ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା

ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର ଏକ ଘଣ୍ଟା ହେଲେ ବି ରାଜନୈତିକ ମହଲରେ ଏହାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ରାଷ୍ଟ୍ରପତି ନିର୍ବାଚନ ପରେ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଯେଉଁ ରାଜନୈତିକ ଅଙ୍କ କଷା ଯାଉଥିଲା, ତାହାକୁ ନବୀନଙ୍କ ଗସ୍ତ ଓଲଟପାଲଟ କରିଦେବାର ଅନୁମାନ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କଲା ପରଠାରୁ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯଦିଓ ରାଷ୍ଟ୍ରପତି ହେଲା ପରେ ଶ୍ରୀମତୀ ମୁର୍ମୁ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ବ୍ୟକ୍ତିତ୍ବ, କିନ୍ତୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବାରୁ ତାହାର ଫାଇଦା ନେବାକୁ ଦଳ ଅଣ୍ଟା ଭିଡ଼ିଥିଲା।

Advertisement

ରାଜ୍ୟର ଆଦିବାସୀ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ସହ ନିର୍ଦ୍ଦିଷ୍ଟ ଭାବେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ସୁବିଧାଜନକ ସ୍ଥିତିରେ ରହିବ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା। ମୟୂରଭଞ୍ଜ ସାଂସଦ ନିଜେ କେନ୍ଦ୍ର ମନ୍ତ୍ରୀ ଥାଇ ବି ଦଳର ସମ୍ମାନ ରକ୍ଷା କରିବାକୁ ସକ୍ଷମ ହୋଇ ନଥିଲେ। ଏହା ପରେ ଘଟଣାକ୍ରମେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି କେନ୍ଦ୍ରୀୟ ନେତୃତ୍ବର ଓଡ଼ିଶା ପ୍ରତି ଭଲ ପାଇବା ପ୍ରସଙ୍ଗକୁ ଘରେ ଘରେ ପହଞ୍ଚିବାକୁ ଦଳ ଯୋଜନା କରିଥିଲା। ରାଷ୍ଟ୍ରପତିଙ୍କ ନାମ ସିଧାସଳଖ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର ନହେଲେ ବି ପରୋକ୍ଷରେ ତାହାକୁ ମାଧ୍ୟମ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିଲା। ଏହି ଯୋଜନାରେ ସାରା ଓଡ଼ିଶାରେ ଦଳ କେତେଦୂର ସଫଳ ହୋଇଥା’ନ୍ତା, ତାହା ଭିନ୍ନ କଥା। କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ସଫଳତା ନେଇ ବିଜେପି ନେତୃତ୍ବ ଆଶାବାଦୀ ଥିଲେ।

ବିଜେପିର ଯୋଜନା କାର୍ଯ୍ୟାନ୍ବୟନ ସ୍ତରକୁ ଆସିବା ପୂର୍ବରୁ ବିଜେଡି ଅତର୍କିତ ଭାବେ କ୍ଷେତ୍ର ସ୍ତରକୁ ଓହ୍ଲାଇଛି। କିଛି ମାସ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବାହାରର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରୁଛନ୍ତି। କିନ୍ତୁ ଆଜି ନିଜେ ମୟୂରଭଞ୍ଜ ଯାଉଛନ୍ତି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ସରକାରୀ। କୌଣସି ଦଳୀୟ କାର୍ଯ୍ୟକ୍ରମ ଏଥିରେ ଯୋଡ଼ା ଯାଇନାହିଁ। କିନ୍ତୁ ବିଜେଡି ନବୀନଙ୍କ ଗସ୍ତର ସୁଯୋଗକୁ ଭରପୂର ଉପଯୋଗ କରିବାକୁ ଅଣ୍ଟା ଭିଡ଼ିଛି। ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ମାଧ୍ୟମ କରି ବିଜେପି ଯେପରି ମୟୂରଭଞ୍ଜ ଜିଲ୍ଲାରେ ‌କୌଣସି ଫାଇଦା ନନିଏ, ସେଥି ପାଇଁ ଦଳ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ବିଜେଡିର ଛାମୁଆ ନେତାମାନେ ବାରିପଦାରେ ପହଞ୍ଚି ସବୁ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ନବୀନଙ୍କ ବିକାଶମୂଳକ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ କିପରି ତତ୍‌କାଳ ସହଯୋଗର ହାତ ବଢ଼ାଇଥିଲେ ତାହାକୁ ମଧ୍ୟ ପ୍ରଚାର କରାଯାଉଛି। ନବୀନଙ୍କ ଗସ୍ତ ପରେ ପରେ ଜିଲ୍ଲାରେ ଦଳର ସଂଗଠନକୁ ଆହୁରି ମଜବୁତ୍ କରିବା ପାଇଁ ଦାୟିତ୍ବ ମଧ୍ୟ ବାଣ୍ଟି ଦିଆଯାଇଛି। ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଉଛି, ୨୦୨୪ ପର୍ଯ୍ୟନ୍ତ ସେମାନଙ୍କୁ ଦଳ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ସେମାନେ ସ୍ଥାନୀୟ ନେତୃତ୍ବଙ୍କ ସହ ଯୋଗାଯୋଗରେ ରହି ସାଂଗଠନିକ କାର୍ଯ୍ୟକୁ ତଦାରଖ କରିବେ। ବିଜେଡିର ଏହି ଶକ୍ତିଶାଳୀ ରଣନୀତିକୁ ବିଜେପି କିପରି ଓ କେବେ ମୁକାବିଲା କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!