ପୁଣି ଓଡିଶାରେ ପଶି ଦାଦାଗିରି ଦେଖାଇଲା ଆନ୍ଧ୍ର : ‘ବସୁଧା’ ଯୋଜନାକୁ ବନ୍ଦ କଲେ,ଠିକାଦାରଙ୍କ ନାଁରେ ଆନ୍ଧ୍ର ଥାନାରେ ଏତେଲା

ପଟାଙ୍ଗି -: ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର । ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଓଡ଼ିଶାରେ ରାଜ୍ୟ ସରକାର କରୁଥିବା ପ୍ରକଳ୍ପକୁ ଚାପ ପ୍ରୟୋଗ କରି ବନ୍ଦ କରିଦେଇଛନ୍ତି । ସୂଚନା ଅନୁଯାୟୀ, ବିବାଦୀୟ କୋଟିଆର ନେରେଡିବାଲାସା ଗାଁରେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଗାଁରେ ପାଇପ ବିଛାଇବା ପାଇଁ ରାସ୍ତାରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଅନୁପ୍ରବେଶ କରିଥିଲେ ।

Advertisement

ସାଲୁର ମଣ୍ଡଳର ଅଧିକାରୀ ଏଠାରେ କାମ କରିବାକୁ କିଏ ଅନୁମତି ଦେଲା ବୋଲି କାମରେ ନିୟୋଜିତ ଶ୍ରମିକଙ୍କୁ ପ୍ରଶ୍ନ କରିଥିଲେ । ଏହି ରାସ୍ତା ଆନ୍ଧ୍ର ସରକାର କରିଥିବାରୁ କୌଣସି ପରିସ୍ଥିତିରେ ବି ଖନନ ହୋଇପାରିବ ନାହିଁ ବୋଲି ପାଟିତୁଣ୍ଡ କରିଥିଲେ । ଏପରିକି ଏହି ଅଞ୍ଚଳ ଆନ୍ଧ୍ରର ବୋଲି ଏକତରଫା ବୟାନ ଦେଇ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି କାମ କରିବ, ତେବେ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଥିଲେ । ଯାହାଫଳରେ ଠିକାଦାର କାମ ବନ୍ଦ କରିଦେଇଥିବା ସୂଚନା ମିଳିଛି । ଓଡ଼ିଶାରେ ଏମିତି ଦାଦାଗିରି କରି କାମ ବନ୍ଦ କରିବା ପରେ ବି ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମନ ବୁଝି ନଥିଲା । ସଂପୃକ୍ତ ଠିକାଦାରଙ୍କ ବିରୋଧରେ ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ପରୋକ୍ଷରେ ଓଡ଼ିଶା ପକ୍ଷରୁ କୋଟିଆରେ କାମ କରୁଥିବା ସମସ୍ତ ଠିକାଦାରଙ୍କୁ ଏହା ଚେତାବନୀ ବୋଲି କୁହାଯାଉଛି ।

କାରଣ ଆଗକୁ ଯଦି କାମ ହୁଏ ତେବେ ଆନ୍ଧ୍ର ପୁଲିସ ଏଥିରେ ହସ୍ତକ୍ଷେପ କରିବା ସହ ଠିକାଦାରଙ୍କୁ ବି ଗିରଫ କରିପାରେ । ଗିରଫଦାରୀ ଭୟରେ ହୁଏତ କାମ କରିବାକୁ ଠିକାଦାର ସଂକୋଚ କରିବେ । ସେହି ଉଦ୍ଦେଶ୍ୟରେ ଥାନାରେ ଏତଲା ଦିଆଯାଇଥିବା ଅନୁମାନ କରାଯାଉଛି । ଆନ୍ଧ୍ରର ଅନୁପ୍ରବେଶ ଏବଂ ଚେତାବନୀ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ କିମ୍ବା ପଟାଙ୍ଗି ବ୍ଲକ୍‌‌ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତଥାପି ଆନ୍ଧ୍ରର ଏଭଳି ମନମାନିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପଟାଙ୍ଗି ଜୋନ୍‌‌-୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ମଧ୍ୟ ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି । ତେବେ ଓଡ଼ିଶାର ରଣନୀତିକୁ ପ୍ରତିହତ କରିବାକୁ ଆଗକୁ ଆନ୍ଧ୍ର ବଳ ପ୍ରୟୋଗ କରିବ ବୋଲି ଆଶଙ୍କା କରାଯାଉଛି । ଏଭଳି ପ୍ରୟାସର ମୁକାବିଲା ପାଇଁ ଓଡ଼ିଶା ପକ୍ଷରୁ ଆଗକୁ କ’ଣ ପଦକ୍ଷେପ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!