ଦୁଇବର୍ଷ ପରେ ଐତିହାସିକ ବରୁଣେଇ ପୀଠରେ ପାଳନ ହେଲା ରଜ ମେଳା

ଖୋର୍ଦ୍ଧା -: ଐତିହାସିକ ଖୋର୍ଦ୍ଧା ଗଡ଼ର ଦେବୀ ତଥା ପାଇକଙ୍କ ଆରାଧ୍ୟା ବରୁଣେଇ-କରୁଣେଇ ପୀଠ । କାହିଁ କେତେ ଶହ ବର୍ଷ ଧରି ଆଷାଢ଼ କୃଷ୍ଣପକ୍ଷ ସଂକ୍ରାନ୍ତିରେ ରଜମେଳା ଅନୁଷ୍ଠିତ ହୋଇଆସୁଛି । ଆଖପାଖ ଅଂଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ବିଶେଷତଃ ପାଇକଘରର ଝିଅ ଓ ବୋହୂମାନେ ନିଜର ଆରାଧ୍ୟା ଦେବୀଙ୍କ ପାଇଁ ପୋଡ଼, ମଣ୍ଡା ଆଦି ଭୋଗ କରିବାକୁ ନେଇ ଆସିଥାନ୍ତି ।

Advertisement

କରୋନା ସଂକ୍ରମଣ ଓ ତତ୍ଜନୀତ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ବରୁଣେଇ- କରୁଣେଇ ପୀଠ ଶୂନଶାନ ଥିଲା । ମନ୍ଦିର ରୀତିନୀତିରେ ପୂଜା ହେଲା ସତ କିନ୍ତୁ ଭକ୍ତ କିମ୍ବା ପାଇକ କୁଳରେ ଆରାଧ୍ୟାଙ୍କ ପାଇଁ ଭୋଗର ପସରା ଦେଖିବାକୁ ମିଳିନଥିଲା । ଚଳିତ ବର୍ଷ ପୁଣି ବରୁଣେଇ-କରୁଣେଇ ପୀଠ ଚଳଚଂଚଳ ହୋଇଛି । ଗତକାଲି ଠାରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ବରୁଣେଇ-କରୁଣେଇ ପୀଠରେ ମକର ସଂକ୍ରାନ୍ତି ପରେ ସବୁଠାରୁ ବଡ଼ ପର୍ବ ରଜ ସଂକ୍ରାନ୍ତି ଅଟେ ।

ପରମ୍ପରା ଅନୁସାରେ, ବରୁଣେଇ-କରୁଣେଇ ପୀଠରେ ୪ ଦିନ ଧରି ସ୍ୱତନ୍ତ୍ର ବେଶ ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୁଏ । ଗତକାଲି ପହିଲି ରଜରେ ପୂଜକମାନେ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ଚନ୍ଦନଲେପ ସହ ନୂତନବସ୍ତ୍ର ପରିଧାନ କରାଇଥାନ୍ତି । ଏହି ଚନ୍ଦନ ମାଖି ବେଶରେ ତିନିଦିନ ଧରି ଠାକୁରାଣୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚତୁର୍ଥ ଦିନ, ବସୁମତି ବା ମହାଲକ୍ଷ୍ମୀ ସ୍ନାନ ଦିବସ ବରୁଣେଇ-କରୁଣେଇ ପୀଠରେ ମହାଲକ୍ଷ୍ମୀ ବୁଡ଼ ଭାବେ ପାଳନ କରାଯାଏ । ଏହି ଦିନ ଦେବୀଙ୍କୁ ସ୍ନାନ କରାଇବା ପରେ ପୁଣି ନୂତନବସ୍ତ୍ର ସହ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଏହି ଦିନ ଦେବୀମାନଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥାଏ ।

ଦେବୀମାନଙ୍କୁ ପଣସପତ୍ର ରେ ପ୍ରସ୍ତୁତ ପାତ୍ର (ଠୋଲା)ରେ କ୍ଷୀର ଓ ଅରୁଆ ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର କ୍ଷୀରି, ନଡ଼ିଆ ପୂର ଦିଆ ଏଣ୍ଡୁରି ପିଠା ଭୋଗ ଦିଆଯାଇଥାଏ । ମନ୍ଦିର ପକ୍ଷରୁ ପ୍ରସ୍ତୁତ ଏହି ଭୋଗ ପାଇବା ପାଇଁ ଭକ୍ତଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ ।ଚନ୍ଦନମାଖି ବେଶର ତିନି ଦିନ ଓ ମହାଲକ୍ଷ୍ମୀ ବୁଡ଼, ମୋଟ ଚାରିଦିନ ଏଠାରେ ରଜ ମେଳା ଅନୁଷ୍ଠିତ ହୋଇଥାଏ । କିନ୍ତୁ ବର୍ତମାନ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଶାନ୍ତ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଏହି ରଜମେଳା ଚାରି ଦିନ ପରିବର୍ତେ ତିନି ଦିନ ପାଳିତ ହେଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!