‘ମୋ ବସ୍‌’ ଯାତ୍ରୀ ବିଶ୍ରାମଗାରାରେ ସଂଜ ବୁଡ଼ୁବୁଡ଼ୁ ବଢୁଛି ଅସାମାଜିକ ଲୋକଙ୍କ ଆଡ଼ା

ଭୁବନେଶ୍ୱର -: ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳର କଥା । ୟୁନିଟ୍‌‌-୩ ଅଞ୍ଚଳର ମୋନାଲିସା ମହାନ୍ତି(ଛଦ୍ମନାମ) ନିୟୁ ଏଜି କଲୋନି ମୋ ବସ୍‌‌ ଷ୍ଟପ୍‌‌ରେ ବସ୍‌‌କୁ ଅପେକ୍ଷା କରିଥିଲେ । ଅନ୍ଧାର ହୋଇସାରିଥିଲେ ବି ବସ୍‌‌ ଷ୍ଟପ୍‌‌ର ଲାଇଟ୍ କିଛି ଜଳୁନଥିଲା । ତେଣୁ କିଟିମିଟି ଅନ୍ଧାର ଭିତରେ ମୋନାଲିସା ଏକୁଟିଆ ବସ୍‌‌କୁ ଅପେକ୍ଷା କଲା ବେଳେ ଭୟଭୀତ ହୋଇପଡ଼ିଥିଲେ । ସତକୁ ସତ ସେତିକିବେଳେ ୪/୫ ଜଣ ଯୁବକ ସେଠାରେ ପହଞ୍ଚି ନିଶାସେବନ ଆରମ୍ଭ କରିଦେଇଥିଲେ । କିଛି ଅଘଟଣ ଘଟିବା ଆଶଙ୍କାରେ ମୋନାଲିସା ସେଠାରୁ ଚାଲିଯିବାକୁ ବାହାରିବା ବେଳେ ସୌଭାଗ୍ୟକୁ ‘ମୋ ବସ୍‌‌’ ପହଞ୍ଚିଯାଇଥିଲା ଓ ମୋନାଲିସା ଭଗବାନଙ୍କୁ ଡାକି ବସ୍‌‌ରେ ଉଠିଯାଇଥିଲେ । ସଂଜ ନଇଁଲେ ରାଜଧାନୀର ବହୁ ମୋ ବସ୍‌‌ ରହଣିସ୍ଥଳର ସ୍ଥିତି ଏମିତି । ରାଜଧାନୀବାସୀଙ୍କୁ ବ୍ୟବସ୍ଥିତ ଓ ସୁରକ୍ଷିତ ବସ୍ ସେବା ଯୋଗାଇ ଦେବା ଲକ୍ଷ୍ୟରେ ‘ମୋ ବସ୍‌‌’ ସେବା ଚାଲିଛି । କିନ୍ତୁ ରାଜଧାନୀର ଅଧିକାଂଶ ମୋ ବସ୍‌‌ ଷ୍ଟପ୍‌‌ ଅସଜଡ଼ା ଅବସ୍ଥାରେ ପଡ଼ିଛି ।

