ରୁକୁଣା ରଥଯାତ୍ରାରେ ଅଘଟଣ, ଦବିଲା ରାସ୍ତା ଭାଙ୍ଗିଲା ଚକ

ଭୁବନେଶ୍ୱର -: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିନାହିଁ । ଆଜି ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲେ ହେଁ ରଥ ବଡ଼ଶଙ୍ଖ ନିକଟରେ ଅଟକିଥିଲା । ରାସ୍ତା ଦବିଯିବାରୁ ଗୋଟିଏ ପଟକୁ ରଥ ଅଣେଇ ହୋଇ ଚକ ଦବି ଯାଇଥିଲା । ଫଳରେ ରଥ ଆଗକୁ ଯାଇପାରିନଥିଲା । ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ବହୁ ଚେଷ୍ଟା କରି ବିଫଳ ହେବା ପରେ ରଥଟଣା ବନ୍ଦ ହୋଇଥିଲା । ଆସନ୍ତାକାଲି ଅପରାହ୍ନ ୩ଟାରେ ପୁଣି ରଥ ଟଣା ହେବ ବୋଲି ଜଣାପଡ଼ିଛି ।

Advertisement

ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅଳତି ଓ ଅବକାଶ ନୀତି କରାଯାଇଥିଲା । ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ବେଶ ଓ ସକାଳ ଧୂପ କରାଯାଇଥିଲା । ତିନି ମୁଣ୍ଡିଆ ଛକ ନିକଟରେ ରଥ ରହିଥିବା ବେଳେ ସକାଳୁ ରଥରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଧାଡ଼ି ବନ୍ଧିଥିଲେ । ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ଆଜି ରଥ ଟଣା ପାଇଁ ଅପରାହ୍ନ ୩ଟାରେ ପୁଲିସ, ମନ୍ଦିର ପ୍ରଶାସନ, ସେବାୟତଗଣ ରଥ ପାଖକୁ ଆସିଥିଲେ ।

ପ୍ରାୟ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା । କିଛି ବାଟ ଯିବା ପରେ ଅସୁଲକିଆରି ଠାରେ ପହଞ୍ଚିବା ପରେ ରଥରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ କରାଯାଇଥିଲା । ହେଲେ ଏହାର କିଛି ବାଟ ଯିବା ପରେ ରଥ ଅଟକିଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସ୍ୱେରେଜ୍ କାମ କରାଯିବା ପରେ ରାସ୍ତା ମରାମତି ଠିକ୍ ଭାବେ ହୋଇନଥିଲା । କେବଳ ପିଚୁରେ ତାଳି ପକା କାମ ହୋଇଥିଲା । ବାମ ପାର୍ଶ୍ୱରେ ସ୍ୱେରେଜ୍ କାମ ପରେ ପିଚୁ ପଡ଼ିଥିବାରୁ ବାମ ପଟ ଚକ ଦବିଯାଇଥିଲା । ରଥର ଭାର ସେହିପଟକୁ ପଡ଼ିବାରୁ ଆଗ ବାମ ଚକର କିଛି ଅଂଶ ଭାଙ୍ଗି ଯାଇଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ରଥ ରହିବା ପରେ ମହାରଣା ସେବାୟତ ଓ ବେହେରା ସେବାୟତ ଚକ ମରାମତି କରିଛନ୍ତି ।

watch now

ରଥରେ କେବଳ ପାଳିଆ ସେବାୟତ ରହିବେ


ରଥ ଉପରେ ଭିଡ଼ ହେଉଥିବାରୁ ରଥ ଅଧିକ ଲୋଡ୍ ହେଉଛି । ସୋମବାର ରଥ ଉପରେ କେବଳ ପାଳିଆ ସେବାୟତ ରହିବେ ବୋଲି ମନ୍ଦିର ଟ୍ରଷ୍ଟି ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି । ଆଜି ଚକ ଦବିବା ପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସଂଯୋଜନାରେ ରାମେଶ୍ୱର କ୍ଲବ ନିକଟରେ ଏକ ଜରୁରୀ ବୈଠକ କରାଯାଇଥିଲା । ଏଥିରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଥାନା ଅଧିକାରୀ ଓ ସେବାୟତମାନେ ସାମିଲ ହୋଇଥିଲେ । ରଥକୁ ହାଲୁକା କରିବା ଓ ଶୀଘ୍ର ଟାଣି ଆଣିବାକୁ କେବଳ ପାଳିଆ ସେବାୟତ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହା ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!