ଔଷଧୀୟ ମଶାରିର କ୍ରୟ, ବିତରଣ ନେଇ ରୋକ୍ ଲଗାଇଲେ ଓଏଚ୍‌ଆରସି

ଭୁବନେଶ୍ବର -: ଔଷଧୀୟ ମଶାରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। ଔଷଧୀୟ ମଶାରି ନେଇ ଜାରି ହୋଇଥିବା ଏସ୍‌ଓପିରେ ଅତିକମ୍‌ରେ ୩ବର୍ଷ ପାଇଁ ଏହାର ମୂଲ୍ୟାୟନ/ପରୀକ୍ଷା ଜରୁରୀ ରହିଛି। ମାତ୍ର ଏହାକୁ ଠିକଣା ଢଙ୍ଗରେ ପାଳନ ହେଉ ନ ଥିବା ନେଇ ରାଜ୍ୟ ମାନବାଧିକାର କମିସନ ବା ଓଏଚ୍‌ଆରସି‌ରେ ଅଭିଯୋଗ ହୋଇଛି। ଅଭିଯୋଗର ଗମ୍ଭୀରତାକୁ ବିଚାର କରି ପରବର୍ତୀ ନିର୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଔଷଧୀୟ ମଶାରୀର କ୍ରୟ ଓ ବିତରଣ ଉପରେ ଓଏଚ୍‌ଆରସି ରୋକ୍ ଲଗାଇଛନ୍ତି।

Advertisement

ଗତବର୍ଷ ଜଣେ ଆବେଦନକାରୀ ଓଏଚ୍‌ଆରସିଙ୍କ ନିକଟରେ ଔଷଧୀୟ ମଶାରୀ ନେଇ ଏକ ପିଟିସନ୍ ଦାଖଲ କରିଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ ରାଜ୍ୟରେ ମ୍ୟାଲେରିଆ/ଡେଙ୍ଗୁ ରୋକିବା ପାଇଁ ଔଷଧୀୟ ମଶାରି ବଣ୍ଟନ କରାଯାଉଛି। କିନ୍ତୁ ଏଥିପାଇଁ ଜାରି ହୋଇଥିବା ମାନଦଣ୍ଡର ଖିଲାପ ହେଉଛି। ଯାହାକି ରାଜ୍ୟର ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଅଭିଯୋଗର ତର୍ଜମା କରି କମିସନ ବିତରଣ/କ୍ରୟ ନ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଓଏଚ୍‌ଆରସିଙ୍କ ରିପୋର୍ଟ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତୀୟ ଆବଶ୍ୟକ ତଥ୍ୟ ରାଜ୍ୟ ସରକାରଙ୍କୁ ପଠାଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ଏ ସଂପର୍କିତ ରିପୋର୍ଟ ଓଏଚ୍‌ଆରସିଙ୍କୁ ପ୍ରଦାନ କରିବେ। ତେବେ ଏ ସଂକ୍ରାନ୍ତୀୟ ଅନ୍ତିମ ନିର୍ଦେଶନାମା ପ୍ରକାଶ ପାଇ ନ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟ ସରକାର ୧.୧୩କୋଟି ଔଷଧୀୟ ମଶାରି ବଣ୍ଟନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତହିଁରୁ ଅନେକ ଔଷଧ ମଶାରି ବଣ୍ଟା ହୋଇସାରିଛି। ଅଳ୍ପ ଔଷଧୀୟ ମଶାରି ବଣ୍ଟାଯିବାକୁ ରହିଛି। ରାଜ୍ୟରେ ଏବେ ମ୍ୟାଲେରିଆ ସଂକ୍ରମଣ କିଛିବର୍ଷ ଧରି ହ୍ରାସ ପାଉଛି। ଏହି ହ୍ରାସରେ ଔଷଧୀୟ ମଶାରୀର ଏକ ପ୍ରମୁଖ ଭୂମିକା ରହିଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହୁଛନ୍ତି। ତେବେ ଓଏଚ୍‌ଆରସିଙ୍କ ପରବର୍ତୀ ନିର୍ଦେଶନାମା ଆସିବା ପରେ ହିଁ ଔଷଧୀୟ ମଶାରି ବଣ୍ଟନ କରାଯିବ କି ନାହିଁ ତାହା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!