ଆମେରିକାର ନ୍ୟୁୟର୍କ ସହରରେ ଗୁଳିକାଣ୍ଡ, ୧୩ ଗୁରୁତର

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହର ବ୍ରୁକଲିନରେ ଆଜି ଏକ ଗୁଳିକାଣ୍ଡ ହୋଇଛି । ଏକ ସବୱେ ଷ୍ଟେସନ ଭିତରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ଅତି କମରେ ୧୩ ଜଣ ବ୍ୟକ୍ତି ଗୁରୁତର ହୋଇଯାଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଶରୀରରେ ଗୁଳି ବାଜିଛି ଓ ଅନ୍ୟ ୮ ଜଣ ଧାଁ ଧଉଡ ବେଳେ ଆହତ ହୋଇଛନ୍ତି ।

Advertisement

ମିଳିଥିବା ସୂଚନା ଅନୁସାରେ ବ୍ରୁକଲିନ ଅଂଚଳରେ ଥିବା ସବୱେ ଷ୍ଟେସନରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ହଠାତ ଯାତ୍ରୀମାନଙ୍କ ଉପରକୁ ଗୁଳି ଚଳାଇବାରୁ ଅତି କମରେ ୧୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ପୁଣି ଘଟଣାସ୍ଥଳରୁ କେତେକ ଅଫୁଟା ବିସ୍ଫୋରକ ଜବତ ହୋଇଥିବା ନ୍ୟୁୟର୍କ ପୁଲିସ ସୂଚନା ଦେଇଛି ।

ଘଟଣାସ୍ଥଳରେ ଆହତ ବ୍ୟକ୍ତିମାନେ ଏଣେତେଣେ ପଡ଼ିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିର୍ମାଣ କାମ ବେଳେ ବ୍ୟବହୃତ ହେଉଥିବା ହଳଦିଆ ଜ୍ୟାକେଟ୍ ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଗୁଳିକାଣ୍ଡ ଘଟାଇଛି । ସେ ମଧ୍ୟ ଏକ ଗ୍ୟାସ ମାସ୍କ ପିନ୍ଧିଥିଲା । ଗୁଳି ଚଳାଇବା ପୂର୍ବରୁ ସେ ଏକ ସ୍ମୋକ ଡିଭାଇସ (ଗ୍ୟାସ ସୃଷ୍ଟିକାରୀ ଉପକରଣକୁ) ଖୋଲିଦେଇଥିଲା । ବ୍ରୁକଲିନର ୩୬ଷ୍ଟ୍ରିଟ୍ ସବୱେ ଷ୍ଟେସନ ଓ ଫୋର୍ଥ୍ ଆଭେନ୍ୟକୁ ନ ଯିବାକୁ ପୁଲିସ ପକ୍ଷରୁ ଲୋକମାନଙ୍କୁ କୁହାଯାଇଛି । ପୁଲିସ ଏହି ଅଂଚଳକୁ ସିଲ କରି ତଦନ୍ତ ଆରମ୍ଭ କରିଛି । ନ୍ୟୁୟର୍କର ମେଟ୍ରୋ ପଲିଟାନ ଟ୍ରାଞ୍ଜିଟ୍ ଅଥରିଟି ପକ୍ଷରୁ କୁହାଯାଇଛି ଏହି ଷ୍ଟେସନ ଦେଇ ଯାଉଥିବା କେତେକ ଟ୍ରେନର ଚଳାଚଳକୁ ବନ୍ଦ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!