ପୈାରାଧ୍ୟକ୍ଷ ନିର୍ବାଚନରେ ମାଟିକାମୁଡିଲା ବିଜେଡି, ନୂଆପଡାରେ ଖାତା ଖୋଲିପାରିଲାନି

ଭୁବନେଶ୍ୱର -: ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକରେ ବି ପୈାରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ । ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ଗୁପ୍ତା ୩୯୦୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠାରେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀକାନ୍ତ ଚାଟାର୍ଜୀ ୨୦୪୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ମୂଳଚନ୍ଦ ସିଙ୍ଘଲ ୧୮୫୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ଖରିଆର ରୋଡ଼ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନିଆ ଜୈନ ୮୮୩ ଭୋଟରେ ବିଜୟୀ ହୋଇଛନ୍ତି । ସୋନିଆ ଜୈନ ୫୮୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୪୯୪୨ ଖଣ୍ଡ ଭୋଟ ପାଇଛନ୍ତି । ନୂଆପଡା ଏନଏସିରେ ସ୍ୱଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୭ ଭୋଟରେ ବିଜୟୀ ହୋଇଛନ୍ତି ।
ଅନ୍ୟପକ୍ଷରେ ଗଣତି ସରିଯାଇଥିବା ୨୦ଟି ଜିଲ୍ଲାରେ ବିଜୁ ଜନତା ଦଳ ୩୮ଟି ପୈାରାଞ୍ଚଳରେ ଅଧ୍ୟକ୍ଷ ପଦ ବଜାୟ ରଖିବାରେ ସଫଳ ହୋଇଛି । ସୁଚନା ଅନୁସାରେ ଅନୁଗୁଳର ୩ଟି ପୈାରାଞ୍ଚଳରୁ ୩ଟି ଯାକ ବିଜେଡି ଖାତାକୁ ଯାଇଛି । ବରଗଡ଼ ଜିଲ୍ଲାର ୪ ଆସନରୁ ୩ ବିଜେଡିକୁ ଯାଇଥିବା ବେଳେ ଗୋଟିଏରେ ସ୍ୱାଧୀନ ବିଜୟୀ ହୋଇଛନ୍ତି । ବୈାଦ୍ଧ ଓ ଦେବଗଡ଼ର ପୂରା ପୈାରାଞ୍ଚଳକୁ କରାୟତ କରିଛି ଶାସକ ଦଳ । ଢ଼େଙ୍କାନାଳ ଜିଲ୍ଲାର ୩ଟି ପୈାରାଞ୍ଚଳ ମଧ୍ୟରୁ ବିଜେଡିକୁ ୨ଟି ମିଳିଥିବା ବେଳେ ବିଜେପିକୁ ଗୋଟିଏ ମିଳିଛି ।

Advertisement

ସେହିପରି ଜଗତସିଂହପୁର ଜିଲ୍ଲାର ୨ଟି ପୈାରାଞ୍ଚଳକୁ ଭାଗ କରି ନେଇଛନ୍ତି ବିଜେଡି ଓ କଂଗ୍ରେସ । ଯାଜପୁର ଜିଲ୍ଲାର ୨ଟିରୁ ୨ଟି ପୈାରାଞ୍ଚଳ ବିଜେଡି ହାତକୁ ଯାଇଛି । କଳାହାଣ୍ଡିର ୪ଟି ପୈାରାଞ୍ଚଳକୁ ସମାନ ଭାବେ ଭାଗ କରି ନେଇଛନ୍ତି ବିଜେଡି ଓ ବିଜେପି । କୋରାପୁଟ ଜିଲ୍ଲାର ୪ ପୈାରାଞ୍ଚଳରୁ କଂଗ୍ରେସ ଖାତାକୁ ୨ଟି ଯାଇଥିବା ବେଳେ ବାକି ଦୁଇଟିକୁ ବିଜେଡି ଓ ସ୍ୱାଧୀନ ବାଣ୍ଟି ନେଇଛନ୍ତି । ମାଲକାନଗିରିର ୨ଟି ପୈାରାଞ୍ଚଳରୁ ବିଜେଡି ଓ ବିଜେପି ୧-୧ରେ ଭାଗ କରିଛନ୍ତି । ନବରଙ୍ଗପୁରର ଦୃଶ୍ୟପଟ୍ଟ ମଧ୍ୟ ସମାନ । ସେଠାରେ ବିଜେପି ଓ ବିଜେଡି ଗୋଟିଏ ଗୋଟିଏ ପୈାରାଞ୍ଚଳରୁ ନିଜ ଦଖଲକୁ ନେଇଛନ୍ତି ।

ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିଜେଡି ଓ ବିଜେପି ୧-୧ ପୈାରାଞ୍ଚଳରୁ ବିଜୟୀ ହୋଇଛନ୍ତି । ମାତ୍ର ସୁବର୍ଣ୍ଣପୁରରେ ବିଜେଡି ସମସ୍ତ ୩ ପୈାରାଞ୍ଚଳରୁ ପୋଛି ନେଇଛି । ସୁନ୍ଦରଗଡ଼ରେ ୩ ପୈାରାଞ୍ଚଳରୁ ବିଜେଡି ଖାତାକୁ ୨ଟି ଯାଇଥିବା ବେଳେ ବିଜେପି ଗୋଟିଏ ପାଇଛି । ବାଲେଶ୍ୱରରେ ବାଜିମାତ କରିଛି ବିଜେଡି । ସେଠାରେ ୫ ପୈାରାଞ୍ଚଳରୁ ବିଜେଡି ୪ଟିରେ ବିଜୟୀ ହୋଇଛି ଓ ବିଜେପି ଖାତାକୁ ଗୋଟିଏ ଯାଇଛି । ରାୟଗଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ୨ଟି ପୈାରାଞ୍ଚଳ ଦଖଳ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଗୋଟିଏ ଯାଇଛି । ଗଜପତି ଜିଲ୍ଲାର ୨ରୁ ୨ ପୈାରାଞ୍ଚଳ ବିଜେଡି ଖାତାକୁ ଯାଇଛି । ସେହିପରି ନୟାଗଡ଼ ଜିଲ୍ଲାର ୪ ପୈାରାଞ୍ଚଳରୁ ୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବାକି ଦୁଇଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ବିଜେଡି ୩ରୁ ୩ ପୈାରାଞ୍ଚଳ ନିଜ ଦଖଲକୁ ନେଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!