ନକ୍ସଲ ବିରୋଧି ତାଲିମ ବେଳେ ବି.ଏସ.ଏଫ୍‌. ଜବାନଙ୍କ ଉପରେ ଦାଉ ସାଧିଲା ଗଜରାଜ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୨

ଭୁବନେଶ୍ୱର – ନକ୍ସଲ ବିରୋଧୀ ତାଲିମ୍ ନେଉଥିଲେ ବିଏସଏଫ୍ ଯବାନ । କେମିତି ସ୍ପଟ୍‌ରେ ପହଞ୍ଚି ହେବ, ସେନେଇ ଏସ୍‌ଓଜି(ସ୍ପେସାଲ ଅପରେସନ ଗ୍ରୁପ୍‌) ପକ୍ଷରୁ ତାଲିମ୍ ଦିଆଯାଉଥିଲା । କିଟିମିଟି ଅନ୍ଧାର, ଘଞ୍ଚ ଜଙ୍ଗଲରେ ଚାଲିଥିଲା ଅପରେସନ୍ । ଏତିକି ବେଳେ ଘଟିଲା ଅଘଟଣ ।

Advertisement

ଗଜରାଜର ଆକ୍ରମଣର ଶିକାର ହେଲେ ତାଲିମ ନେଉଥିବା ବିଏସ୍‌ଏଫ୍ ଯବାନ । ସେମାନଙ୍କ ଭିତରୁ ୮ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେହିପରି ଏସ୍‌ଓଜି ଯବାନ ବିମଳ କୁମାର ଦାସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଏମ୍ସରେ ଭର୍ତ୍ତି କରାଯାଇଛି । ସେହିପରି, ଆକ୍ରମଣାତ୍ମକ ହାତୀକୁ ଘଉଡ଼ାଇବା ପାଇଁ ଯବାନମାନେ ଫାଙ୍କା ଗୁଳି ଚଳାଇଥିଲେ । ମିଳିଥିବା ସୂଚନା ଅନୁସାରେ, ଚନ୍ଦକାସ୍ଥିତ ଏସ୍‌ଓଜି କ୍ୟାମ୍ପକୁ ତାଲିମ ନେବା ପାଇଁ କୋରାପୁଟରେ ଅବସ୍ଥାପିତ ୬୦ ଜଣ ବିଏସ୍‌ଏଫ୍ ଯବାନ ଆସିଛନ୍ତି ।

ସେମାନେ ନକ୍ସଲ ବିରୋଧୀ ତାଲିମ(ଆଣ୍ଟି ଏକ୍ସଟ୍ରିମିଷ୍ଟ ଟ୍ରେନିଂ) ନେଇ ସାରିଛନ୍ତି । ଏବେ ରିଫ୍ରେସମେଣ୍ଟ ତାଲିମ ନେବାପାଇଁ ମାସେ ହେଲା ଭୁବନେଶ୍ୱର ଚନ୍ଦକା କ୍ୟାମ୍ପକୁ ଆସିଛନ୍ତି । ଗତକାଲି ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ପିତାଗାଡ଼ିଆ ନିକଟସ୍ଥ କାଜୁ ଜଙ୍ଗଲ ଭିତରେ ଜିପିଏସ୍ ମାର୍ଚ୍ଚ ଟ୍ରେନିଂ ଦିଆ ଯାଉଥିଲା । ଏହି ଟ୍ରେନିଂର ଉଦ୍ଦେଶ୍ୟ ହେଉଛି କୌଣସି ଏକ ସ୍ଥାନରେ ପହଞ୍ଚିବା ପାଇଁ ଯବାନଙ୍କୁ ମ୍ୟାପ୍ ମିଳିଥାଏ । ଜିପିଏସ୍ ଜରିଆରେ ସେହି ମ୍ୟାପକୁ ମ୍ୟାଚିଂ କରି ଅପରେସନ୍‌ରେ ସାମିଲ ଯବାନମାନେ ଜିରୋ ପଏଣ୍ଟରେ ପହଞ୍ଚିଥାନ୍ତି । ଫଳରେ ଶତ୍ରୁମାନଙ୍କୁ ମୁକାବିଲା କରିବା ସହଜ ହୋଇଥାଏ । ଘଞ୍ଚ ଜଙ୍ଗଲରେ କିଟିମିଟି ଅନ୍ଧାରରେ ଏହି ତାଲିମ୍ ଦିଆଯାଇଥାଏ । ଗତକାଲି ୩୦ ଜଣ ଯବାନଙ୍କୁ ନେଇ ପିତାଗାଡ଼ିଆ ନିକଟରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ସେହି ରାସ୍ତା ଦେଇ ଯାଉଥିବା ୨୨ଟିକିଆ ହାତୀପଲ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ହାତୀପଲ ଗର୍ଜନ କରିବା ସହ ଅତର୍କିତ ଆକ୍ରମଣ କରିଥିଲେ ।

ବିମଳ ତଳେ ପଡ଼ିଯିବାରୁ ଦନ୍ତା ହାତୀ ତାଙ୍କ ହାତକୁ ଦଳି ଦେଇଥିଲା । ଅନ୍ୟ ସାଥୀ ଯବାନମାନେ ଫାଙ୍କା ଗୁଳି ଚଳାଇବାରୁ ହାତୀ ଛତ୍ରଭଙ୍ଗ ଦେବା ସହ ଅନ୍ୟ ରାସ୍ତାରେ ଚାଲି ଯାଇଥିଲେ । ଏହା ପରେ କ୍ୟାମ୍ପ ଓ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା । କ୍ୟାମ୍ପ୍‌ରୁ ଯବାନ ଓ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେହିପରି ବନ ବିଭାଗ କର୍ମଚାରୀମାନେ ମଧ୍ୟ ସେଠାକୁ ଯାଇଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସାମାନ୍ୟ ଆହତ ଥିବା କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି । ଗୁରୁତର ଆହତଙ୍କର ଚିକିତ୍ସା ଜାରି ରହିଛି । ଏନେଇ ବିଏସଏଫ୍ ଆଇଜିଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଏସ୍‌ଓଜି କମାଣ୍ଡାଣ୍ଟ ଦାୟିତ୍ୱରେ ଥିବା ଅଜୟ ପାଢ଼ୀ କହିଛନ୍ତି, ହାତୀ ଆକ୍ରମଣରେ କେହି ଆହତ ହୋଇନାହାନ୍ତି । ଦୌଡ଼ାଦୌଡ଼ି ସମୟରେ ଆହତ ହୋଇଛନ୍ତି, ଯାହା ନିୟମିତ ହୋଇଥାଏ । ସେହିପରି ଚନ୍ଦକା ଅଭୟାରଣ୍ୟ ଏସିଏଫ୍ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ଖରାଦିନ ଧାନଫସଲ ଖାଇବା ପାଇଁ ହାତୀପଲ ସେହି ରାସ୍ତା ଦେଇ ଯିବା ଆସିବା କରନ୍ତି । ଏବେ ଭରତପୁର ଜଙ୍ଗଲରେ ୧୫ ଏବଂ ଚନ୍ଦକା ଜଙ୍ଗଲରେ ୨୨ ହାତୀ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!