ଓଡ଼ିଶା ବିଶ୍ବବିଦ୍ୟାଳୟକୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ -: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି । ସଂ‌ଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ହେଲେ ହାଇକୋର୍ଟ ଜାନୁଆରି ୨୪, ୨୦୨୨ରେ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ରାୟରେ ଓଡ଼ିଶା ହାଇକୋର୍ଟ କହିଥିଲେ ଯେ ୟୁଜିସି ରେଗୁଲେସନ, ୨୦୧୮ର ସଂଶୋଧିତ ଅଧିନିୟମ ଓଭରଲାପିଂ ହୋଇନାହିଁ ।

Advertisement

ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍‌‌ଏଲ୍‌‌ପି ଦାଖଲ କରିଥିଲେ । ଆଜି ମାମଲାର ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌‌ ଏସ୍‌‌ ଅବଦୁଲ ନଜିର ଓ ଜଷ୍ଟିସ୍‌‌ କେ ମୁରାରୀଙ୍କ ଖଣ୍ଡପୀଠରେ ହୋଇଥିଲା । ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌‌, ୨୦୨୦ ଉପରେ ତିନିମ‌ାସ ପାଇଁ ସ୍ଥଗିତାଦେଶ ଜାରି କରିଛନ୍ତି । ଏଥିସହିତ ସର୍ବୋଚ୍ଚ ଅଦାଲତ ଓଡ଼ିଶାର ଆଡଭୋକେଟ୍‌‌ ଜେନେରାଲଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ ‌କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

ୟୁଜିସି ପକ୍ଷରୁ ଭାରତର ସଲିସିଟି‌ର୍ ଜେନେରାଲ ତୁଷାର ‌ମେହେଟା, ପ୍ରଫେସର ମହାନ୍ତିଙ୍କ ପକ୍ଷରୁ ଆଡଭୋକେଟ୍‌‌ ଅନ ରେକର୍ଡ ଜସମିତ ସିଂହ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଆଜିର ଶୁଣାଣିରେ ପକ୍ଷ ଉପସ୍ଥାପନ କରିଥିଲେ । ଆବେଦନକାରୀମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ ୟୁଜିସିର ୨୦୧୮ ରେଗୁଲେସନ ନୂତନ ନିୟମ ପ୍ରଣୟନ କରିବାର ଅଧିକାର ରାଜ୍ୟ ସରକାର କିମ୍ବା ବିଶ୍ୱବିଦ୍ୟାଳୟକୁ ଦିଆଯାଇନାହିଁ । ୟୁଜିସିର ୨୦୧୮ ରେଗୁଲେସନକୁ ରାଜ୍ୟମାନେ ଆପଣାଇବାକୁ ବାଧ୍ୟ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ୟୁଜିସି ଆଇନର ପରିପନ୍ଥୀ । ସଂଶୋଧିତ ଆଇନ ଜରିଆରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁଛନ୍ତି । ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତି, ପ୍ରଫେସରମାନଙ୍କ ନିଯୁକ୍ତିର ଯୋଗ୍ୟତା, ଅତିରିକ୍ତ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ଯୁଜିସି ମାନଦଣ୍ଡକୁ ଅଣଦେଖା କରି ଯଦି ରାଜ୍ୟ ସରକାର ନିଯୁକ୍ତି ନିଷ୍ପତ୍ତି ନେବେ, ତାହାହେଲେ ଦେଶରେ ଅରାଜକତା ହେବ । ସମଗ୍ର ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଘୋର ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଯୁକ୍ତି ଉପସ୍ଥାପନ କରିଥିଲେ । ଯଦି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ କାଏମ ରୁହେ ତାହାହେଲେ ଦେଶର ସମସ୍ତ ରାଜ୍ୟ ଅଧ୍ୟାଦେଶ ବଳରେ ଆଇନ ଲାଗୁ କରିବେ ଯାହା ୟୁଜିସି ପାଇଁ ହାନିକାରକ ସାବ୍ୟସ୍ତ ହେବ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ତୁରନ୍ତ ରୋକ ଲଗାଯାଉ ବୋଲି ଆବେଦନକାରୀ ଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା ।
ଅପରପକ୍ଷେ ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା କହିଥିଲେ ଯେ ରାଜ୍ୟ ସରକାର ଯେଉଁ ଆଇନ ଆଣିଛନ୍ତି ତାହା ବଳବତ୍ତର ରହୁ । ଅଭିଯୋଗକାରୀଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବା ଦାବିକୁ ‌ସେ ଜୋରଦାର ବିରୋଧ କରିଥିଲେ । ଅଭିଯୋଗକାରୀଙ୍କ ଦ୍ୱାରା ଯେଉଁ ସବୁ ଯୁକ୍ତି ଦର୍ଶାଯାଇଛି ସେ ସବୁର ଉତ୍ତର ରଖିବା ପାଇଁ ସେ କାଉଣ୍ଟର ପିଟିସନ ଦାଖଲ କରିବେ ବୋଲି ଖଣ୍ଡପୀଠଙ୍କୁ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ କ୍ୟାଭିଏଟ ଦାଖଲ କରାଯାଇଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ସଂପୂର୍ଣ୍ଣ ଠିକ ରହିଛି ବୋଲି ସେ କହିଥିଲେ ।

ଏହି ପ୍ରସଙ୍ଗ ଶୁଣାଣି ପାଇଁ ତାଲିକାଭୁକ୍ତ ହେବା ପୂର୍ବରୁ ୟୁଜିସି ପକ୍ଷରୁ ଆଇନଜୀବୀ ଆ‌ର୍ଏସ୍‌‌ ଶ୍ରୀବାସ୍ତବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଗୌରବ ଖାନ୍ନା କ୍ୟାଭିଏଟ ଦାଖଲ କରିଥିଲେ । ଦୁଇ ପକ୍ଷଙ୍କ ଦ୍ୱାରା ଯୁକ୍ତି ଉପସ୍ଥାପନ ପରେ ଖଣ୍ଡପୀଠ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ସଂକ୍ରାନ୍ତ ୨୪ ଜାନୁଆରି ୨୦୨୨ରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ତିନି ମାସ ପର୍ଯ୍ୟନ୍ତ ‌ରୋକ୍‌‌ ଲଗାଇଥିଲେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ, ୨୦୨୦ ୟୁଜିସି ମାର୍ଗଦର୍ଶିକାକୁ ପାଳନ କରୁନଥିବା ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାଧୀନତା ହ୍ରାସ କରୁଥିବା ଅଭିଯୋଗ କରି କଲେଜ ପ୍ରଫେସର ଓ ଶିକ୍ଷକମାନଙ୍କ ଦ୍ୱାରା ତିନିଟି ପିଟିସନ ରୁଜୁ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!