ଯେଉଁମାନେ ନନଭେଜ୍ ଖାଉଛନ୍ତି ସେମାନଙ୍କ ଖାଦ୍ୟରେ ଅଣ୍ଡା, ଚିକେନ୍, ମଟନ୍, ଚିଙ୍ଗୁଡି, ମାଛ ଇତ୍ୟାଦି ବେଶ୍ ପସନ୍ଦ କରିଥାନ୍ତି। ତେବେ ଏମାନଙ୍କ ଭିତରେ ସବୁଠାରୁ ଅଧିକ ଏହି ପ୍ରୋଟିନ୍ ମିଳିଥାଏ ମାଛରୁ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଛ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏଥିରୁ ମଧ୍ଯ ଏକ ପ୍ରକାର ଗୁରୁତର ଏବଂ ଘାତକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଆସନ୍ତୁ ଜାଣିବା ଏହି ରିସର୍ଚ କିଏ କରିଛନ୍ତି ଏବଂ ମାଛର ଅତ୍ୟଧିକ ବ୍ୟବହାର ହେତୁ କେଉଁ ରୋଗ ବଢିବାର ଆଶଙ୍କା ଅଛି?
ଆପଣତ ଜାଣିଛନ୍ତି ଅତିବାଇଗଣି ରଶ୍ମୀ ଚର୍ମ କୋଷମାନଙ୍କର ଡିଏନ୍ଏକୁ କ୍ଷତି ପହଁଚାଇଥାଏ, ଯାହାଦ୍ୱାରା ଚର୍ମ କର୍କଟ ରୋଗ ହୋଇଥାଏ। ନୂତନ ଅଧ୍ୟୟନ ଦାବି କରିଛି ଯେ ମାଛ, ଅଧିକ ମାଛ ଖାଇବା ଦ୍ବାରା ମେଲେନୋମା ହେବାର ଆଶଙ୍କା ବଢିଯାଏ, ଯାହା ଏକ ପ୍ରକାରର କର୍କଟ ରୋଗ ଅଟେ।
ବ୍ରାଉନ୍ ୟୁନିଭରସିଟିର ରିସର୍ଚରୁ ଜଣାପଡିଛି ଯେ ଯେଉଁମାନେ ସପ୍ତାହରେ ୩୦୦ ଗ୍ରାମ ମାଛ ଖାଉଛନ୍ତି, ସେମାନଙ୍କର ମାରାତ୍ମକ ମେଲାନୋମା ହେବାର ଆଶଙ୍କା ୨୨ ପ୍ରତିଶତ ଅଧିକ। ଏହି ଅନୁସନ୍ଧାନରେ, ୬୨ ବର୍ଷ ବୟସର ୪ ଲକ୍ଷ ୯୧ ହଜାର ୩୬୭ ବୟସ୍କ ଅଂଶଗ୍ରହଣ କରିଥିଲେ। ମାଛର ବ୍ୟବହାର ବିଷୟରେ ସେମାନଙ୍କଠାରୁ ସୂଚନା ନିଆଯାଇଥିଲା । ଅନ୍ୟ ଏକ ରିସର୍ଚରେ ଜଣାପଡିଥିଲା, ଯେଉଁମାନେ ଫ୍ରାଏ ନକରି ମାଛ ଖାଉଥିଲେ, ସେମାନେ ଦର୍ଶାଇଥିଲେ ଯେ ସେହି ଲୋକଙ୍କଠାରେ ମେଲାନୋମା ହେବାର ଆଶଙ୍କା ୧୮ ପ୍ରତିଶତ ଅଧିକ।
ଯେଉଁମାନେ ଟୁନା ନାମକ ମାଛ ଖାଉଥିଲେ ସେମାନଙ୍କ ମଧ୍ୟରେ ମେଲାନୋମା ହେବାର ଆଶଙ୍କା ୨୦ ପ୍ରତିଶତ ଅଧିକ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯେଉଁମାନେ ଭଜା ମାଛ ଖାଉଥିଲେ ସେମାନଙ୍କ ମଧ୍ୟରେ କ୍ୟାନସର ସମ୍ବନ୍ଧୀୟ ବିପଦ ନଥିଲା।
ଅନୁସନ୍ଧାନ ଲେଖକ ଇଉନିଉଙ୍ଗ ଚୋଙ୍କ ଅନୁଯାୟୀ, ଆମେରିକାରେ ମେଲାନୋମା ହେଉଛି ପଞ୍ଚମ ସାଧାରଣ କର୍କଟ । ମେଲାନୋମା ହେବାର ଆଶଙ୍କା ଗୋରା ତ୍ବଚାଥିବା ବ୍ଯକ୍ତିଙ୍କ ପାଖରେ ୩୮ ଜଣରୁ ଜଣଙ୍କୁ ଏବଂ ଶ୍ଯାମଳ ଚର୍ମ ଥିବା ବ୍ଯକ୍ତିଙ୍କ ପାଖରେ ୧୦୦୦ ଜଣଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ ।
ଏହା ସହିତ ସେ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ମାଛର ବ୍ୟବହାରରେ ବୃଦ୍ଧି ହେତୁ ଏହି ରିସର୍ଚ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ କର୍କଟ ଏବଂ ମାଛ ବ୍ୟବହାର ମଧ୍ୟରେ ଏକ ସମ୍ପର୍କ ରହିଛି। ଇଉନିଉଙ୍ଗ ଚୋ ଆହୁରି କହିଛନ୍ତି, ଅନ୍ୟ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ମାଛ ଖାଉଛନ୍ତି ସେମାନଙ୍କ ଶରୀରରେ ମର୍କୁରୀ ଏବଂ ଆର୍ସେନିକ୍ ପରି ଭାରୀ ଧାତୁ ଅଧିକ ଥାଏ । ଯାହା ଚର୍ମ କର୍କଟ ହେବାର ଆଶଙ୍କାକୁ ବଢାଇ ଦେଇପାରେ । ଏହାସହ ସେ କହିଛନ୍ତି, ସେ ମାଛ ଖାଇବାକୁ ମନା କରିନାହାନ୍ତି ବରଂ ଯାହା ରିସର୍ଚରୁ ଜଣାପଡିଛି ତାହାକୁ କହୁଛନ୍ତି।
ଅନ୍ଯପଟେ, ଅଧ୍ୟୟନର ଲେଖକମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ରିସର୍ଚରେ ମାଛରେ ଥିବା ପ୍ରଦୂଷକ ପରିମାଣ ମାପ କରାଯାଇ ନାହିଁ। ତେଣୁ ଏହି ଜିନିଷକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିବା ମଧ୍ୟ ଠିକ୍ ନୁହେଁ।