ଅନାସ୍ଥା ଭୋଟରେ ହାରିଲେ ଗିରଫ ହେବେ ଇମ୍ରାନ ଖାଁ

ଇସ୍‌ଲାମାବାଦ -: ଯଦି ସଂସଦରେ ଆଗତ ଅନାସ୍ଥା ଭୋଟ୍‌ରେ ହାରି ଯାଆନ୍ତି ତେବେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ପଡ଼ିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗିରଫ ହୋଇପାରନ୍ତି ବୋଲି ଆଜି ଗୃହମନ୍ତ୍ରୀ ଶେଖ୍ ରଶିଦ୍ କହିଛନ୍ତି ।
ଗଣମାଧ୍ୟମକୁ ମନ୍ତ୍ରୀ ଶେଖ୍ ରଶିଦ୍ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ଥାବ ଆଗତ ଆଗରୁ ‘ପାକିସ୍ତାନ ତେହ୍‌ରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ପାର୍ଟି ନେତୃତ୍ୱାଧୀନ ଶାସକ ମେଣ୍ଟର ୧୫୫ଜଣ ସଦସ୍ୟ ଇସ୍ତଫା ଦେବେ । ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ମୋର ମନେହୁଏ, ସେମାନେ ଇମ୍ରାନ୍ ଖାଁଙ୍କୁ ସହ୍ୟ କରିବେ ନାହିଁ, ସେମାନେ ତାଙ୍କୁ ଗିରଫ କରିବେ । ଇମ୍ରାନ୍‌ଙ୍କୁ ବହିଷ୍କାର କରିବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ବିଷୟରେ ପଚରାଯିବାରୁ ଗୃହମନ୍ତ୍ରୀ କହିଲେ, ପାକିସ୍ତାନର ଗଣତନ୍ତ୍ର ପ୍ରତି ସାଙ୍ଘାତିକ ବିପଦ ରହିଛି । ସାମ୍ପ୍ରତିକ ଜଟିଳ ପରିସ୍ଥିତି ସମାଧାନ ପାଇଁ ତୁରନ୍ତ ନିର୍ବାଚନ କରାଯିବା ଆବଶ୍ୟକ । ତେଣେ, ଅନାସ୍ଥା ଭୋଟ୍ ପୂର୍ବରୁ ହିଂସାକାଣ୍ଡ ଘଟିବାର ସମ୍ଭାବନା ଥିବାରୁ ଆଜି ଇସ୍‌ଲାମାବାଦ୍‌ରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ଦୁଇଚକିଆ ଯାନ ପଛ ସିଟ୍‌ରେ ବସି ଯାତ୍ରା କରିବା ମଧ୍ୟ ନିଷେଧ କରାଯାଇଛି ।
ସଦ୍ୟତମ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବିତାଡ଼ନ କରିବା ଲାଗି ପାକିସ୍ତାନ ବିରୋଧୀ ଦଳର ସଦସ୍ୟମାନେ ଆଜି ଜାତୀୟ ବିଧାନସଭାର ବାଚସ୍ପତି ଅସଦ୍ କାଇର୍ଜଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!