ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କଲା ବେଜିଂ

ଇସଲାମାବାଦ -: ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କରିଛି ବେଜିଂ । ଇସ୍ଲାମାବାଦ ଗସ୍ତରେ ଥିବା ଚୀନର ଜଣେ ପ୍ରଭାବଶାଳୀ ନେତା ଓ କୂଟନୀତିଜ୍ଞ ୟାଙ୍ଗ ଜେଇଚି ଏହି ଦାବି ଉଠାଇଛନ୍ତି । ସେ ହେଉଛନ୍ତି ଚୀନ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋର ସଦସ୍ୟ । ପୂର୍ବରୁ ସେ କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ଥିଲେ । କେତେକ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ କେବଳ ଏହି ଦାବି କରିବାକୁ ସେ ଇସ୍ଲାମାବାଦ ଗସ୍ତ କରିଥିଲେ । ଚୀନ ପକ୍ଷରୁ ବାରମ୍ବାର ଏହି ଦାବି କରାଯିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି ।

Advertisement

ଗତ ଜୁନ ମାସରେ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା ଚୀନ ଗସ୍ତରେ ଯାଇ ଚୀନର ବରିଷ୍ଠ ସେନାଧିକାରୀମାନଙ୍କୁ ଭେଟିଥିଲେ । ଏହି ଅବସରରେ ଚୀନ ପକ୍ଷରୁ ପାକିସ୍ତାନରେ ନିର୍ମାଣାଧୀନ ଚାଇନା-ପାକିସ୍ତାନ-ଇକନୋମିକ କରିଡର (ସିପିଇସି) ରେ କାର୍ୟ୍ୟରତ ଚୀନ ନାଗରିକମାନଙ୍କ ଉପରେ ବେଲୁଚ ବିଦ୍ରୋହୀଙ୍କ ପକ୍ଷରୁ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ଓ ଅସନ୍ତୋଷ ପ୍ରକଟ କରାଯାଇଥିଲା । ପାକିସ୍ତାନର ବେଲୁଚିସ୍ତାନ ବିଶେଷକରି ଗ୍ବାଦର ବନ୍ଦର ନଗରୀରେ ମିଲିଟାରୀ ଆଉଟପୋଷ୍ଟ ସ୍ଥାପନ ପାଇଁ ଚୀନ ଚାହୁଁଛି । ଏସବୁ ଆଉଟପୋଷ୍ଟରେ ଚୀନର ସେନା ମୁତୟନ ରହିବେ ଓ ଚୀନ ନାଗରିକଙ୍କ ସୁରକ୍ଷା କରିବେ । ପାକିସ୍ତାନରେ ନିର୍ମାଣାଧୀନ ସିପିଇସି  ପ୍ରକଳ୍ପ ଗୁଡ଼ିକରେ କାର୍ଯ୍ୟକରୁଥିବା ଚୀନ ନାଗରିକମାନଙ୍କ ଉପରେ ବେଲୁଚିସ୍ତାନ ମୁକ୍ତି ବାହିନୀ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ଓ ପାକିସ୍ତାନ ସେମାନଙ୍କ ସୁରକ୍ଷା କରିବାରେ ବିଫଳ ହେଉଥିବାରୁ ଚୀନ ଏପରି ଦାବି କରୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!