ବରଗଡବାସୀ ଖାଦ୍ୟ ନାଁରେ ଖାଉଛନ୍ତି ବିଷ ! କୁଆଡ଼େ ଗଲେ ଫୁଡ୍‌ ଇନ୍ସପେକ୍ଟର? ଖାଦ୍ୟ କାରବାରରେ ବଡ଼ ଜାଲିଆତି

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ଜିଲ୍ଲାରେ ଖାଦ୍ୟ କାରବାରରେ ବଡ଼ ଧରଣର ଜାଲିଆତି ଚାଲିଛି । ଏନେଇ ପୂର୍ବରୁ ବିଭିନ୍ନ ଅଭିଯୋଗ ହେଉଥିଲା । କିନ୍ତୁ ଗତମାସ ୧୯ ତାରିଖ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚୂଳାବତୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି ଅଭିଯୋଗର ସତ୍ୟତା ଥିବା ଜଳଜଳ ହୋଇ ଦିଶୁଛି । ଜଣେ ‌ବ୍ୟକ୍ତି ହୋଟେଲ୍‌‌ ଖୋଲିବା ପାଇଁ ଫୁଡ୍‌‌ ଲାଇସେନ୍ସ ସକାଶେ ଡା. ସାହୁଙ୍କ ଠାରେ ଆବେଦନ କରିଥିଲେ ।

Advertisement

ହେଲେ ଡା. ସାହୁ ତାଙ୍କ ଠାରୁ ଲାଇସେନ୍ସ ବାବଦକୁ ୫ହଜାର ଟଙ୍କା ଦାବି କରି ଧରାପଡ଼ିଥିଲେ ।ଏହି ମାମଲା ଭିଜିଲାନ୍ସ ଚଢ଼ଉ ପରେ ଲୋକଲୋଚନକୁ ଆସିଛି । କିନ୍ତୁ ଏହି ଘଟଣା ପୂର୍ବରୁ କେତେ ଯେ ଫୁଡ୍‌‌ ଲାଇସେନ୍ସ ଡା. ସାହୁ କିମ୍ବା ତାଙ୍କ ପୂର୍ବରୁ ଥିବା ଅଧିକାରୀମାନେ ଟଙ୍କା ନେଇ ଜାରି କରିଛନ୍ତି, ତାହା ହିସାବ ଲଗାଇବା ମୁସ୍କିଲ । ଗୋଟିଏ ହିସାବରେ କହିବାକୁ ଗଲେ, ବର୍ତମାନ ଜିଲ୍ଲାରେ ଏଭଳି ଅସତ୍‌‌ ଉପାୟରେ ଗୁଡ଼ାଏ ହୋଟେଲ, ରେସ୍ତୋରାଁ ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଫୁଡ୍‌‌ ଲାଇସେନ୍ସ ହାତେଇଛନ୍ତି ।

ଉକ୍ତ ଲାଇସେନ୍ସ ଦୋକାନରେ ଟଙ୍ଗା ଯାଇଛି । କିନ୍ତୁ ଆଜି ଯାଏଁ କାହାରି ଉପରେ ଚଢ଼ଉ ହୋଇନାହିଁ । ଜିଲ୍ଲାର ଅଖାଦ୍ୟ କାରବାରରେ କିଏ ନିୟନ୍ତ୍ରଣ ଲଗାଇବ, ତାହା ବଡ଼ ପ୍ରଶ୍ନ । ଗୋଟିଏ ଛୋଟ ଉଦାହରଣ ଏଠାରେ ନିଆଯାଇପାରେ । ଏବେ ଖରା ବଢ଼ିବା ଥଣ୍ଡା ପାନୀୟର ଚାହିଦା ବଢ଼ି ଯାଇଛି । ଲସି ଏବଂ ଆଖୁରସ ବେପାର ଭଲ ଜମୁଥିବା ପରିଲକ୍ଷିତ ହୋଇଛି । ପ୍ରାୟ ୫୦ରୁ ଅଧିକ ଆଖୁରସ ବେପାରୀ, ମାଳମାଳ ଚୁସ୍‌‌କି ଏବଂ ନାନାଦି ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌‌ (ଚୁସ୍‌‌କି) ଠେଲା ଲାଗିଛି । ଖରାମାଡ଼ରେ ଅସ୍ତବ୍ୟସ୍ତ ବାଟୋଇମାନେ ଏସବୁ ଠେଲା ପାଖରେ ଭିଡ଼ ଜମାଉଛନ୍ତି । ସହରରେ ୩୦ରୁ ଅଧିକ ଲସି କାଉଣ୍ଟର ଖୋଲିଛି ।

ଗ୍ଲାସ୍‌‍ ପ୍ରତି ୧୫ରୁ ୬୦ ଟଙ୍କା ଯାଏଁ ବିକ୍ରି ହେଉଛି । ରାସ୍ତାକଡ଼ରେ ଥିବା ଗୁଡ଼ାଏ ଦୋକାନ‌ରେ ୩୦ରୁ ୫୦ ଟଙ୍କା ଭିତରେ ଫଳରସ ଗ୍ଲାସ ଉପଲବ୍ଧ ରହିଛି । କିନ୍ତୁ ଏହାର ମାନ ପରୀକ୍ଷଣ ପାଇଁ କିଛି ବନ୍ଦୋବସ୍ତ ନାହିଁ । ପାନୀୟଗୁଡ଼ିକୁ ଆକର୍ଷଣୀୟ ରୂପ ଦେବାକୁ ନାନାଦି ରଂଗ ବ୍ୟବହାର କରାଯାଉଛି । ଏହି ରଂଗଗୁଡ଼ିକ କେଉଁ ଧରଣର, ତାହା ଯାଂଚ ବି ହେଉନାହିଁ । ଏବେ ସହରରେ ‘ଫୁଡ୍‌‌ କୋର୍ଟ’ ଖୋଲିଛି । ଯେଉଁଠି ବିଭିନ୍ନ କିସମର ଫାଷ୍ଟ ଫୁଡ୍‌‌, ବର୍ଗ‌ର୍, ଗୁପ୍‌‌ଚୁପ୍‌‌ ଏବଂ ଅନ୍ୟ ଖାଦ୍ୟପେୟ ମହଜୁଦ ରହିଛି । ବିଳମ୍ବିତ ସଂଧ୍ୟା ଯାଏ ଏଠାରେ ଲୋକଙ୍କ ଭିଡ଼ ଜମୁଛି । କିନ୍ତୁ ଏଠାରେ ବଳି ଯାଉଥିବା ଖାଦ୍ୟ ପଦାର୍ଥକୁ କ’ଣ କରାଯାଉଛି, ତାହା କେବେ ଯାଂଚ ହେଉନାହିଁ । କିଛି ଦୋକାନୀ ଗୋଟିଏ ଦିନର ବାସି ଖାଦ୍ୟକୁ ତା’ ପରଦିନ ବି ଗ୍ରାହକଙ୍କୁ ଦେଉଛନ୍ତି । ଯିଏ ଅଭିଯୋଗ କଲା, ତାକୁ ପୁଣି ସଜ ଖାଦ୍ୟ ଦେଉଛନ୍ତି । ନଚେତ, ଅନେକ ଦୋକାନୀ ବିଭିନ୍ନ ବାହାନା ଦେଇ ଅଭିଯୋଗକୁ ଉଡ଼ାଇ ଦେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!