ପଦାରେ ପଡିଲା କମିଶନରେଟ ପୋଲିସର ପାରିବା ପଣିଆ, କଟୁରି ଗ୍ୟାଙ୍ଗ ମୁଖିଆ ରାଜେଶ ଗଲା କୁଆଡେ

ଭୁବନେଶ୍ୱର -: ଗତ କିଛି ଦିନ ହେଲା ରାଜଧାନୀରେ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା କଟୁରି ଗ୍ୟାଙ୍ଗ୍ ମୁଖିଆ କୁଖ୍ୟାତ୍ ରାଜେଶ ମହାପାତ୍ର ଆଜି ଅଳ୍ପକେ ପୁଲିସ ପଞ୍ଝାରୁ ଖସିଯାଇଛି । ରାଜେଶକୁ ଧରିବା ପାଇଁ କମିସନେରଟ୍ ପୁଲିସ କରିଥିବା ସ୍ୱତନ୍ତ୍ର ପ୍ଲାନ୍ ଫେଲ୍ ମାରିଛି । ପୁଲିସ ତା’ର ୟୁନିଟ୍‌-୬ ପିଚୁପଡ଼ା ବସ୍ତିସ୍ଥିତ ଘରେ ଚଢ଼ଉ କରି କଟୁରି, ଚାପଡ଼ ଓ ଛୁରି ଭଳି ବହୁ ମାରଣାସ୍ତ୍ର ଜବତ କରିଛି ।

Advertisement

ତେବେ ଏହି ସ୍ୱତନ୍ତ୍ର ମିସନ୍ ଫେଲ୍ ହୋଇଥିବାରୁ କମିସନରେଟ୍ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛି ଦିନ ହେଲା ଭୁବନେଶ୍ୱରରେ ସକ୍ରିୟ ହୋଇଉଠିଛି ରାଜେଶର କଟୁରି ଗ୍ୟାଙ୍ଗ୍ । ବିଳମ୍ବିତ ରାତିରୁ ଭୋର୍ ପର୍ଯ୍ୟନ୍ତ ବୁଲିବୁଲି ଲୁଟ୍‌ତରାଜ୍ ଚଳାଇଛି ଏହି ଗ୍ୟାଙ୍ଗ୍ । କଟୁରିରେ ହାଣି ପକାଇବା ସହ ବନ୍ଧୁକ ଦେଖାଇ ଏହି ଗ୍ୟାଙ୍ଗ୍ ଛିନ୍‌ତାଇ କରୁଛି । ଗତ ଦୁଇ ସପ୍ତାହ ଭିତରେ ପ୍ରାୟ ୭ଟି ଲୁଟ୍ କରିସାରିଲାଣି ରାଜେଶ ଗ୍ୟାଙ୍ଗ୍ ।

watch now (subscribe your chanel

ପୁଲିସ ତଦନ୍ତରୁ ଏସବୁ ରାଜେଶର କାଣ୍ଡ ବୋଲି ଜଣାପଡ଼ିବା ପରେ ତାକୁ ଧରିବା ପାଇଁ ଯୋଜନା କରାଯାଇଥିଲା । ରାତିରେ ଘରେ ରହୁନଥିବାରୁ ତାକୁ ଦିନବେଳା ହିଁ କାବୁ କରିବାକୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ଆଜି ସେ ଘରେ ଥିବା ଖବର ପାଇ ପୁଲିସ ଟିମ୍ ଅପରାହ୍ଣ ଗୋଟାଏ ବେଳେ ପିଚୁପଡ଼ା ବସ୍ତିରେ ଚଢ଼ଉ କରିଥିଲା । କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣ ବରିଷ୍ଠ ଅଧିକାରୀଙ୍କ ସହ ତିନି ତିନିଟି ପିସିଆର୍ରେ ପ୍ରାୟ ୨୦ ଜଣ ପୁଲିସ କର୍ମଚାରୀ ତା’ ଘରକୁ ଘେରି ଯାଇଥିଲେ । କବାଟ ଭାଙ୍ଗି ଘର ଭିତରକୁ ପଶିବା ବେଳକୁ କିନ୍ତୁ ରାଜେଶ ଅନ୍ତର୍ଦ୍ଧାନ୍ ହୋଇଯାଇଥିଲା ।

ଉକ୍ତ ଘରର ଚାରି କଡ଼ରେ ପୁଲିସ ଜଗି ରହିଥିଲେ ବି ସେ କେଉଁ ବାଟ ଦେଇ ଖସିଗଲା, କେହି ଜାଣି ପାରିଲେନାହିଁ । ପରେ ପୁଲିସ ତା ଘରକୁ ଯାଞ୍ଚ କରିଥିଲା । ମେଟାଲ୍ ଡିଟେକ୍ଟର ବ୍ୟବହାର କରି ମାରଣାସ୍ତ୍ର ଖୋଜା ଯାଇଥିଲା । ଯାଞ୍ଚ ବେଳେ ତା ଘରର ଆଜ୍‌ବେଷ୍ଟସ୍ ଭାଙ୍ଗି ଦିଆଯାଇଥିଲା । ଏମିତିକି କାନ୍ଥ ତାଡ଼ି ଦିଆଯାଇଥିଲା । ଗୋଟିଏ ବାକ୍ସରୁ ୨ଟି କଟୁରି, ୩ଟି ବଡ଼ ଚାପଡ଼ ବା ଛୁରି ଓ ଗୋଟିଏ ଖେଳଣା ବନ୍ଧୁକ ମିଳିଥିଲା । ପୂର୍ବରୁ ରାଜେଶ ବହୁଥର ଜେଲ୍ ଯାଇଥିଲେ ମଧ୍ୟ ଜାମିନ୍‌ରେ ଆସି ଲୁଟ୍‌ପାଟ୍ ଚଳାଇଆସୁଛି । ନୂଆ ନୂଆ ସଦସ୍ୟଙ୍କୁ ନେଇ ଗ୍ୟାଙ୍ଗ୍ ଗଢ଼ୁଛି ଓ ନୂଆ ତରିକାରେ ଲୁଟ୍ କରୁଛି । ତା’ ନାଁରେ କ୍ୟାପିଟାଲ, ନୂଆପଲ୍ଲୀ, ଖଣ୍ଡଗିରି, ସହିଦନଗର ଆଦି ଥାନାରେ ୨୦ରୁ ଅଧିକ ଛିନ୍‌ତାଇ ମାମଲା ରହିଛି । ପୁଲିସ ଆଖିରେ ଧୂଳି ଦେଇ ବାରମ୍ବାର ଚମ୍ପଟ ମାରିବାରେ ସକ୍ଷମ ହେଉଥିବାରୁ ଏଥର ପୁଲିସ ତାକୁ ରାଜଧାନୀରୁ ତଡ଼ିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ପୂର୍ବରୁ କେବିଏନ୍ ଗ୍ୟାଙ୍ଗ୍ ସଦସ୍ୟମାନଙ୍କ ଘର ଉପରେ ଯେମିତି ଚଢ଼ଉ କରାଯାଇଥିଲା, ଏଥର ସେମିତି ରାଜେଶ ଘରକୁ ପୁଲିସ ଟାର୍ଗେଟ୍ କରିଥିଲା । ଏଥର ସେ ଧରାପଡ଼ିଲେ, ତାକୁ ତଡ଼ିର୍ପା କରାଯିବ କିମ୍ବା ତା ବିରୋଧରେ ସଂଗିନ୍ ଦଫା ଲଗାଇ ଜେଲ୍ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!