ଅଶାନ୍ତ ମୟୂରଭଞ୍ଜ : କଥା କଥାରେ ଫୁଟୁଛି ଗୁଳି, ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷରୁ ଉର୍ଦ୍ଧ୍ବ

ମୟୂରଭଞ୍ଜ/ରାଇରଙ୍ଗପୁର -: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପଡୋଶୀ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲା ଜାମବନି ଥାନା ଅନ୍ତର୍ଗତ ଚିଚଳା ଗ୍ରାମର ସେକ ସମରୁ ଅଲ୍ଲୀଙ୍କ ପୁଅ ଜାମସୁ ଅଲ୍ଲୀ(୪୫) ଓରଫ ନେଢୁ ଏବଂ କୋଲକତା ଅଞ୍ଚଳର ତାଙ୍କର ୭ ଜଣ ସାଥି ଏକ ସ୍କୋରପିଅ ଗାଡ଼ିରେ ବ୍ୟବସାୟ ପାଇଁ ହାଟକୁ ଆସିଥିଲେ । ସେହି ସମୟରେ ୪ ଜଣ ଦୁର୍ବୁତ୍ତ ଆସି ଜାମସୁଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ।

Advertisement

ଜାମସୁ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ଛାତିରେ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ, ଭୟରେ ଜାମସୁ ପାଖରେ ରଖିଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଦେଇଦେବା ପରେ ମଧ୍ୟ ଦୁର୍ବୁତ୍ତ ମାନେ ପୁଣି ଦୁଇ ରାଉଣ୍ଡ ଗୁଳି ଚଳାଇ ବାଇକରେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଜାମସୁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟଳୟରେ ଭର୍ତ୍ତି କରିଥିଲେ ।ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଗୁଳି ମାଡରେ ଗୋଟିଏ ମଇଁଷି ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ କିଛି ଅଫୁଟା ଗୁଳି ପୁଲିସ ଜବତ କରିଥିବା ସୂଚନା ମିଳିଛି ।


ସୂଚନାଯୋଗ୍ୟ ଯେ ୫ ଦିନ ପୂର୍ବରୁ ଯଶିପୁର ଅଞ୍ଚଳରେ ଗୋରୁ ବ୍ୟବସାୟୀ ମାନେ ଦେବସେନା ଅନୁଷ୍ଠାନର ଦୁଇଜଣ ସ୍ୱେଚ୍ଛାସେବୀଙ୍କୁ ଗୁଳିକରି ଗୁରୁତର ଆହତ କରିଥିଲେ । ସେହି ଘଟଣାରେ ଜନସାଧରଣ ଭୟଭୀତ ଥିବା ସମୟରେ ଆଜି ପୁଣି ଏଭଳି ଗୁଳିକାଣ୍ଡ ଘଟିବାରୁ ବାମନଘାଟି ଓ ପାଞ୍ଚପିଢ଼ ଉପଖଣ୍ଡବାସୀ ଭୟବିତ ଅଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳକୁ ଯାଇ ପେଟ୍ରୋଲିଂ କରି ଦୁର୍ବୁତ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଯଶିପୁର ଗୁଳିକାଣ୍ଡ ଘଟଣାର ୧୪ ଜଣ ଆସାମୀ ଧରପଡି ଥିବା ବେଳେ ଆଜିର ଘଟଣାରେ ପୁଲିସ ଦୁର୍ବୁତ୍ତମାନଙ୍କୁ ଧରିବାରେ ସଫଳ ହେଇଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ଦୁର୍ବୁତ୍ତମାନେ ଯଶିପୁର ଆଞ୍ଚଳରେ ଥିବା ଏକ ଜଙ୍ଗଲରେ ଲୁଚିଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!