କୋରାପୁଟରେ ଭୁଷୁଡିଲା ବିଜେଡିର ଦୁର୍ଗ

କୋରାପୁଟ -: ପୈାରାଧ୍ୟକ୍ଷ ନିର୍ବାଚନରେ ରାଜ୍ୟସାରା ବିଜେଡି ଭଲ ପ୍ରଦର୍ଶନ କରିଥିବାବେଳେ କୋରାପୁଟ ଜିଲ୍ଲାରେ ଧୁଳି ଚାଟିଛି । ତ୍ରିସ୍ତରୀୟ ପଞ୍ଜଞ୍ଜଞ୍ଚାୟତ ନିର୍ବାଚନ ପରି ପୈାର ନିର୍ବାଚନରେ ସଫଳତା ପାଇନି । କୋରାପୁଟ ଜିଲ୍ଲାର ୪ ପୈାର ପରିଷଦରୁ କେବଳ କୋରାପୁଟ ପୈାରପାଳିକା ବିଜେଡି ଦଖଲ କରିଥିବାବେଳେ ଜୟପୁର, ସୁନାବେଢା ଓ କୋଟପାଡରେ ପୈାରାଧ୍ୟକ୍ଷ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି । ସବୁଠୁ ବଡ ଝଟକା ଲାଗିଛି ସୁନାବେଢା ପୈାରପାଳିକାରେ । ଆକଳନ କହୁଥିଲା କି ବିଜେଡିର ଅମିତ ଅଗ୍ରୱାଲ ଏଠାରେ ବିଜୟୀ ହେବେ । ଏହାକୁ ଭୁଲ ପ୍ରମାଣିତ କଲେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ପାତ୍ର । ଅମିତ ୫୮୪୦ ଭୋଟ ପାଇଥିବାବେଳେ ରାଜେନ୍ଦ୍ର ୬୯୩୬ ଭୋଟ ପାଇ ବିଜୟୀ ହୋଇଛନ୍ତି । କଂଗ୍ରେସର ପହ୍ଲବୀ ଖୋସଲା ୨୯୪୦, ବସନ୍ତ କୁମାର ତ୍ରିପାଠୀ ୩୩୧୨ ଭୋଟ ପାଇଛନ୍ତି ।

Advertisement

ସୁନାବେଢ଼ା ପୈାରପାଳିକାରେ ଗଣତି ଆରମ୍ଭ ବେଳକୁ ବିଜେଡିର ଅମିତ ଅଗ୍ରୱାଲ ୧୦୦୦ ଭୋଟରେ ଆଗୁଆ ଥିଲେ । ୧ରୁ ୫ୱାର୍ଡ ବିଜେଡି ବିଜୟୀ ହୋଇଥିଲେ । ପରେ ୫ରୁ୧୦ ୱାଡରେ ବିଜେଡି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । କିନ୍ତୁ ୧୫ ନମ୍ବର ୱାର୍ଡର ଗଣତି ଆରମ୍ଭ ହେଉ ହେଉ ବିଜେଡି, କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ସ୍ୱାଧୀନପ୍ରାର୍ଥୀ ରାଜେନ୍ଦ୍ର ଆଗୁଆ ହୋଇଥିଲେ । ୧୫ରୁ ୨୦ନମ୍ବର ୱାର୍ଡରେ ଥିବା ସୁନାବେଢା, ଜର୍ସିଫାର୍ମ, ଏଚଏଲ ଟାଉନସିପ, ଗୋପବନ୍ଧୁ ନଗର, ସେମିଳିଗୁଡା ଟାଉନର ଶିକ୍ଷିତ ଭୋଟରଙ୍କ ଭୋଟ ରଜେନ୍ଦ୍ରଙ୍କୁ ମିଳିଥିଲା । ୨୦ରୁ ୨୫- କୋଡିଗାଁ, ପେଟକଣା, ଜାନିଗୁଡ, କାକି ଗାଁ, ଅଲମାଗୁଡା, ଗାନ୍ଧି ନଗରର ବାସିନ୍ଦା ମଧ୍ୟ ରାଜେନ୍ଦ୍ରଙ୍କୁ ବାଛିଥିଲେ । ତେବେ ବିଜେଡି ଓ କଂଗ୍ରେସ ମଧ୍ୟ ଦୃଢ ପ୍ରାର୍ଥୀ ଦେଇଥିଲେ । ନିର୍ବାଚନ ପୂର୍ବରୁ ରାଜେନ୍ଦ୍ର ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ । ହେଲେ ଜିଲ୍ଲା ସଭାପତି ଆଉ ଜଣଙ୍କୁ ପ୍ରାର୍ଥୀ କରିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଥିଲେ ।