Advertisement

ବହୁ ବସ୍‌‌ ରହଣିସ୍ଥଳରେ ଘୋର ଅବ୍ୟବସ୍ଥା ଲାଗିରହିଛି । କେଉଁଠି ସୂଚନା ସମ୍ପର୍କିତ ଫଳକ ନାହିଁ ତ କେଉଁଠି ଲାଇଟ୍‌‌ ଜଳୁନାହିଁ । କେଉଁଠି ଚେୟାର ଭାଙ୍ଗିଗଲାଣି ତ କେଉଁଠି ଅଳିଆ ଆବର୍ଜନା ଗଦା ହୋଇ ରହୁଛି । ବଡ଼ କଥା ହେଉଛି, ଅଧିକାଂଶ ବସ୍ ରହଣିସ୍ଥଳରେ ଅଣଯାତ୍ରୀଙ୍କ ଆଡ଼ା ଜମୁଥିବାରୁ ବସ୍ ଯାତ୍ରୀମା‌ନେ ସୁରକ୍ଷିତ ମଣୁନାହାନ୍ତି । ବିଶେଷକରି ସନ୍ଧ୍ୟା ହେଉହେଉ ବହୁ ବସ୍‌‌ ରହଣିସ୍ଥଳ ଅସାମାଜିକ ତତ୍ତ୍ୱଙ୍କ ଆଡ଼ା ପାଲଟିଯାଉଛି । କୌଣସି ବସ୍‌‌ ରହଣିସ୍ଥଳରେ ସିସି କ୍ୟାମେରା ବ୍ୟବସ୍ଥା ନଥିବାରୁ ଏହା ଅସାମାଜିକ ତତ୍ତ୍ୱଙ୍କୁ ବେଶ୍ ସୁହାଉଛି । ରାଜଧାନୀରେ ୨୮ଟି ରୁଟ୍‌‌ରେ ୨୦୦ ‘ମୋ ବସ୍‌’ ଚାଲୁଛି ।

ସମଗ୍ର ସହରରେ ୨୨୫ଟି ବସ୍ ରହଣିସ୍ଥଳ ନିର୍ମାଣ କରାଯାଇଛି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ଏହସବୁ ବସ୍‌‌ଷ୍ଟପ୍‌‌ ନିର୍ମାଣରେ ପ୍ରାୟ ୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି । ଏହି ସବୁ ବସ୍‌‌ ଷ୍ଟପ୍‌‌ରେ ଯାତ୍ରୀଙ୍କ ବସିବା ପାଇଁ ଭଲ ଚେୟାର ରହିବା ସହ ସୂଚନା ଦେବା ପାଇଁ ଡିଜିଟାଲ ଫଳକ ରହିବା ନିୟମ ରହିଛି । ଏହି ସୂଚନା ଫଳକରୁ ଯାତ୍ରୀମାନେ ସମ୍ପୃକ୍ତ ରୁଟ୍‌‌ରେ ଚଳାଚଳ କରୁଥିବା ବସ୍‌‌ ଓ ସମୟ ସମ୍ପର୍କରେ ତଥ୍ୟ ପାଇପାରିବେ । କିନ୍ତୁ ପରିତାପର କଥା ହାତଗଣତି କିଛି ବସ୍‌‌ ଷ୍ଟପ୍‌‌କୁ ଛାଡ଼ିଦେଲେ, ଅଧାରୁ ଅଧିକ ବସ୍ ଷ୍ଟପ୍‌‌ଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ । କେଉଁଠି ଚେୟାର ଧଡ଼ଧଡ଼ ହେଉଛି ତ କେଉଁଠି କିଛି ଚେୟାର ଉଠି ଗାଏବ୍ ହୋଇଗଲାଣି । ବହୁ ବସ୍‌‌ ଷ୍ଟପ୍‌‌ରେ ଡିଜିଟାଲ ସୂଚନା ଫଳକ ବହୁ ଦିନ ଧରି ଅଚଳ ହୋଇପଡ଼ିଛି । ତେଣୁ କେଉଁ ବସ୍‌‌ କେତେବେଳେ ଆସିବ, ଯାତ୍ରୀ ବୁଝିବା ମୁସ୍କିଲ ।

