ଏ.ଆର.ଏସ.ଏସ ପଛରେ କିଏ ? ବେଆଇନ କାର୍ଯ୍ୟକରୁଛି କାର୍ଯ୍ୟାନୁଷ୍ଠାନ ନାହିଁ …

କେନ୍ଦୁଝର/ଆନନ୍ଦପୁର -: ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାପାଇଁ ଠିକାସଂସ୍ଥା ଏଆର.ଏସ୍‌.ଏସ୍ ଟେଣ୍ଡର ନେଇଛି । ରାସ୍ତା ନିର୍ମାଣ ବେଳେ ବିଭିନ୍ନ ସ୍ଥାନରୁ ମନଇଚ୍ଛା ମାଟି ଉଠାଇ ନେଉଛି । ଏପରିକି କେନ୍ଦୁଝର ଜିଲ୍ଲାର ସଂରକ୍ଷିତ ଜଙ୍ଗଲ ମଧ୍ୟ ବାଦ୍ ପଡ଼ିନାହିଁ ।

Advertisement

ଲୋକଙ୍କ ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ରାଜସ୍ୱ ବିଭାଗ ଜରିମାନା ଧାର୍ଯ୍ୟ କରୁଛି । ଏହାମଧ୍ୟରେ ୨ଟି ବେଆଇନ୍ ମାଟି ଖୋଳା ଘଟଣାରେ ୩୩ ଲକ୍ଷ ଟଙ୍କା ଜରିମାନା ହୋଇଥିବାବେଳେ ଠିକାସଂସ୍ଥା ଟଙ୍କାଟିଏ ବି ଦେଇନି । ଲଘୁ ଖଣିଜ ଆଇନ୍‌କୁ ଖୋଲା ଉଲ୍ଲଂଘନ କରି ମାଟି ଲୁଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି । କେଉଁ ରାଜନୈତିକ ନେତା ଓ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏହି ଠିକାସଂସ୍ଥା ମନମାନି ଚଳାଇଛି ବୋଲି ପ୍ରଶ୍ନ ଉଠୁଛି ।

ସୂଚନା ଅନୁସାରେ, ଯେ ଗତ ଜାନୁଆରି ୨୮ତାରିଖରେ ସାଇଁକୁଳ ରାଜସ୍ୱ ସର୍କଲ ହସନପୁର ମୈାଜାରୁ ଏକ ରାସ୍ତାକଡ଼ ଜମିରୁ ହଠାତ୍ ମୋରମ ତାଡ଼ିବା ଆରମ୍ଭ କରିଥିଲା । ପ୍ରଶାସନ ଜାଣିବା ଆଗରୁ କମ୍ପାନି ମେସିନ୍ ଲଗାଇ ଶହଶହ ଟ୍ରିପ୍ ମାଟି ଓ ମୋରମ ବୋହି ଚାଲିଥିଲା । ଏନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବାପରେ ୨୯ତାରିଖ ପୂର୍ବାହ୍ନରେ ସାଇଁକୁଳ ଆରଆଇ ବିଷ୍ଣୁପ୍ରିୟା ସାହୁ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମାଟି ଖନନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କିଛି ସମୟ ପାଇଁ ବନ୍ଦ ହେବାପରେ ପୁଣି ମାଟି ବୁହା ଚାଲିଥିଲା । ଏହା ଜାଣିବାପରେ ଘସିପୁରା ତହସିଲଦାର ବାବୁଲ ପେରେଇ ଫେବ୍ରୁଆରି ୭ତାରିଖରେ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ହାଜର ପାଇଁ ନୋଟିସ୍ କରିଥିଲେ ।

ତେବେ ସଂସ୍ଥାର କୈାଣସି ଅଧିକାରୀ ହାଜର ହେଲେନି । ପରେ ମାଟି ଖୋଳାଯିବା ସମ୍ପର୍କରେ ଅନୁଧ୍ୟାନ କରାଯାଇ ଏଆରଏସ୍‌ଏସ୍ କମ୍ପାନିକୁ ୨୦ଲକ୍ଷ ଟଙ୍କାର ଜରିମାନା କରାଯାଇ ନୋଟିସ୍ ପଠାଯାଇଥିଲା । ଏହି ଜରିମାନା ନୋଟିସ୍ ପଠାଯିବାର ଇତିମଧ୍ୟରେ ଦୁଇମାସ ବିତିବାକୁ ବସିଥିବାବେଳେ କମ୍ପାନି ଅଦ୍ୟାବଧି ଏହି ଅର୍ଥରାଶି ତହସିଲରେ ଜମା କରିନାହିଁ । ଏପଟେ ଠିକାସଂସ୍ଥା ସହିତ ସଲାସୁତରା କରି ଘସିପୁରା ବ୍ଲକର କନିଷ୍ଠଯନ୍ତ୍ରୀଙ୍କ ସହଯୋଗରେ ସ୍ଥାନୀୟ ଶାସକଦଳର ସମର୍ଥକମାନେ ମନରେଗାରେ ୧୦ଲକ୍ଷର ଏକ ପୋଖରୀ ବିଲ କରିବାକୁ କାଗଜପତ୍ର ପ୍ରସ୍ତୁତ କରିଥିବା ଜଣାପଡିଛି । ଏହି ଘଟଣା ପରେ ପୁଣି ଆନନ୍ଦପୁର ତହସିଲ ଅନ୍ତର୍ଗତ କନ୍ତୋ ରାଜସ୍ୱ ସର୍କଲ ଦରଖଳା ମୈାଜାରୁ ମାଟି ତଡ଼ା ଆରମ୍ଭ କରିଥିଲା ।

ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମେସିନ୍ ଲଗାଇ ଦିନଦ୍ୱିପହରେ ସବୁଜ ପରିବେଶ ନଷ୍ଟକରି ଚାଲିଥିଲେ ମଧ୍ୟ ସରକାରୀ ବାବୁମାନେ ସବୁ ଜାଣି ମଧ୍ୟ ଚୁପ୍ ରହିଥିଲେ । କନ୍ତୋ ରାଜସ୍ୱ ନିରୀକ୍ଷକ ନିହାର ରଞ୍ଜନ ସେଠୀ ଘଟଣାର ତଦନ୍ତ କରିବାପରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ୧୩ ଲକ୍ଷ ଟଙ୍କା ଜରିମାନା ନୋଟିସ୍ ଜାରି କରିଛନ୍ତି । କମ୍ପାନି ତୁରନ୍ତ ଜରିମାନା ଅର୍ଥ ଦାଖଲ ନକଲେ ଆଇନ୍ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି । ତେବେ ବ୍ୟାପକ ଜଙ୍ଗଲ ଜମି ନଷ୍ଟ କରାଯାଇଥିଲେ ମଧ୍ୟ ଆନନ୍ଦପୁର ଓ କେନ୍ଦୁଝର ଜଙ୍ଗଲ ବିଭାଗ ପକ୍ଷରୁ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

କିଛି ଅଧିକାରୀ ଏବଂ ରାଜନେତାଙ୍କ ଛତ୍ରଛାୟା ତଳେ ରହି ଏଆରଏସ୍‌ଏସ୍ ଏଭଳି ବେଆଇନ କାର୍ଯ୍ୟ ଚଳାଇଥିବା ବେଳେ ତଳିଆ କର୍ମଚାରୀମାନେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ହଟହଟା ହେବା ସାର ହେଉଛି । ରାଜସ୍ୱ ବିଭାଗ ପକ୍ଷରୁ କୈାଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏନ୍‌ଜିଟିରେ ମାମଲା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଜବାଜ ହେଉଥିବା ନେଇ ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!