ପ୍ରଜାକୋର୍ଟରେ ହାଜର ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ, ନହେଲେ ମୃତ୍ୟଦଣ୍ଡ

ନବରଙ୍ଗପୁର/ରାଇଘର -: କିଛିଦିନ ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍‌ରେ ନକ୍ସଲମାନେ ସକ୍ରିୟ ହୋଇଉଠିଛନ୍ତି । ବ୍ୟାର୍ନ ଲଗାଇବା ସହିତ ପ୍ରଜାକୋର୍ଟରେ ହାଜର ହେବାପାଇଁ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅଧିକାରୀ ଓ ଜଣେ କିରାଣିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ନିର୍ଦ୍ଦେଶ ଅବମାନନା କଲେ ମୃତ୍ୟୁଦଣ୍ଡର ଚେତାବନୀ ଦେଇଛନ୍ତି । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି ।
ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ ନକ୍ସଲପ୍ରବଣ ବ୍ଲକ୍ ଭାବେ ପରିଚିତ । ତେବେ ସୁରକ୍ଷା କର୍ମୀ ମୁତୟନ ପରେ ନକ୍ସଲଙ୍କ ଗତିବିଧି ପ୍ରାୟ କମିଯାଇଛି । ତଥାପି ମଝିରେ ମଝିରେ ନିଜ ଉପସ୍ଥିତି ଜାହିର କରି ଆସୁଛନ୍ତି । ଯଦିଓ ହିଂସା ଘଟାଇବାରେ ସକ୍ଷମ ହେଉନାହାନ୍ତି କିନ୍ତୁ ବ୍ୟାନର ପୋଷ୍ଟରରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହିକ୍ରମରେ ତଥା ଲମ୍ବା ବ୍ୟବଧାନ ପରେ ପୁଣି ରାଇଘର ଅଞ୍ଚଳରେ ବ୍ୟାନର ତଥା ପୋଷ୍ଟର ଲଗାଇଛନ୍ତି ନକ୍ସଲ । ଏଥର ସୁରକ୍ଷା କର୍ମୀ କିମ୍ବା ପୁଲିସ ଇନଫର୍ମରଙ୍କ ବଦଳରେ ସ୍ୱାସ୍ଥ୍ୟ ବିଭାଗ ବିଭାଗ କର୍ମଚାରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ପ୍ରଥମଥର ପାଇଁ ଜଣେ ଡାକ୍ତର ଏବଂ କିରାଣିଙ୍କୁ ଚେତାବନୀ ଦେଇଛନ୍ତି । ଲାଞ୍ଚ ନେଇ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆଣି ଚେତାବନୀ ଦେଇଛନ୍ତି ।

Advertisement

ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅଧିକାରୀ ଭାବେ ଡାକ୍ତର ସତ୍ୟରଞ୍ଜନ ସାହୁ ଓ କିରାଣି ଭାବେ ଗୋବିନ୍ଦ ସରକାର କାର୍ଯ୍ୟରତ ରହିଛନ୍ତି । ତେବେ ବିଭିନ୍ନ ସମୟରେ ଗର୍ଭବତୀଙ୍କ ଠାରୁ ୫ ଶହରୁ ଏକ ହଜାର ଟଙ୍କା, ଜନ୍ମ ସହ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ ହଜାର ହଜାର ଟଙ୍କା ଆଦାୟ କରି ନିରୀହ ଜନସାଧାରଣଙ୍କୁ ଶୋଷଣ କରୁଥିବା ନକ୍ସଲ ଅଭିଯୋଗ କରିଛନ୍ତି । ଡାକ୍ତର ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ କିରାଣି ଗୋବିନ୍ଦ ସରକାର ବିଭିନ୍ନ କାମ ପାଇଁ ନିରୀହ ରୋଗୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଉଲ୍ଲେଖ କରାଯାଇଛି । ତେଣୁ ତୁରନ୍ତ ଉଭୟ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି, ତେବେ ଦୁହିଁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଖୋଲା ଚେତାବନୀ ଦିଆଯାଇଛି । ସେହିପରି ଗୋବିନ୍ଦ ସରକାରଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରାଯାଇଛି । ବହୁସ୍ଥାନରେ ଏଭଳି ନିର୍ଦ୍ଦେଶ ଥିବା ବ୍ୟାନର ତଥା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!