ସମସ୍ୟା ଘେରରେ ନନ୍ଦପୁର ପ୍ରାଥମିକ ବିଦ୍ୟାଳୟ, ୫ଶ୍ରେଣୀକୁ ୨ଶିକ୍ଷକ

ତିଗିରିଆ -: ରାଜ୍ୟବାସୀ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ବାସଗୃହ ପରି ମୌଳିକ ଆବଶ୍ୟକତା ପୂରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।ଉଭୟ ସରକାର ଙ୍କ ପକ୍ଷରୁ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି।ବିଭିନ୍ନ ଉଚ୍ଚ ବିଦ୍ୟାଳୟ କୁ ୫ଟି ଯୋଜନାରେ ସାମିଲ କରି ରୂପାନ୍ତରଣ କରି ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଶିକ୍ଷା ଲାଭ କରିବାର ସୁଯୋଗ ପ୍ରଦାନ କରାଯାଉଛି ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ କରାଯାଉଛି। ଏହାର ସୁଫଳ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ରହିଥିବା ବେଳେ କେତେକ ସ୍ଥାନରେ ନିରାଶା ଜନକ ରହିଥିବା ଦେଖିବାକୁ ମିଳିଛି। ଯାହାର ଉଦାହରଣ ହେଉଛି କଟକ ଜିଲ୍ଲା ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ସ୍ଥିତ ନନ୍ଦପୁର ଗ୍ରାମର ନନ୍ଦପୁର ପ୍ରାଥମିକ ବିଦ୍ୟାଳୟ।

Advertisement

୧୯୫୭ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଦ୍ୟାଳୟ ଟି ଏବେ ବିଭିନ୍ନ ସମସ୍ୟା ରେ ଗତି କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟ ରେ ବର୍ତ୍ତମାନ ମୋଟ ୭୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଏହି ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ଜଣେ ପ୍ରଧାନଶିକ୍ଷକ ଓ ଜଣେ ସହାୟକ ଶିକ୍ଷକ ରହିଛନ୍ତି। ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦୁଇଜଣ ଶିକ୍ଷକ କିଭଳି ଭାବେ ପାଠ ପଢ଼ାଉଥିବେ ତାହା ସହଜରେ ଅନୁମେୟ। ସେହିପରି ପ୍ରଧାନଶିକ୍ଷକ କୌଣସି ଅଫିସ କାର୍ଯ୍ୟରେ ବାହାରକୁ ଗଲେ କିମ୍ବା ଜଣେ ଶିକ୍ଷକ କୌଣସି ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ଛୁଟିରେ ରହିଲେ ଜଣେ ମାତ୍ର ଶିକ୍ଷକରେ ବିଦ୍ୟାଳୟ ଚଳାଇବା କାଠିକର ପାଠ ହେଉଥିବା ଜଣାପଡିଛି। ସେହିପରି ବିଦ୍ୟାଳୟର ନିଜସ୍ୱ ୫ ଟି ଶ୍ରେଣୀଗୃହ ରହିଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡିର ନିଜସ୍ୱ ଗୃହ ଖରାପ ହୋଇଯାଇଥିବାରୁ ବିଦ୍ୟାଳୟର ଶ୍ରେଣୀଗୃହରେ ଆଜିକୁ ଦୁଇବର୍ଷ ହେବ ଅଙ୍ଗନବାଡି ଚାଲିଥିବା ଜଣାପଡିଛି। ବଳକା ୪ ଟି ଗୃହ ରୁ ୨ ଟି ଗୃହର ଚଟାଣ ଓ ଝରକା ଭାଙ୍ଗି ଯାଇଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାତ୍ର ଦୁଇଟି ଶ୍ରେଣୀଗୃହ ରେ ବସି ପାଠ ପଢ଼ୁଛନ୍ତି। ସେହିପରି ବିଦ୍ୟାଳୟର ଚତୁଃ ପାର୍ଶ୍ଵରେ ପ୍ରାଚୀର ନଥିବାରୁ ଅନେକ ସମୟରେ ଅସାମାଜିକ ଯୁବକ ମାନେ ସନ୍ଧ୍ୟା ହେଲେ ବିଦ୍ୟାଳୟ ପରିସରରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି। ସେହିପରି ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ ସମସ୍ୟା। ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଦୂଷିତ ପାଣି ଆସୁଥିବାରୁ ତାହା ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାନୀୟ ଯୋଗ୍ୟ ହେଉନାହିଁ।

ତେଣୁ ଗ୍ରାମକୁ ଆସୁଥିବା ପାଇପ ଯୋଗେ ପାଣି ଉପରେ ବିଦ୍ୟାଳୟ ନିର୍ଭରଶୀଳ ଅଟେ।କୌଣସି କାରଣରୁ ପାଇପ ଯୋଗେ ଜଳଯୋଗାଣ ବନ୍ଦ ରହିଲେ ଛାତ୍ରଛାତ୍ରୀ ମାନେ ପାଣି ଟୋପାଏ ପାଇଁ ନାନାଦି ଅସୁବିଧା ର ସମ୍ମୁଖୀନ ହେଉଥିବା ଜଣାପଡିଛି। ସେହିପରି ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଥିବା ପରିସ୍ରାଗାର ଓ ଶୌଚାଳୟର ଅବସ୍ଥା ଶୋଚନୀୟ।ଏଗୁଡିକ ବ୍ୟବହାର ଉପଯୋଗୀ ନଥିବାରୁ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେହିପରି ବିଦ୍ୟାଳୟ ର ନିଜସ୍ୱ ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀ ମାନେ ଖେଳିବା ପାଇଁ ଅନେକ ଅସୁବିଧା ଭୋଗ କରୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ପ୍ରତ୍ୟହ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ ନିମନ୍ତେ କିମ୍ବା ଛାତ୍ରଛାତ୍ରୀ ଖାଇବା ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ନଥିବାରୁ ବର୍ଷା ଦିନେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି। ତେଣୁ ଏତେ ସବୁ ଅସୁବିଧା ଭିତରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ କେଉଁଭଳି ଭାବେ ଗୁଣାତ୍ମକ ଶିକ୍ଷା ପାଇପାରିବେ ତାହା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରାଯାଇଛି। ତେଣୁ ଯଥାଶୀଘ୍ର ସରକାରଙ୍କ ପକ୍ଷରୁ ବିଦ୍ୟାଳୟର ସମସ୍ତ ଅସୁବିଧାକୁ ଦୂର କରାଯିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!