କୋମାରେ ଗଣଶିକ୍ଷା ବିିଭାଗ, ଗାଁ ଲୋକେ ଚାନ୍ଦା କରି ନିଯୁକ୍ତି କଲେ ଶିକ୍ଷକ

ଗଞ୍ଜାମ -: ସମଗ୍ରଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସ୍ମାର୍ଟସ୍କୁଲ୍ ପରିକଳ୍ପନା ଓ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଚକିତ କଲା ଭଳି ଘଟଣା ନଜରକୁ ଆସିଛି ।

Advertisement

ଗଞ୍ଜାମ ବ୍ଲକ୍ ଅଧୀନ ରାମଗଡ଼ ପଞ୍ଚାୟତ ଏନ୍‌.ବରପଲ୍ଲୀ ଗ୍ରାମରେ ଥିବା ୬୨ ବର୍ଷ ପୁରାତନ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ୪୧ ଜଣ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅଭିଭାବକ ମଧ୍ୟ ବିଚଳିତ ହୋଇ ପଡ଼ିଛନ୍ତି । ଗତ ୨ ବର୍ଷ ହେଲା ପିଲାଏ ପାଠପଢ଼ାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗ୍ରାମବାସୀ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କରି ଜଣେ ଶିକ୍ଷିତ ଯୁବକଙ୍କୁ ମାସିକ କିଛି ଦରମା ଦେଇ ୪୧ ଜଣ ପିଲାଙ୍କ ପଢ଼ା ଜାରି ରଖିଛନ୍ତି ।

watch now (subscribe our chhanel)

୧୯୬୦ ମସିହାରେ ଏନ୍‌.ବରପଲ୍ଲୀ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟି ପ୍ରତିଷ୍ଠା ହୋଇଥିଲା । ଉକ୍ତ ପଞ୍ଚାୟତର ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିଲେ । କାଳକ୍ରମେ ଆଖପାଖ ଅଞ୍ଚଳରେ ଏକାଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପରେ ଏହି ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଏକଦା ଏହି ବିଦ୍ୟାଳୟରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ । କିନ୍ତୁ ଅନ୍ୟ ଗ୍ରାମରେ ବିଦ୍ୟାଳୟ ଖୋଲିବା ଫଳରେ କ୍ରମେ ପିଲା ସଂଖ୍ୟା ୨୦ ତଳକୁ ଖସି ଆସିଥିଲା ।

https://youtu.be/ExL-HskqlUs
watch now (subscribe our chhanel)

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ନିୟମ ପ୍ରକାରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଫର୍ମୁଲାରେ ଏହି ବିଦ୍ୟାଳୟ ବନ୍ଦ ହେବା ତାଲିକାଭୁକ୍ତ ହୋଇଗଲା । ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରି ଏନ୍‌.ବରପଲ୍ଲୀ ଗ୍ରାମବାସୀ ଗଞ୍ଜାମ ବିଇଓ ଅଫିସ୍ ଘେରାଉ କରିଥିଲେ । ତତ୍କାଳୀନ ଗଞ୍ଜାମ ବ୍ଲକ୍ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଘଡ଼େଇ ଓ ଗ୍ରାମବାସୀଙ୍କ ମଧ୍ୟରେ ୨୦୨୦ ନଭେମ୍ବର ୧୩ ତାରିଖରେ ଏକ ବୈଠକ ବସିଥିଲା । ବୈଠକରେ ଗ୍ରାମବାସୀ ୨୦ରୁ ଅଧିକ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇଲେ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ଶିକ୍ଷାଧିକାରୀ ଶ୍ରୀ ଘଡ଼େଇ ପ୍ରତିଶ୍ରୁତି ଦେଇଥିଲେ ।

ଏହାପରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟରେ ୧୦, ତୃତୀୟରେ ୪, ଚତୁର୍ଥରେ ୧୨ ଓ ପଞ୍ଚମ ଶ୍ରେଣୀରେ ୯ ଜଣ ପିଲାଙ୍କ ନାମ ଲେଖାଇଲେ । ୨୦୨୦ ଶିକ୍ଷାବର୍ଷ ଅଧାରୁ କିନ୍ତୁ ବନ୍ଦ ତାଲିକାରେ ଥିବା ଏହି ବିଦ୍ୟାଳୟର ବଦଳି ହୋଇ ଯାଇଥିବା ଶିକ୍ଷକ ଆଉ ଫେରିଲେନି କି ସରକାରୀ ଯୋଜନାରୁ ଆଉ ପିଲା ଉପକୃତ ହେଲନାହିଁ । ଦୁଇ ବର୍ଷ ହେଲା ବିଦ୍ୟାଳୟରେ ପିଲା ସଂଖ୍ୟା ୪୧ ଥିଲେ ମଧ୍ୟ ତାଲା ଝୁଲୁଛି । ପ୍ରତିଶ୍ରୁତି ଦେଇଥିବା ତତ୍କାଳୀନ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଘଡ଼େଇ କାର୍ଯ୍ୟରୁ ଅବସର ନେଇ ସାରିଲେଣି ।

watch now (subscribe our chhanel)

ବର୍ତ୍ତମାନ ବ୍ଲକ୍ ଶିକ୍ଷାଧିକାରୀ ଥିବା ଭାଗୀରଥି ବେହେରାଙ୍କୁ ଅଭିଯୋଗ କରିବାରୁ ସେ ବିଦ୍ୟାଳୟ ସଂପର୍କିତ ଫାଇଲ୍‌, ସମସ୍ତ ତଥ୍ୟ ଗଣଶିକ୍ଷା ବିଭାଗକୁ ପଠାଯାଇଛି ଓ ଆମ ହାତରେ କିଛି ନାହିଁ ବୋଲି ହାତ ଟେକି ଦେଇଛନ୍ତି । ଅନ୍ୟପକ୍ଷରେ ଏଠାରେ ନାମ ଲେଖାଇଥିବା ୪୧ ଜଣ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!