ଆନ୍ଧ୍ର ଦଲାଲଙ୍କ କବଜାରେ କଳାହାଣ୍ଡିର ପିଆଜ ଚାଷୀ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ


କଳାହାଣ୍ଡି /ଭବାନୀପାଟଣା -: ଏବେ ପିଆଜ ଅମଳ ଋତୁ । ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା ନଥିବାରୁ କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଛତିଶଗଡ଼ୀ ବେପାରୀଙ୍କ କବ୍‌ଜାରେ ପିଆଜ ବିକ୍ରି ବ୍ୟବସ୍ଥା । ଚାଷୀ ଅତି ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କେଜି ପିଛା ୩ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ମାତ୍ର ୫ଟଙ୍କାରେ ବିକ୍ରି କରୁଛନ୍ତି । ଗତ ସପ୍ତାହରେ ୫ ଟଙ୍କାରେ ବିକୁଥିଲେ । ବର୍ତ୍ତମାନ ଛତିଶଗଡ଼ୀ ବେପାରୀ ମାଡ଼ିଆସିବାରୁ କେଜି ପିଛା ୬ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପିଆଜ ଛତିଶଗଡ଼ ଗଲା ପରେ ସେଠାରୁ ପୁଣି ଓଡ଼ିଶାକୁ ଆସି ଚଢ଼ା ଦରରେ ବିକ୍ରି ହେବ । ବର୍ତ୍ତମାନ ଦୋକାନଗୁଡ଼ିକରେ ପିଆଜ ମୂଲ୍ୟ କେଜିପିଛା ୨୦ ଟଙ୍କା ରହିଛି । ଗତ ଜାନୁଆରିରେ ପିଆଜ ଦର ଦୋକାନରେ ୩୦ରୁ ୩୫ ଟଙ୍କା ରହିଥିଲା ।

Advertisement

କଳାହାଣ୍ଡି ଜିଲ୍ଲାରେ ପିଆଜ ଚାଷୀ ନାକେଦମ


ପ୍ରକାଶ ଯେ ଏବେ ମାଳ ମାଳ ଛତିଶଗଡ଼ୀ ବେପାରୀ ପିଆଜ ନେବା ପାଇଁ ଦଲାଲ ଜରିଆରେ କଳାହାଣ୍ଡି ଜିଲ୍ଲାର ଗାଁଗୁଡ଼ିକରେ ଗଜି ରହୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଆବଶ୍ୟକ ଶୀତଳଭଣ୍ଡାର ନଥିବା ବେଳେ ସରକାରଙ୍କ ପିଆଜ ଘର ଧର୍ମକୁ ଆଖିଠାର ଭଳି ସାଜିଛି । ପିଆଜ ଚାଷୀଙ୍କ ଦୁଃଖ କେବେ ଦୂର ହେବ ଓ ରାଜ୍ୟ ସରକାର କେବେ ଚାଷୀଙ୍କ ପାଇଁ ଯତ୍ନବାନ ହେବେ ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ୍‌, କେସିଙ୍ଗା, ନର୍ଲା, ଧର୍ମଗଡ଼, ଗୋଲାମୁଣ୍ଡା ଆଦି ବ୍ଲକ୍‌ରେ ଚାଷୀମାନେ ପିଆଜ ଚାଷ କରୁଥିବା ଦେଖିବାକୁ ମିଳେ । ସଦର ବ୍ଲକ୍‌ର ଅର୍ତ୍ତଲ, ପଲନା, ଡୁମରିଆ, ବୋର୍ଡା, ସିକୁଆଁ, ମାଦିଗୁଡ଼ା, ମାଟିଆ, ସେଁପୁର, ବୋରଭଟା, କେନ୍ଦୁପାଟି, ଗୁର୍ଜୁଙ୍ଗ ଆଦି ପଞ୍ଚାୟତରେ ପିଆଜ ଚାଷ ହୋଇଥାଏ ।

କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ୨୪୫୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି । ବେସରକାରୀ ଭାବେ ଏହାର ଚାଷ ଯଥେଷ୍ଟ ଅଧିକ ଅଟେ । ଜିଲ୍ଲାରେ ଚାଷୀଙ୍କ ଦ୍ୱାରା ୧୮୭ଟି ପିଆଜଘର ନିର୍ମାଣ କରାଯାଇଛି । ପିଆଜର ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛତିଶଗଡ଼ୀ ଦଲାଲମାନେ କଳାହାଣ୍ଡି ଜିଲ୍ଲାର ପିଆଜ ଚାଷୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ପିଆଜ କିଲୋ ୫ରୁ ୬ଟଙ୍କା ମଧ୍ୟରେ କ୍ରୟ କରି ମୁନାଫା କମାଉଥିବା ବେଳେ ଚାଷୀମାନେ କଷ୍ଟଉପାର୍ଜିତ ଚାଷକୁ ଅତି ଶସ୍ତା ଦରରେ ଦଲାଲ ହାତକୁ ଟେକିବାକୁ ବାଧ୍ୟ ହେଉଛନ୍ତି । ସମସ୍ତ ଖର୍ଚ୍ଚକୁ ହିସାବ କଲେ ପିଆଜର ଉତ୍ପାଦନ ଖର୍ଚ୍ଚ କେଜିପିଛା ୩ଟଙ୍କା ରହୁଛି । ଏହାଛଡ଼ା ସେମାନଙ୍କ ପାରିଶ୍ରମିକ, ପରିବହନ ଖର୍ଚ୍ଚ ଅଲଗା ରହୁଛି ।

ଏତେ ଖର୍ଚ୍ଚ କଲା ପରେ ସେମାନେ କେଜିପ୍ରତି ୫ଟଙ୍କାରେ ବିକ୍ରି କରିବା ଫଳରେ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷ ସମୟରେ ସାର ବିହନ ଓ ଅଣୁସାର ବାବଦକୁ ଖର୍ଚ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାଛଡ଼ା ଅଦିନିଆ ବର୍ଷା ଓ ରୋଗପୋକ ଯୋଗୁଁ ମଧ୍ୟ ପିଆଜ ଚାଷ କ୍ଷତିଗ୍ରସ୍ତ ହେଉଛି । ଅମଳ ହେଲା ବେଳକୁ ଲାଭ କମ, କ୍ଷତି ଅଧିକ ସହିବାକୁ ପଡୁଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଷ୍ଟୋରେଜ ବ୍ୟବସ୍ଥା ନଥିବା ଓ ସରକାରଙ୍କ ତରଫରୁ ପିଆଜ କ୍ରୟ ପାଇଁ କୈାଣସି ବ୍ୟବସ୍ଥା ନଥିବା ଯୋଗୁଁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ପିଆଜ ମଣ୍ଡି ନଥିବା ଯୋଗୁଁ ଚାଷୀ ବିକ୍ରି କରିବା ପାଇଁ ଉପଯୁକ୍ତ ବଜାର ପାଇପାରୁ ନାହିଁ । ସାପ୍ତାହିକ ହାଟଗୁଡ଼ିକୁ ବିକ୍ରି କରିବା ପାଇଁ ଆଣିବା ପୂର୍ବରୁ ଦଲାଲମାନେ ଚାଷୀ ଦୁଆରେ ପହଞ୍ଚି ମୂଲଚାଲ କରି ଶସ୍ତାରେ କିଣି ନେଉଛନ୍ତି । ଏହି ପିଆଜ ଛତିଶଗଡ଼ ଗଲା ପରେ ରାୟପୁରରୁ ପୁନର୍ବାର ଚଢ଼ା ଦରରେ କଳାହାଣ୍ଡି ଆସି ଦୋକାନଗୁଡ଼ିକରେ ଗ୍ରାହକମାନେ କିଣୁଛନ୍ତି । କଳାହାଣ୍ଡି ପିଆଜକୁ ଦଲାଲ କବଳରୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ପିଆଜ ମଣ୍ଡି ଖୋଲିଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!