ମହାପ୍ରଭୁଙ୍କ ପାଇଁ ୮ ପ୍ରକାର ପଖାଳ ପରସା ଯାଏ , କେମିତି ହୁଏ ପ୍ରସ୍ତୁତି ଆସନ୍ତୁ ଜାଣିବା

ପଖାଳ ନାଁ ଟା ଶୁଣୁ ଶୁଣୁ ପ୍ରତି ଓଡିଆଙ୍କ ପାଟିରେ ପାଣି ଆସିଯାଏ । ଦେଶ ବିଦେଶ ଯେଉଁଠି ବି ରୁହନ୍ତୁ ନାଁ କାହିଁକି ପଖାଳ ପ୍ରତି ଓଡିଆ ଲୋକଙ୍କର ରହିଛି ଅହେତୁକ ଭଲ ପାଇବା । ଖାଲି ଓଡିଆ ନୁହଁନ୍ତି ଆମ ଆରାଧ୍ୟ ଦେବତା କାଳିଆ ସାଆନ୍ତ ବି ପଖାଳ ଖାଇବାକୁ ଭାରି ଭଲପାଆନ୍ତି । ଯେମିତି ଆମେ ପଖାଳ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଖାଇଥାଉ ମହାପ୍ରଭୁ ବି ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ପଖାଳ ଖାଇବାକୁ ଭଲ ପାଇଥାନ୍ତି ।

Advertisement

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ ତ କେତେବେଳେ ଘିଅ ବାସେ । ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି, “ପଖାଳ ଭାତରେ ଘି’ ତୋ ବୋପା ଖାଇଥିଲା କି” ।

ଯେମିତି ଓଡିଆ ଘରେ ପ୍ରସ୍ତୁତ ହୁଏ ବିଭିନ୍ନ ରକମର ପଖାଳ । ଚାଇଁ ପଖାଳ, ଦହି ପଖାଳ, ଛୁଙ୍କ ପଖାଳ, ସୁବଜ ପଖାଳ, ବାସି ପଖାଳ । ଏହି ନାଁ ଗୁଡିକ ଯେମିତି ନିଆରା ପାଟିକୁ ବି ଭାରି ସୁଆଦିଆ । ହେଲେ ଆପଣ ଜାଣନ୍ତି କାଳିଆ ଖାଉଥିବା ପଖାଳର ନାଁ ସବୁ କ’ଣ ? ଆଉ ତାହା କେମିତି ପ୍ରସ୍ତୁତ କରାଯାଏ । ତେବେ ଚାଲନ୍ତୁ ଜାଣିବା…

ସୁବାସ ପଖାଳ -: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ ।

ଚୁପୁଡା ପଖାଳ -: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।

ପାଣି ପଖାଳ -: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।

ଦହି ପଖାଳ -: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ । ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ ।

ମିଠା ପଖାଳ -: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ । ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ ।

ମଲ୍ଲିଫୁଲ ପଖାଳ -: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ଟଭା ପଖାଳ -: ସାଧା ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ ।

ଘିଅ ପଖାଳ -: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ ।

ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!