ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ରହସ୍ୟ, ଚାପି ଦେବା ପାଇଁ ଚାଲିଛି ଷଡଯନ୍ତ୍ର !

ଗଞ୍ଜାମ/ବ୍ରହ୍ମପୁର -: ମାତ୍ର ପାଞ୍ଚମାସ ତଳେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଏବେ ଚର୍ଚ୍ଚାରେ । ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ରହସ୍ୟଜନକ ମୃତ୍ୟୁ, ବାସ୍ତବରେ ଘଟଣା ନା ଦୁର୍ଘଟଣା ? ବିଭିନ୍ନ ମହଲରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲେ ହେଁ ଏହା ଉପରୁ ରହସ୍ୟ ଉଠିନାହିଁ । ଗତକାଲି ରାତି ୮ଟା ପରେ ଭଞ୍ଜନଗର ଥାନା ଶାଳୁଆପଲ୍ଲୀର ବନ ବିଭାଗ ଡାକବଙ୍ଗଳାରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ରୁଦ୍ଧଦ୍ୱାର ବୈଠକକୁ ବସିଥିଲା ।

Advertisement

ଏଠାରେ ଭୋଜିଭାତ ବି ଆୟୋଜିତ ହୋଇଥିଲା । ତେବେ କାହିଁକି ଏହି ଗୁପ୍ତ ବୈଠକ ଡକାଯାଇଥିଲା, ଏଂସକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳିନି । ତେବେ, ଗତକାଲି ଭଞ୍ଜନଗର ଏସଡିପିଓ ହଠାତ୍ ନିଜ ଆଡ଼ୁ ଆମ ପ୍ରତିନିଧିଙ୍କ ପାଖରେ ଘଟଣା ସଂପର୍କରେ ପ୍ରତିକ୍ରିୟା ରଖିଥିଲେ । ଆଉ ଦେବ୍‌ଙ୍କ ଭଉଣୀ ତାଙ୍କୁ ଫୋନ୍ କରି କ୍ୱାର୍ଟରକୁ ଯିବାକୁ କହିଥିଲେ ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ଏହାର କିଛି ସମୟ ପରେ ଏସ୍‌ଡିପିଓ ନିଜ ଆଡ଼ୁ ତାଙ୍କ ଓ ଦେବ୍‌ଙ୍କ ସାନଭଉଣୀ କୃଷ୍ଣପ୍ରିୟାଙ୍କ ଭିତରେ ହୋଇଥିବା ମାତ୍ର ଅଳ୍ପ ସମୟର ଅଡ଼ିଓ ବାର୍ତ୍ତାଳାପର କ୍ଲପ୍‌କୁ ଭାଇରାଲ୍ କରିଥିବା କୁହାଯାଉଛି । ଏଥିରେ କୃଷ୍ଣପ୍ରିୟା କହୁଛନ୍ତି, ତାଙ୍କ ଭାଇ ମାନସିକ ଅଶାନ୍ତିରେ ଅଛନ୍ତି ଓ ରିଭଲଭର୍ ଧରି ବୁଲୁଛନ୍ତି । କାଳେ ସେ ଆତ୍ମହତ୍ୟା କରିଦେବ, ଏଥିପାଇଁ କାହାକୁ ପଠାଇ ତାଙ୍କୁ ଅଟକାଇବା ପାଇଁ ସେ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଅନୁସନ୍ଧାନରୁ ହସ୍ତଗତ ହୋଇଥିବା ତଥ୍ୟାନୁସାରେ, ଦେବ୍‌ଙ୍କ ସାନଭଉଣୀ ଅନ୍ୟ ଜାତିରେ ବିବାହ କରିଥିବାରୁ ପରିବାର ସହିତ ତାଙ୍କର ସଂପର୍କ କଟିଯାଇଥିଲା । ଫଳରେ ଦେବ୍ କିଭଳି ମାନସିକ ଅବସାଦରେ ଥିବା ଭଉଣୀ ଜାଣିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ପତ୍ନୀ କହୁଛନ୍ତି, ଦେବ୍‌ଙ୍କ ମାନସିକ ଅବସ୍ଥା ଭଲ ଥିଲା । ସେ ଛୁଟିରେ ଆସିବାକୁ ଚାହୁଁଥିଲେ । ଫଳରେ କିଏ ମିଛ କହୁଛି ଓ କିଏ ସତ କହୁଛି, ଏହା ନିଶ୍ଚିତ ଭାବେ ତଦନ୍ତସାପେକ୍ଷ । ଇତିବସରରେ ‘ ବି.ଏନ୍‌.ଏସ୍‌’କୁ ଶବ ବ୍ୟବଚ୍ଛେଦର ପ୍ରାଥମିକ ତଥ୍ୟ ହସ୍ତଗତ ହୋଇଛି । ବ୍ରହ୍ମପୁର ବଡ଼ ମେଡିକାଲ୍ ଏଫଏମଟି ବିଭାଗର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟ ଅନୁସାରେ ଗୁଳିଟି ଦେବ୍‌ଙ୍କ ବାମପଟ ଜଂଘରେ ପଶି ଡାହାଣ ପଟ ପିଚା ଦେଇ ବାହାରିଛି । ଅତି ନିକଟରୁ ଗୋଟିଏ ରାଉଣ୍ଡ୍ ଗୁଳି ହୋଇଥିବାରୁ ମୁଖ୍ୟ ଧମନୀ(ଭେନ୍‌) ନଷ୍ଟ ହୋଇଛି । ଅତ୍ୟଧିକ ରକ୍ତସ୍ରାବ କାରଣରୁ ହିଁ ତାଙ୍କର ମୃତ୍ୟୁ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!