ବେଳେବେଳେ ବସ୍ ରହୁନି ତ ବେଳେବେଳେ ଗୋଟିଏ ବସ୍ ଷ୍ଟପ୍‌‌ରେ ଏକା ସାଙ୍ଗରେ ୨ରୁ ୩ ବସ୍ ଲାଗିଯାଉଛି । ଫଳରେ ଯାତ୍ରୀମାନେ ଦ୍ୱନ୍ଦ୍ୱରେ ପଡ଼ି କେଉଁ ବସ୍‌‌ରେ ଚଢ଼ିବେ ବୋଲି ଧାଁ ଧଉଡ଼ କରିବାକୁ ବାଧ୍ୟ ହେଉଛନ୍ତି । ପୁରୀ କେନାଲ୍‌‌ରୋଡ୍‌‌, ଦ ୱାର୍ଲଡ୍‌‌, ସିଆ‌ର୍ପି, ରାଜଧାନୀ କଲେଜ୍‌, କିଟସ୍ ହସ୍ପିଟାଲରୋଡ୍‌‌, ଡୁମୁଡୁମା, ଡମଣା, ଶୈଳଶ୍ରୀବିହାର ଫେଜ୍‌-୨ ଭଳି ଅନେକ ବସ୍ ଷ୍ଟପ୍‌‌ରେ ରାତିରେ ଲାଇଟ୍ ଜଳୁନି । ସେହିପରି ଜୟଦେବ ବାଟିକା ବସ୍ ଷ୍ଟପ୍‌‌ରେ ଅନ୍ଧାର ରାଜୁତି କରୁଛି । ଫଳରେ ଏଭଳି ବସ୍ ରହଣିସ୍ଥଳ ମଦ ପିଇବାକୁ ଉପଯୁକ୍ତ ସ୍ଥାନ ପାଲଟିଛି । ଟିକିଏ ଅନ୍ଧାର ହେଉହେଉ ଅସାମାଜିକ ଯୁବକମାନେ ସେଠାରେ ବୋତଲ ଠିପି ଖୋଲି ବସିଯାଉଛନ୍ତି ଓ ମହିଳା ଯାତ୍ରୀମାନଙ୍କୁ ଅଶ୍ଳୀଳ ଇଂଗିତ ଓ କମେଣ୍ଟ୍ ମାରୁଛନ୍ତି । ରସୁଲଗଡ଼ ବସ୍ ଷ୍ଟପ୍‌‌ରେ ‘ମୋ ବସ୍‌‌’ ରହଣିର ଠିକଣା କିଛି ନାହିଁ ବୋଲି ଅଭିଯୋଗ ହେଉଛି । ଆପୋଲୋ ହସ୍ପିଟାଲ୍ ସମ୍ମୁଖ ବସ୍ ଷ୍ଟପ୍‌‌ଟି ଦୃଷ୍ଟି ଅଢୁଆଳରେ ରହିଯାଉଛି ।

ଶୈଳଶ୍ରୀବିହାର ଫେଜ୍‌‌-୨ ବସ୍ ଷ୍ଟପ୍ ଭାଙ୍ଗିରୁଜି ଦୟନୀୟ ଅବସ୍ଥାରେ ପଡ଼ିରହିଛି । କିଛି ବସ୍ ଷ୍ଟପ୍‌‌ରେ ଯାଯାବରଶ୍ରେଣୀୟ ଲୋକ ଓ ମାନସିକବିକାରଗ୍ରସ୍ତ ଆସ୍ଥାନ ଜମାଇ ରହୁଛନ୍ତି । ଫଳରେ ଯାତ୍ରୀମାନେ ବସ୍‌‌କୁ ଅପେକ୍ଷା କଲା‌ବେଳେ ସମସ୍ୟାରେ ପଡ଼ୁଛନ୍ତି । ଏନେଇ କ୍ରୁଟ୍‌‌ ପକ୍ଷରୁ ନିବେଦିତା କହିଛନ୍ତି ଯେ ଅବ୍ୟବସ୍ଥିତ ଅବସ୍ଥାରେ ଥିବା ବସ୍ ଷ୍ଟପ୍ ଗୁଡିକର ନିୟମିତ ରକ୍ଷଣାବେକ୍ଷଣ କରାଯାଉଛି । ଏକ ସ୍ୱତନ୍ତ୍ର ଟିମ୍ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବା ପରେ ମରାମତି କରାଯାଉଛି । ଯେଉଁ ବସ୍ ଷ୍ଟପ୍ ବେଶି ଖରାପ ହୋଇପଡ଼ିଥାଏ, ତାହାକୁ ପ୍ରାଥମିକତା ଭିତ୍ତିରେ ମରାମତି କରାଯାଇଥାଏ । ତେବେ ବସ୍ ଷ୍ଟପ୍‌‌ରେ ସିସିଟିଭି କ୍ୟାମେରା ଲଗାଯିବା ବିଷୟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!