ବିଜେଡି ଜିତିବ ବୋଲି ଦୃଢ ବିଶ୍ୱାସ ରଖିଥିଲା । ଲୋକଙ୍କ ପାଖକୁ ଯାଇ ପାରି ନଥିବାରୁ ଉଭୟ ଗାଁ ଓ ସହରୀ ଭୋଟରଙ୍କଠାରୁ ପ୍ରତ୍ୟାଖ୍ୟାତ ହୋଇଥିଲା । ଯାହା ଭୋଟ ଆସିଛି ତାହା ବ୍ୟବସାୟୀ ଓ ବଣିକ ସହ କାଁ ଭାଁ ଗାଁ ଓ ସହର ଭୋଟର ବିଜେଡିକୁ ଭୋଟ ଦେଇଛନ୍ତି । ସୁନାବେଢା, ଜର୍ସିଫାର୍ମ, ଏଚଏଲ ଟାଉନସିପ, ଗୋପବନ୍ଧୁ ନଗର, ସେମିଳିଗୁଡା ଟାଉନ, କୋଡିଗାଁ, ପେଟକଣା, ଜାନିଗୁଡ, କାକି ଗାଁ, ଅଲମାଗୁଡା, ଗାନ୍ଧୀ ନଗରରେ ଲୋକେ ବିଜେଡି ଉପରେ ଅସନ୍ତୁଷ୍ଟ ଥିଲେ ରାସ୍ତାଘାଟ,ପାଣି ଓ ବିଦ୍ୟୁତ ସମସ୍ୟାକୁ ନେଇ । ପୂର୍ବରୁ ଏହା ବିଜେଡି ଦଖଲରେ ଥିବାବେଳେ ଏବେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସୁନାବେଢାରେ ବିଜେଡିର ପ୍ରଚାର ପ୍ରସାର ଠିକ ନଥିବାବେଳେ ଦଳ ବିରୋଧୀ କାର୍ଯ୍ୟ ହୋଇଥିବା ଆଶଙ୍କା କରାଯାଉଛି ।

ଏଠାରେ ବିଜେଡିର ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଜିଲ୍ଲାର ଦାୟିତ୍ୱ ବୁଝୁଥିବାବେଳେ ସୁନାବେଢା ଦାୟିତ୍ୱ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପଟାଙ୍ଗୀ ବିଧାୟକ ପିତମ ପାଢୀ ବୁଝୁଥିଲେ । ୨୫ ୱାର୍ଡରୁ ୧୯ଟି ବିଜେଡି ଦଖଲ କରିଥିଲେ ବି ଅଧ୍ୟକ୍ଷ ଆସନ ହାତେଇବାରେ ବିଫଳ ହୋଇଛି । ଏହାସହ ୨ଟି ବିଜେପି ୩ଟି କଂଗ୍ରେସ ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ କୋରାପୁଟ ପୈାରପାଳିକା କଂଗ୍ରେସ ହାତରେ ଥିଲା । ଚଳିତ ନିର୍ବାଚନରେ ୨୧ ୱାର୍ଡରୁ ବିଜେଡି ୧୫ଟି, ୪ଟି କଂଗ୍ରେସ ଓ ଦୁଇଟିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ରଞ୍ଜନ ସେଠୀ ୧୨୦୩୦ ଭୋଟ ପାଇଥିବାବେଳେ କଂଗ୍ରେସର ଦେବାନନ୍ଦ ବେହେରା ୬୬୮୯, ବିଜେପିର ଜି.ସଞ୍ଜୀବ କୁମାର ୨୨୮୨ ଓ ସ୍ୱାଧୀନ ପ୍ରାର୍ଥୀ ଭୂଷିତ କୁମାର ବିଡିକା ୫୫୨ ଭୋଟ ପାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!