୬୨ ବର୍ଷର ବ୍ରାହ୍ମଣୀ ସେତୁ ହରାଇବ ତାର ଅସ୍ଥିତ୍ୱ, ବିପଦର ସଂଙ୍କେତ ଦେଲାଣି ତଥାପି ଚେତୁନି ପ୍ରଶାସନ

ଯାଜପୁର -: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁର ଅବସ୍ଥା ଏବେ ସଂଗିନ ହୋଇପଡ଼ିଛି। ଏହି ସେତୁର ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ କାଳ ବିଳମ୍ବ ହେଉଥିବାରୁ ସେତୁ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ୧.୨୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁଟି ୬୨ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା। ପ୍ରତିଦିନ ହଜାରହଜାର ଭାରୀଯାନ ସମେତ ଯାତ୍ରୀବାହୀ ବସ୍‌, କାର ଓ ବାଇକ୍‌ ସେତୁ ଉପରେ ଯାତାୟାତ କରୁଛି। ମରାମତି ଅଭାବରୁ ସେତୁଟି ଦିନକୁଦିନ ଶୋଚନୀୟ ହେବାରେ ଲାଗିଛି।

Advertisement

ସେତୁ ଉପର କଂକ୍ରିଟ୍‌ ଖରାପ ହେବାରୁ କିଛିଦିନ ପୂର୍ବରୁ ଏହା ଉପରେ ପିଚୁ କରାଯାଇଥିଲା। ଏବେ ପିଚୁ ଉଠିଯାଇ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ଏହି ସେତୁରେ ୨୭ଟି ଜଏଣ୍ଟ ପ୍ଲେଟ୍ ରହିଥିବା ବେଳେ ସେଥିମଧ୍ୟରୁ ଅନେକ ପ୍ଲେଟ୍ ବାହାରିଗଲାଣି। ଏଥିରୁ ବାହାରିଥିବା ଲୁହାକଣ୍ଟା ପଥଚାରୀ ବା ଗାଡ଼ିଚାଳକଙ୍କ ପାଇଁ ବିପଦର କାରଣ ହୋଇଛି। ଜଏଣ୍ଟ ପ୍ଲେଟ୍ ସଂପୂର୍ଣ୍ଣ ଅଲଗା ହୋଇଗଲେ ସେତୁଟି ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଖାଲ ସୃଷ୍ଟିହୋଇ ସେତୁ ଉପରକୁ ଲୁହାଛଡ଼ ବାହାରି ଆସିଛି। ଫଳରେ ବିଭିନ୍ନ ଗାଡ଼ିର ଚକ ଫାଟି ଯାଉଥିବା ଅଭିଯୋଗ ହେଉଛି। ସେତୁର ପାଚେରି ଓ ପାଦଚଲା ରାସ୍ତା ଅବସ୍ଥା ଅଧିକ ସଂଗିନ ହୋଇପଡ଼ିଛି।

କେତେକ ସ୍ଥାନରେ ପାଚେରି ଭାଙ୍ଗି ନଦୀରେ ଗଳିପଡ଼ିଥିବା ବେଳେ ବହୁ ସ୍ଥାନରେ ପାଦଚଲା ରାସ୍ତାର ପ୍ଲେଟ୍ ନଥିବାରୁ ଅନ୍ୟମନସ୍କ ହେଲେ ଦୁର୍ଘଟଣାର ଆଶଙ୍କା ରହିଛି। ସେତୁର ଏଭଳି ଅବସ୍ଥା ସଂପର୍କରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯିବା ସହ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ହେଲେ କେବଳ ଖୁଣ୍ଟର ବିୟରିଂ ବଦଳାଇ କର୍ତ୍ତୃପକ୍ଷ ଚୁପ ହୋଇ ବସିଛନ୍ତି। ଗତ ଅଗଷ୍ଟ ୨୪ ତାରିଖରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଆରଟିଓ, ତହସିଲଦାର, ପୁଲିସ ଓ ଠିକାସଂସ୍ଥା ଅଧିକାରୀ ଏହି ସେତୁର ସ୍ଥିତି ପରଖିବା ସହ ଏକମାସ ମଧ୍ୟରେ ମରାମତି କରିବା ପାଇଁ କହିଥିଲେ। ହେଲେ ଏଯାଏ ମରାମତି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। କେନ୍ଦ୍ର ସରକାରଙ୍କ ଅନୁମତିର ଆଳ ଦେଖାଇ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇନଥିବା କୁହାଯାଉଛି। କାମ ଆରମ୍ଭ ହେଲେ ଗାଡ଼ିମୋଟର ସଂପୂର୍ଣ୍ଣ ବନ୍ଦ ରହିବ। ଫଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପରିବହନ ଅଧିକାରୀଙ୍କ ଅନୁମତି ଆବଶ୍ୟକ ଥିବା କୁହାଯାଉଛି। ସେତୁ ମରାମତି ପାଇଁ ଟ୍ରାଫିକ ନିୟମ ବ୍ୟବସ୍ଥା ଚୂଡ଼ାନ୍ତ କରିବାକୁ ଯାଜପୁର ଜିଲ୍ଲାପାଳ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ହେଲେ ପରିବହନ ଅଧିକାରୀ ବିଳମ୍ବ କରୁଥିବା ନାଗରିକ ମଞ୍ଚ ଅଭିଯୋଗ କରିଛି। ତେବେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବ୍ରାହ୍ମଣୀ ସେତୁର ସ୍ଥିତି ପ୍ରତି ଗୁରୁତ୍ବ ଦେଇ ତୁରନ୍ତ ଏହାର ମରାମତି କରିବା ପାଇଁ ଦାବି ହେଉଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!