରଣୀ ପୁସ୍ତିକା ଜାରି କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ଲଟ ଆବଣ୍ଟନ ପାଇଁ କରାଯାଉଥିବା ଯୋଜନାରେ ନିଜ କର୍ମଚାରୀଙ୍କ ପାଇଁ କିଛି ପ୍ଲଟ ସଂରକ୍ଷିତ କରି ରଖାଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ବା କର୍ମଚାରୀଙ୍କ ନିକଟର ସଂପର୍କୀୟଙ୍କୁ କୌଣସି ପ୍ଲଟ ଆବଣ୍ଟନ କରାଯିବା ଉଚିତ ନୁହେଁ । ଭବିଷ୍ୟତରେ ଏହି ପ୍ରସଂଗରେ ଉନ୍ନୟନ କର୍ତ୍ତୃପକ୍ଷମାନେ ଯତ୍ନଶୀଳ ହେବେ ଓ କର୍ମଚାରୀଙ୍କ ପାଇଁ ପ୍ଲଟ ଆବଣ୍ଟନରେ କୋହଳ ବ୍ୟବସ୍ଥା କରିବେ ନାହିଁ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.କେ.ମଲ୍ଲିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଡିଏ, ବିଡିଏ, ହାଉସିଂବୋର୍ଡ ଓ ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବ ନାହିଁ ।


ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବିଡିଏରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିବା ବେଳେ କଳିଙ୍ଗନଗର ପ୍ଲଟେଡ ଡେଭଲପମେଣ୍ଟ ଯୋଜନା ୧୯୯୧ରେ ଆସିଥିଲା । ଇଚ୍ଛାଧୀନ କୋଟା ମାଧ୍ୟମରେ ସେ ଏହି ଯୋଜନାରେ ଏକ ପ୍ଲଟ ପାଇଥିଲେ । ଦଖଲ ନେବାର ପୂର୍ବ ପର୍ଯ୍ୟାୟରେ ଏହି ପ୍ଲଟକୁ ସେ ତୃତୀୟ ପକ୍ଷଙ୍କୁ ୧୯୯୯ରେ ବିକ୍ରି କରି ଦେଇଥିଲେ । ଏହାପରେ ଚନ୍ଦ୍ରଶେଖରପୁରଠାରେ ଡିଷ୍ଟ୍ରିକ୍ଟ ସେଣ୍ଟର କମର୍ସିଆଲ ପ୍ଲଟେଡ ଡେଭଲପମେଣ୍ଟ ଯୋଜନା ଆସିଥିଲା । ଏଠାରେ ୨୦୦୦ ସେପ୍େଟମ୍ବର ୨୯ରୁ ଏକ ବ୍ୟାବସାୟିକ ପ୍ଲଟର ଦଖଲ ପାଇଥିଲେ ଆବେଦନକାରୀ । ଏହାପରେ ଚନ୍ଦ୍ରଶେଖରପୁରଠାରେ ପ୍ରସ୍ତାବିତ ପ୍ରାଚୀ ଏନକ୍ଲେଭ ପ୍ଲଟେଡ ଡେଭଲପମେଣ୍ଟ ଯୋଜନାରେ ଏକ ଆବାସିକ ପ୍ଲଟ ପାଇଁ ଆବେଦନକାରୀ ଦରଖାସ୍ତ ଦାଖଲ କରିଥିଲେ । ଯୋଜନାରେ ମୋଟ ପ୍ଲଟର ୨ ପ୍ରତିଶତ ବିଡିଏ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ଥିଲା । ଏଥିପାଇଁ ମଧ୍ୟ ଲଟେରି ହୋଇଥିଲା । ଆବେଦନକାରୀ ଲଟେରିରେ ସଫଳ ହୋଇଥିଲେ । ଆବେଦନକାରୀଙ୍କ ସପକ୍ଷରେ ପ୍ଲଟ ଆବଣ୍ଟନ ଚିଠି ୨୦୦୧, ଜାନୁଆରି ୯ରେ ଜାରି କରାଯାଇଥିଲା ।

ଏହି ଯୋଜନା ପାଇଁ ପ୍ରକାଶିତ ବିବରଣୀରେ ବ୍ୟାବସାୟିକ ପ୍ଲଟ ପାଇଥିବା ବ୍ୟକ୍ତି ଆବାସିକ ପ୍ଲଟ ପାଇଁ ଆବେଦନ କରିବା କ୍ଷେତ୍ରରେ କିଛି କଟକଣା ନଥିଲା । ଅନ୍ୟପକ୍ଷରେ ଏହି ପ୍ରସଂଗକୁ ନେଇ ଅଭିଯୋଗ ପରେ ତଦନ୍ତ କରାଯାଇଥିଲା । ଆବେଦନକାରୀ ତଥ୍ୟ ଲୁଚାଇଥିବା ଦର୍ଶାଯାଇ ପରବର୍ତ୍ତୀ ସମୟରେ ବିଡିଏ ତାଙ୍କ ପ୍ଲଟ ଆବଣ୍ଟନକୁ ବାତିଲ କରିଥିଲା । ଏହା ସହିତ ପ୍ଲଟ ପାଇଁ ଦରଖାସ୍ତ ବେଳେ ଆବେଦନକାରୀ ଜମା କରିଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନ ଅନୁସାରେ ଆବଣ୍ଟନ ପାଇଁ ଯୋଗ୍ୟ ହୋଇ ନଥିଲେ ମଧ୍ୟ ସର୍ତ୍ତାବଳୀ ଅନୁସାରେ ଆବେଦନକାରୀ ଜଣେ ଯଥାର୍ଥ ଦରଖାସ୍ତକାରୀ ବୋଲି ହାଇକୋର୍ଟ କହିବା ସହିତ ସେ ଜମା କରିଥିବା ଅର୍ଥ ୬ ପ୍ରତିଶତ ସୁଧ ସହିତ ଫେରାଇବାକୁ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଡିଏ ତରଫରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!