ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା

ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ ଦଇତାପତି ନିଯୋଗର କର୍ମକର୍ତ୍ତା ଗତକାଲି ସିଂହଦ୍ୱାର ଥାନାରେ ଏତଲା ଦେବାପରେ ଆଜି ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗଜପତିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଅଦିନରେ ଏଭଳି ବନଯାଗ ଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃ୍‌ତି ବିରୋଧୀ ଓ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଭକ୍ତିଭାବ ପ୍ରତି କୁଠାରାଘାତ । ତେଣୁ ଏଥିରେ ସମ୍ପୃକ୍ତ ଚିଣ୍ଟୁ ବାବାଙ୍କୁ ତୁରନ୍ତ ଗିରଫ ପାଇଁ ଶ୍ରୀମନ୍ଦିର ଦଇତାପତି ନିଯୋଗ ପକ୍ଷରୁ ଦାବି କରାଯାଇଛି ।

Advertisement

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର(ଟିକିପୁଅ) କହିଛନ୍ତି, ଗତ ୨୨ ତାରିଖରେ ଓଡ଼ାପଡ଼ା ଏକଘରିଆରେ ଯେଉଁଭଳି ଅଦିନରେ ବନଯାଗ ଯାତ୍ରା, ଦାରୁ ଚୟନ ଓ ଦାରୁ କଟା କାର୍ଯ୍ୟକ୍ରମ କରାଯାଇଛି; ତାହା ଶ୍ରୀଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ଓ ଏହା ଅଗଣିତ ଭକ୍ତଙ୍କ ବିଶ୍ୱାସକୁ ଉପହାସ କରିଛି । ବିଗତ ଦିନରେ କୈାଣସି ପରିସ୍ଥିତିରେ ଏଭଳି ନବକଳେବର କାର୍ଯ୍ୟ କରାଯାଇନି । ନବକଳେବର ଏକ ଗୁପ୍ତ ସେବା । କିନ୍ତୁ କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ଏହି ଗୁପ୍ତ ସେବାକୁ ବଦନାମ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରି ଶ୍ରୀଜଗନ୍ନାଥଙ୍କୁ ବିକିବା ବ୍ୟବସ୍ଥା କରିଛନ୍ତି ।

ସାରଥି ବାବାଙ୍କ ଭଳି ଏକ ଆଶ୍ରମ ସୃଷ୍ଟି କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଆଦାୟର ମାଧ୍ୟମ ଖୋଲିଛନ୍ତି । ଏଭଳି କାର୍ଯ୍ୟକୁ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ବିରୋଧ କରୁଛି । ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟ କରିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଯେଉଁ ନିମ୍ବ ଗଛ କଟାଯାଇଛି, ତାକୁ ଜବତ କରାଯାଉ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ସାରାବିଶ୍ୱରେ ଯେଭଳି ନୀତିକାନ୍ତି ପାଳନ ହେବ, ସେ ଉପରେ ଗୁରୁତ୍ୱ ଦିଆଯାଉ । ଯେଉଁମାନେ ବି ଅଦିନରେ ରଥଯାତ୍ରା ଅବା ଅନ୍ୟ କୈାଣସି କାର୍ଯ୍ୟ କରୁଛନ୍ତି, ସେମାନେ କିଭଳି ଆଗାମୀ ଦିନରେ ଏଭଳି କାର୍ଯ୍ୟ କରିବାକୁ ସାହସ କରିବେନି, ସେ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ଏବେଠୁ ଏ ଦିଗରେ ଦୃଷ୍ଟି ଦିଆନଯାଏ, ଆଗାମୀ ରଥଯାତ୍ରାରେ ବିଶୃଙ୍ଖଳା ଦେଖାଦେବ ବୋଲି ଶ୍ରୀମନ୍ଦିର ଦଇତାପତି ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି । ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଏଭଳି କାର୍ଯ୍ୟ ନିନ୍ଦନୀୟ । ଏହା ବିରୋଧରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!