ଭୁବନେଶ୍ୱର -: ତିନି ବର୍ଷ ଧରି ବିଏମ୍ସିରେ ଚାଲିଥିବା ଅଫିସର ରାଜ୍ର ଅନ୍ତ ହେବା ପରେ ଗତ ୯ ତାରିଖ ଠାରୁ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ଶାସନ ଡୋର ନିଜ ହାତକୁ ନେଇଛନ୍ତି । ବର୍ଷ ବର୍ଷ ଧରି ନଗର ଶାସନ ବ୍ୟବସ୍ଥାରୁ ଅଫିସରମାନେ ଜନସାଧାରଣଙ୍କୁ ଦୂରେଇ ରଖିଥିବାରୁ ଲୋକଙ୍କ ପାଖରେ ରହିଥିବା ଗଦା ଗଦା ଅଭିଯୋଗ ସବୁ ଆକ୍ରୋଶ ପାଲଟି ଯାଇଛି ।
ଟିକିଏ ସୁଯୋଗ ପାଇଲେ ଲୋକେ ବିଏମ୍ସି ଉପରେ ଥିବା ନିଜର ଅସନ୍ତୋଷ ଝାଡ଼ୁଛନ୍ତି । ବିଶେଷକରି ଗଳି ଗଳି ବୁଲି ତୃଣମୂଳସ୍ତରରୁ ସମସ୍ୟାକୁ ହୃଦୟଙ୍ଗମ କରିବା ଓ ତାହାର ସମାଧାନର ବାଟ ଖୋଜିବା ପାଇଁ ୱାର୍ଡ ପରିକ୍ରମା କରୁଥିବା ମେୟର ଏଥି ପାଇଁ ଅକଳରେ ପଡ଼ୁଛନ୍ତି । କେବଳ ଏହି ଗୋଟିଏ ସମସ୍ୟା ନୁହେଁ ବରଂ ପରିମଳରୁ ପର୍ଯ୍ୟାବରଣ, ନଳାରୁ ଜଳନିଷ୍କାସନ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥାରେ ଏଭଳି ଘଳିଆ ପଡ଼ିଛି ଯେ, କାହାକୁ ଜଗିବେ, କେମିତି ସମ୍ଭାଳିବେ ତାକୁ ନେଇ ନେତାଙ୍କ ଅକଲ ଗୁଡ଼ୁମ୍ ହୋଇଛି । ୨୦୧୪ ମସିହାରେ ପୈାର ନିର୍ବାଚନରେ ମେୟର ଭାବରେ ଦାୟିତ୍ୱ ନେଇ ଥିଲେ ବର୍ତ୍ତମାନର ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା । ସେ ଥିବା ବେଳେ ଲୋକଙ୍କର ଶତ ପ୍ରତିଶତ ଅଭିଯୋଗ ଯେ ସମାଧାନ ହେଉଥିଲା ତାହା ନୁହେଁ, କିନ୍ତୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ ।
ମେୟର ଓ କର୍ପୋରେଟର ଲୋକଙ୍କ ମୈାଳିକ ସମସ୍ୟା କିଛି ମାତ୍ରାରେ ସମାଧାନ କରୁଥିଲେ । ଅସୁବିଧା ସମୟରେ ପାଖରେ ଠିଆ ହେଉଥିଲେ । ୨୦୧୯ ଜାନୁଆରି ୧୫ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରେ ନିର୍ବାଚନ ନ ହେବାରୁ ବିଭିନ୍ନ ପର୍ଯ୍ୟାୟରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍, ପୈାର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଓ ପୂର୍ବତନ କମିସର୍ନ କ୍ରିଷନ୍ କୁମାର ବିଏମ୍ସି ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିଲେ । କମିସନ ମଧ୍ୟ ବାରମ୍ବାର ବଦଳିଛନ୍ତି । ନିର୍ବାଚିତ କାଉନ୍ସିଲ୍ର କାର୍ଯ୍ୟକାଳ ସରିଲା ସମୟରେ କ୍ରିଷନ୍ କୁମାର କମିସର୍ନ ଥିଲେ । ଏହାର କିଛି ଦିନ ପରେ ତାଙ୍କର ବଦଳି ହେବାରୁ ବିଏମ୍ସିରେ ଅତିରିକ୍ତ କମିସନର ଥିବା ଶୁଭମ୍ ସକ୍ସେନା କମିସନର ଭାବରେ ଦାୟିତ୍ୱ ନେଇଥିଲେ । କିନ୍ତୁ ମାସେରୁ ୪୫ ଦିନ ଭିତରେ ତାଙ୍କର ମଧ୍ୟ ବଦଳି ହୋଇଥିଲା । ଏହା ପରେ ଆସିଥିଲେ ବର୍ତ୍ତମାନର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ସେ ପ୍ରାୟ ବର୍ଷେ କାଳ ଦାୟିତ୍ୱରେ ରହିଥିଲେ । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲେ । ପ୍ରଶାସକ ଓ କମିସନର ଲୋକଙ୍କୁ ଦେଖା ଦେଉନଥିଲେ । ଲୋକଙ୍କ ଅଭିଯୋଗ ଶୁଣୁନଥିଲେ । ତାଙ୍କ ପରେ ପ୍ରେମଚନ୍ଦ୍ର ଚୈାଧୁରୀ ଦାୟିତ୍ୱ ନେଇଥିଲେ । ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ଦେଖି ସେ ବିଭିନ୍ନ ୱାର୍ଡ ସହ ପ୍ରକଳ୍ପ ବୁଲିବା ଆରମ୍ଭ କରିଥିଲେ । ନିୟମିତ ଅଭିଯୋଗ ଶୁଣାଣି ମଧ୍ୟ କରୁଥିଲେ । ଲୋକ ଭାବିଥିଲେ ପରିସ୍ଥିତି ସୁଧୁରିବ । କିନ୍ତୁ ଏଭଳି କାମ ଆରମ୍ଭ କରିବାର ମାତ୍ର କେଇଟା ଦିନ ପରେ ତାଙ୍କର ଅଚାନକ ବଦଳି ହୋଇ ଯାଇଥିଲା । ୨୦୨୧ ମେ’ ମାସରେ ଦାୟିତ୍ୱ ନେଇଥିଲେ ବର୍ତ୍ତମାନର କମିସନର ସଞ୍ଜୟ ସିଂହ । ଆଉ ପ୍ରଶାସକ ଭାବେ ଦାୟିତ୍ୱରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍ । ଏହିଠାରୁ ବିଏମ୍ସି ପ୍ରତି ଜନଆକ୍ରୋଶ ବଢ଼ିବାରେ ଲାଗିଲା । ଉଭୟ ଅଧିକାରୀ ଲୋକଙ୍କୁ ଭେଟିବାକୁ ସମୟ ପାଇଲେ ନାହିଁ । ଏପରିକି ସହରର ବଡ଼ ସମସ୍ୟା ବେଳେ ବି ଉଭୟଙ୍କର ଦେଖା ନ ଥିଲା । ନା ଲୋକଙ୍କ ପାଖକୁ ଯାଇ ସମସ୍ୟା ପଚାରି ବୁଝିଥିଲେ ନା ଲୋକ ଆସିଲେ ତାଙ୍କୁ ଦେଖା ଦେଉଥିଲେ । ଫଳରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ବଡ଼କଥା ହେଉଛି ‘କିଚକ ବାହୁବଳେ ବିରାଟ ରାଜା’ ଭଳି କମିସନରଙ୍କ ଛତ୍ରଛାୟା ତଳେ ରହି କିଛି ଅଫିସର ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ରହିଛି ।
ଅଫିସର ରାଜର କୁପରିଣାମ ଭୋଗୁଛନ୍ତି ସହରବାସୀ, ଅଡ଼ୁଆରେ ଜନ ପ୍ରତିନିଧି, ସମାଧାନ ପାଇଁ ବାଟ ମିଳୁନି, ଆଗକୁ ସ୍ଥିତି ଆହୁରି ସଙ୍ଗିନ୍ ହୋଇପାରେ
ତେବେ କେବଳ ଲୋକଙ୍କ ଅଭିଯୋଗ ଶୁଣି ନାହାନ୍ତି ନୁହେଁ, ବରଂ ଏଭଳି ମନଇଚ୍ଛା କାମ କରିଛନ୍ତି ଯେ ତା’ର ପରିଣାମ ଏବେ ଜନପ୍ରତିନିଧିଙ୍କ ସହ ଜନସାଧାରଣ ଭୋଗୁଛନ୍ତି । ଏହାର ଏକ ବଡ଼ ଉଦାହରଣ ହେଉଛି ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) । ଏହି କେନ୍ଦ୍ର ତିଆରି କରିବା ପୂର୍ବରୁ କାହା ସହ ଆଲେଚାନା କରାଯାଇ ନାହିଁ । ଜନସାଧାରଣଙ୍କ ଠାରୁ ମତାମତ କିମ୍ବା ପରାମର୍ଶ ମଧ୍ୟ ନିଆଯାଇ ନାହିଁ । କମିସନର ଓ ପ୍ରଶାସକ ରାଜ୍ୟ ବାହାରେ କେତେକ ଜାଗା ବୁଲି ଏଭଳି ଏମ୍ସିସିର ପରିକଳ୍ପନା କରିଥିଲେ । ଏମ୍ସିସି ପିଛା କୋଟିଏ ଟଙ୍କା ଖର୍ଚ୍ଚ କରି ଏହି ପ୍ରକଳ୍ପ ସ୍ଥାପନ କଲେ । ଏବେ ସେଗୁଡ଼ିକ ମୂଳ ଉଦ୍ଦେଶ୍ୟ ପୂରଣ କରିପାରୁ ନାହିଁ । ଯେଉଁଥିପାଇଁ ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହୋଇ ପାରୁ ନାହିଁ ।
ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ଜନବସତି ପାଖରେ ଏହାକୁ ତିଆରି କରିବା ବେଳେ ପ୍ରବଳ ବିରୋଧର ଶିକାର ହେବାକୁ ପଡ଼ୁଛି । ଦିନକୁ ୫ଶହ ଟନ୍ ଆବର୍ଜନା ବହାରୁଥିବା ସହର ପାଇଁ ଏହା ବିଲ୍କୁଲ୍ ପ୍ରଯୁଜ୍ୟ ନୁହେଁ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଆଗକୁ ଏହାକୁ ନେଇ ଅଡ଼ୁଆ ଆହୁରି ବଢ଼ିବ । କିନ୍ତୁ ସେତେବେଳକୁ ଏହି କାମ କରିଥିବା ଅଫିର୍ସ ନ ଥିବେ । କେବଳ ଭୋଗିବେ ଜନପ୍ରତିନିଧି ଓ ଜନସାଧାରଣ । ରାଜଧାନୀର ପ୍ରମୁଖ ସମସ୍ୟା ହେଉଛି ଜଳ ନିଷ୍କାସନ । ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ପ୍ରତ୍ୟେକ ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ହୁଏ । ପ୍ରତ୍ୟେକ ସ୍ତରର ବାସିନ୍ଦା ଏଥିରେ ପ୍ରଭାବିତ ହୁଅନ୍ତି । ଧନୀ ଘରୁ ବାହାରି ପାରନ୍ତିନି, ଗରିବ ଘରେ ପାଣି ପଶି ଯାଏ । ବିଗତ କିଛି ବର୍ଷ ହେବ ଏହି ଜଳବନ୍ଦୀ ସମସ୍ୟା ବଢ଼ି ଯାଇଛି । ପ୍ରାକୃତିକ ନାଳଗୁଡ଼ିକ ପୋତି ହୋଇ ଯିବା ଓ ଜବରଦଖଲ ଯୋଗୁଁ ଜଳନିଷ୍କାସନ ହୋଇ ନ ପାରି ଏଭଳି ସମସ୍ୟା ହେଉଥିବା ଆଶଙ୍କା କରି ନଳାଗୁଡ଼ିକର ସମ୍ପ୍ରସାରଣ ଯୋଜନା କରାଯାଇଛି । ଏହାକୁ କ୍ୟାବିନେଟ୍ ଅନୁମୋଦନ ମଧ୍ୟ ମିଳିଛି । କିନ୍ତୁ ଅନୁମୋଦନକୁ ବର୍ଷେ ପୂରିଥିଲେ ମଧ୍ୟ କାମ ଆଗେଇ ପାରିନାହିଁ ।
ଏଣୁ ଏଥର ବର୍ଷାରେ ମଧ୍ୟ ଭୁବନେଶ୍ୱର ଉବୁଟୁବୁ ହେବ । ଭୋଗିବେ ଲୋକେ, ଆଉ ସେମାନଙ୍କର ଆକ୍ରୋଶର ଶିକାର ହେବେ ନବ ନିର୍ବାଚିତ ଜନ ପ୍ରତିନିଧି । ବଡ଼କଥା ହେଉଛି ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଅହଙ୍କାର ଭାବ ରହିଛି । କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି, କେହି କାହା କଥା ଶୁଣିବାକୁ ଚାହୁନାହାନ୍ତି । ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ନାହିଁ । କେବଳ ବୈଠକରେ ଏକାଠି ବସନ୍ତି । ତା ପରେ ଯିଏ ଯାହା ମନଇଚ୍ଛା କରନ୍ତି । ଫଳରେ ପିଡବ୍ଲୁଡି ରାସ୍ତା କାମ କରି ଚାଲିଗଲା ପରେ ବିଏମ୍ସି ଘରୋଇ ସଂସ୍ଥାକୁ ରାସ୍ତା ଖୋଳିବା ପାଇଁ ଅନୁମତି ଦେଇ ଦେଉଛି । ବିଏସ୍ସିଏଲ୍ (ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍) ମାଟି ତଳେ କେବୁଲ ବିଛାଇ ସମସ୍ତ ସେବା ଯୋଗାଇ ଦେବାକୁ ସ୍ଥିର କରିଥିବାରୁ ରାସ୍ତା ଖୋଳିବା ପାଇଁ ଅନୁମତି ଦିଆଯାଉ ନାହିଁ । କିନ୍ତୁ ବିଭିନ୍ନ ଜାଗାରେ ଏଭଳି ରାସ୍ତା ଖୋଳା ଚାଲିଛି । ବିଏମ୍ସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ବିଭାଗୀୟ ସମନ୍ୱୟ ଅଭାବ ଯୋଗୁଁ ବିଏମ୍ସିର ଅର୍ଥ ବରବାଦ ହେବା ସହ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏ ସବୁକୁ କେମିତି ସମ୍ଭାଳିବେ ଏବେ ଜନପ୍ରତିନିଧିମାନେ ଚିନ୍ତାରେ ପଡ଼ିଛନ୍ତି ।