ଜାଲ ନୋଟ ରାକେଟର ପର୍ଦ୍ଦାଫାସ, ୩୦ହଜାର ଦେଲେ ମିଳୁଥିଲା ଲକ୍ଷେ

ମାଲକାନଗିରି -: ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଥିଲା, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିଲା । ୩୦ ହଜାର ଟଙ୍କାର ଅସଲି ନୋଟ୍ ଦେଲେ ମିଳୁଥିଲା ଲକ୍ଷେ ଟଙ୍କାର ଜାଲ୍ ନୋଟ୍ । ଏତେ ସୁନିୟୋଜିତ ଭାବେ ଏହି ନକଲି ନୋଟ୍ ରୢାକେଟ୍ କାମ କରୁଥିଲା ଯେ, କେହି ର୍ଟେ ପାଉ ନଥିଲେ । ଏମାନଙ୍କ ଟାର୍ଗେଟ୍‌ରେ ଥିଲେ ଆଦିବାସୀ ଏବଂ ଅଶିକ୍ଷିତ ଲୋକ ।

Advertisement

୭୦ହଜାର ଟଙ୍କାର ସିଧାସଳଖ ଲାଭ ପାଇଁ ବହୁ ଲୋକ ଏହି ରାକେଟ୍‌ର ମାୟାଜାଲରେ ପଡ଼ି ଯାଇଥିଲେ । ଶେଷରେ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ମାଲକାନଗିରି ପୁଲିସ । ରୢାକେଟ୍‌ର ଦୁଇ ଜଣ ସଦସ୍ୟ ପଶ୍ଚିମବଙ୍ଗରୁ ମାଲକାନଗିରି ଆସିବା ସମୟରେ ରାସ୍ତାରେ ପୁଲିସ କାବୁ କରିଥିଲା । ଏହାପରେ ରୢାକେଟ୍ ସହ ସଂପୃକ୍ତ ଅନ୍ୟ ୩ଜଣ ଧରାପଡ଼ିଛନ୍ତି । ତେବେ ଏମାନେ କେତେଦିନ ଧରି ଏହି ନକଲି ନୋଟ୍ କାରବାର କରୁଥିଲେ ଏବଂ ଏମାନଙ୍କ ଦ୍ୱାରା କେତେ ଟଙ୍କାର ଜାଲ୍ ନୋଟ୍ ବଜାରରେ ବୁଲୁଛି ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପକ୍ଷରେ ଜାଲ୍ ନୋଟ୍ ଦେବାକୁ କହି କିଛି ଜଣଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରିଥିବା ବି ଜଣାପଡ଼ିଛି ।

ବହୁଦିନ ହେଲା ମାଲକାନଗିରି ଜିଲ୍ଲାରେ ଗୋଟିଏ ନକଲି ନୋଟ୍ କାରବାର କରୁଥିବା ରାକେଟ୍ ସକ୍ରିୟ ଥିବା କିଛି ଦିନ ତଳେ ପୁଲିସକୁ ସୁରାକ୍ ମିଳିଥିଲା । ଏହି ରାକେଟ୍ କେମିତି କାମ କରୁଛି ଏବଂ ଏହାର ସଦସ୍ୟ କେମିତି କାମ କରୁଛନ୍ତି ତାହାର କୈାଣସି ଠୋସ୍ ସୂଚନା ପୁଲିସ ନିକଟରେ ନଥିଲା । ତେଣୁ ମାଲକାନଗିରି ଏସ୍‌ଡିପିଓ ସୁଭେନ୍ଦୁ ପାତ୍ର ନିଜେ ତଦନ୍ତ ଆରମ୍ଭ କରିଥିଲେ । ଅନେକ ଜଣଙ୍କ ସହ ଯୋଗାଯୋଗ କରିବା ପରେ ଶେଷରେ ଜଣାପଡ଼ିଥିଲା ଏହି ରୢାକେଟ୍ ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଛି । ରାକେଟ୍ ସଦସ୍ୟ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଲ୍ ନୋଟ୍ ଦେଇ ଅସଲି ନୋଟ୍ ନେଇ ଚାଲି ଯାଉଛନ୍ତି । ସେହିପରି କିଛି ଜଣଙ୍କ ଠାରୁ ଅସଲି ନୋଟ୍ ନେଇ ଆଉ ଧରାଛୁଆଁ ଦେଉନାହାନ୍ତି । ଏହାପରେ ଏସ୍‌ଡିପିଓଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଗଠନ ହୋଇଥିବା ବେଳେ ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ, ଏସ୍‌ଆଇ ପ୍ରଭାତ ଗୌଡ ଏବଂ ଅନ୍ୟ କର୍ମଚାରୀ ମିଳିତ ଭାବେ ତନାଘନା ଆରମ୍ଭ କରିଥିଲେ । ରାକେଟ୍ ପଛରେ ପୁଲିସ ନିୟୋଜିତ କରିଥିବା ସୂଚନାଦାତା ଶେଷରେ ଏହି ଗ୍ୟାଙ୍ଗ ପଶ୍ଚିମବଙ୍ଗରୁ ମାଲକାନଗିରି ଆସୁଥିବା ଖବର ପାଇଥିଲା ।

ଏହାପରେ ରାକେଟ୍ ସଦସ୍ୟଙ୍କୁ ପୁଲିସ ଟ୍ରାକ୍‌ରେ ରଖି ଜୟପୁରରୁ ବାହାରି ମାଲକାନଗିରି ପହଞ୍ଚିବା ପରେ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଏବଂ ମାଲକାନଗିରିର ତିନି ଜଣଙ୍କୁ ପୁଲିସ ଗିରଫ କରିଥିଲା । ଅଭିଯୁକ୍ତ ତଥା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି-୫୫ ଗ୍ରାମର ଶକ୍ତି ପଦ ବାଚାର (୧୯), ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୨୪ ଗ୍ରାମର ଅସୀମ ବିଶ୍ୱାସ (୩୫) ଓ ନିରଞ୍ଜନ ରାୟ (୩୪), ପଶ୍ଚିମବଙ୍ଗ ମଧ୍ୟଗ୍ରାମ ଥାନା ଅନ୍ତର୍ଗତ କୋରା ଗ୍ରାମର ବିଷ୍ଣୁ ବିଶ୍ୱାସ (୪୨) ଏବଂ ଶ୍ରୀନଗର ଶୀତଲ ମନ୍ଦିର ନିକଟର ଶ୍ୟାମଲ ସାହା (୫୯)ଙ୍କୁ ପୁଲିସ ପଚରାଉଚୁରା କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!