ଏସ୍‌‌ସିବିରେ ଖତ ଖାଉଛି ପେଟି ପେଟି ଔଷଧ, ସରକାର କା ମାଲ୍ ଦରିଆ ମେ ଡାଲ୍‌

କଟକ -: ଏସ୍‌‌ସିବିରେ ଗଦା ହୋଇ ପଡ଼ିଛି ପେଟି ପେଟି ଔଷଧ । କେଉଁ ଔଷଧ ଅଧା ଖୋଲା ହୋଇ ପଡ଼ିଛି ତ ପୁଣି କାହାର ପେଟି ସବୁ ଫାଟି ଗଲାଣି । ରାଜ୍ୟ ଔଷଧ ନିଗମ (ଓଏସ୍‌‌ଏମ୍‌‌ସିଏଲ୍‌‌) ପକ୍ଷରୁ ନିରାମୟ ଏବଂ ବିଏସ୍‌‌କେୱାଇ ଯୋଜନାରେ ଆସିଥିବା ଔଷଧ ରୋଗୀଙ୍କୁ ବଣ୍ଟନ ନହୋଇ ଏଭଳି ନଷ୍ଟ ହେଉଛି । ଏଭଳି ଢଙ୍ଗରେ ଲକ୍ଷାଧିକ ଟଙ୍କ‌ାର ଔଷଧର ଏକ୍ସପାରି ତାରିଖ ଚାଲିଗଲାଣି । ଯଦି ଏହି ଔଷଧର ଆବଶ୍ୟକତା ନଥିଲା ତାହେଲେ ତାକୁ ଯୋଗାଣ ହୋଇଥିଲା କଣ ପାଇଁ ବୋଲି ଏବେ ପ୍ରଶ୍ନ ଉଠୁଛି । ଏପଟେ କରୋନା ପାଇଁ ରୋଗୀ ସଂଖ୍ୟା କମିବାରୁ ଔଷଧ ଏଭଳି ଏକ୍ସପାରି ହୋଇଯାଇଥିବା ଏସ୍‌‌ସିବିର ଷ୍ଟୋର ମେଡିସିନ୍‌‌ ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି ।

Advertisement

କଟକ ବଡ଼ଡାକ୍ତରଖାନାକୁ ନିରାମୟ ଓ ବିଏସ୍‌‌କେୱାଇ ଯୋଜନାରେ ଓଏସ୍‌‌ଏମ୍‌‌ସିଏଲ୍‌‌ ପକ୍ଷରୁ ଔଷଧ ଯୋଗାଣ ହୋଇଥାଏ । ତେବେ ଏସ୍‌‌ସିବିକୁ ଆସୁଥିବା ଔଷଧ ମଧ୍ୟରୁ ପ୍ରତିବର୍ଷ ପେଟି ପେଟି ଔଷଧ ବ୍ୟବହାର ନହୋଇ ଖତ ଖାଉଛି । ମେଡିକାଲ ଷ୍ଟୋର ପକ୍ଷରୁ ପ୍ରତି ତିନି ମାସ‌ରେ କେଉଁ କେଉଁ ଔଷଧର ଏକ୍ସପାରି ବା ଅବଧି ତାରିଖ ସରିବାକୁ ବସୁଛି, ତାର ତାଲିକା ପ୍ରସ୍ତୁତ କରାଯାଇ ସବୁ ବିଭାଗକୁ ପଠାଯାଉଥିଲା । ସେହି ଔଷଧର ଆଗ ଚିଠା ଲେଖିବାକୁ ଡାକ୍ତରଙ୍କୁ ଦିଆଯାଉ ଥିଲା । କିନ୍ତୁ ସେଥିରେ କୗଣସି ସୁଫଳ ନ ମିଳି ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇଥିବା ବେଳେ ଏପଟେ ଔଷଧ ନଥିବାରୁ ସ୍ୱୀକୃତିପ୍ରାପ୍ତ ଦୋକାନରୁ ଦାମୀ ଔଷଧ ସବୁ ବିଏସ୍‌‌କେୱାଇରେ କିଣାଯାଉଛି ।

ଓଏସ୍‌‌ଏମ୍‌‌ସିଏଲ୍‌‌ ପକ୍ଷରୁ ଔଷଧ ଠିକ୍‌‌ ଭାବରେ ଆସୁ ନଥିବା ଦର୍ଶାଯାଇ ଏଭଳି ବାହାରୁ କିଣାଯାଉଛି ଔଷଧ । ଏସ୍‌‌ସିବି ଷ୍ଟୋର ଟେକ୍ନିକାଲ ଅଫିସର କହିବା ଅନୁଯାୟୀ କରୋନା ସମୟରେ ରୋଗୀ ସଂଖ୍ୟା ହ୍ରାସ ପାଇବାରୁ ଔଷଧ ବ୍ୟବହାର ନ ହୋଇ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏସବୁ ଔଷଧ ୱେୟାର ହାଉସ୍‌‌ର ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଏ ସଂପର୍କରେ ‌ୱେୟାର ହାଉସ୍‌‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଯାହା ଔଷଧ ଆସିଛି, ସେସବୁକୁ ଏସ୍‌‌ସିବିକୁ ଦେଇଛୁ । ତାଙ୍କ ପାଖରେ କେତେ ଔଷଧ ଏକ୍ସପାରି ହେଲା, ତାର ତଥ୍ୟ ନାହିଁ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *