ବିଶ୍ୱ ପାଳୁଛି ବିଶ୍ୱ ଐତିହ୍ୟ ଦିବସ, ଓଡିଶାର ରାଜଧାନୀରେ ଐତିହ୍ୟ ପୁଷ୍କରିଣୀ ଅବହେଳିତ

ଭୁବନେଶ୍ୱର -: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ୱ ଐତିହ୍ୟ ଦିବସ । ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ । କେବଳ ଦିବସ ପାଳନରେ ସୀମିତ ରହିଯାଉଛି ଐତିହ୍ୟ ଦିବସ ।

Advertisement

ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀର ଅବସ୍ଥାରୁ ଏହା ସ୍ପଷ୍ଟ ଅନୁମେୟ । ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ । ଏଠାରେ ଥିବା କୀର୍ତ୍ତିରାଜି ସହ ଐତିହ୍ୟ ପୁଷ୍କରିଣୀର ରହିଛି ପୁରାତନ କିଂବଦନ୍ତି । ଏହି ଐତିହ୍ୟ ପୁଷ୍କରିଣୀ ଗୁଡ଼ିକ ଏବେ ଅବହେଳିତ ଅବସ୍ଥାରେ ରହିଛି । ସେଗୁଡ଼ିକ ମଧ୍ୟରୁ କେଉଁଠାରେ ଜବରଦଖଲ ହେଉଛି ତ କେଉଁଠାରେ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲାଣି । ପାପନାଶିନୀ ପୁଷ୍କରିଣୀର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଦୁକ କୁଣ୍ଡ ସହ ସଂଯୋଗ ରହିଛି । ଏଠାରେ ସ୍ନାନ କଲେ ପାପନାଶ ହୁଏ ବୋଲି କୁହାଯାଏ । ହେଲେ ଏଥିରେ ଦଳ ଭାସିବା ସହ ଚାରିପଟ ମରଣାଯନ୍ତା ପାଲଟିଛି । ସେହିପରି ଏକାମ୍ର କ୍ଷେତ୍ରରେ ଦେବୀ ପାଦହରା ପୁଷ୍କରିଣୀ ଅନ୍ୟତମ । ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଏହି ପୁଷ୍କରିଣୀ ।

watch now

ଏହାର ଚାରିପଟେ ରହିଛି ୧୦୮ଶିବଲିଙ୍ଗ ମନ୍ଦିର । ଏଥିମଧ୍ୟରୁ ପ୍ରାୟ ୪୦ଟି ମନ୍ଦିରର ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି । ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଏଏସ୍‌ଆଇ ଏବେ କାମ ଆରମ୍ଭ କରିଥିଲେ ହେଁ ଏହାର ଚାରିପଟେ ଥିବା ଭଗ୍ନ ମନ୍ଦିରର ଉନ୍ନତିକରଣ ହେବ ନାହିଁ ବୋଲି ଏଏସ୍‌ଆଇ ମନା କରିଛି । ସେହିପରି ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ସମସ୍ତଙ୍କୁ ଜଣା । ପ୍ରାୟ ଦେଢ଼ କିଲୋମିଟର ପରଧିରେ ଥିବା ଏହି ପୁଷ୍କରିଣୀକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକ ଆସିଥା’ନ୍ତି । ହେଲେ ଏହି ପୁଷ୍କରିଣୀ ଦଳ ଭର୍ତ୍ତି ଯୋଗୁଁ ବହୁ ପର୍ଯ୍ୟଟକ ନାକ ଟେକନ୍ତି । ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ ଅଏଲର ସିଏସ୍‌ଆର ପାଣ୍ଠିରୁ ଟଙ୍କା ବ୍ୟୟରେ ଚତୁପାର୍ଶ୍ୱରେ ୪ଟି ପାଣି ମଟର ଲଗାଯାଇଥିଲା । ଯାହା ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ ଏବଂ ଓବିସିସି ସହଯୋଗରେ କରାଯାଇଥିଲା । ବିଏମ୍‌ସି ପକ୍ଷରୁ ଦଳକୁ ସଫେଇ କରାଯାଇଥିଲା । ତେବେ ପୁଣି ବିନ୍ଦୁସାଗରରେ ଚୁଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି ।

watch now

ସେହିପରି ଦୟାନଦୀରେ ପାଣି ପମ୍ପ ଲାଗାଯାଇ ସାମନ୍ତରାପୁର ୱାଟ୍‌କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଇପ୍ ବିଛା ସରିଛି । ସେଠାରେ ପାଣି ବିଶୋଧନ କରାଯାଉଛି । ସେଠାରୁ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍‌, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ୱର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍ ସଂଯୋଗ କାମ ସରିଛି । ବିନ୍ଦୁସାଗର ଚାରିପଟେ ପାଇପ୍ ବିଛା ସରିଛି । ହେଲେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହା ହେଲେ ପ୍ରତିଦିନ ୨୦ଲକ୍ଷ ଲିଟର ପାଣି ବିନ୍ଦୁସାଗରକୁ ଆସିବ । କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାମ ସରିଛି । ତେବେ ଏହାର ମୂଳ ସମସ୍ୟା କୁଣ୍ଡରେ ନୀଳ ପାଣି ଭାସିବା ସମାଧାନ ହୋଇନାହିଁ ।

ଏକାମ୍ର କ୍ଷେତ୍ରର ଐତହ୍ୟ ପୁଷ୍କରିଣୀ ରାମେଶ୍ୱର ପୁଷ୍କରିଣୀ, କୋଟି ତୀର୍ଥେଶ୍ୱର ପୁଷ୍କରିଣୀ, ସୂକ୍ଷେ୍ମଶ୍ୱର ପୁଷ୍କରିଣୀ, ଗୋସାଗରେଶ୍ୱର ପୁଷ୍କରିଣୀ, ଗୋଡ଼ିପୋଖରୀ ଏବେ ଅବହେଳିତ ଅବସ୍ଥାରେ ରହିଛି । ପୁଷ୍କରିଣୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଜନବସତି ମଧ୍ୟରେ ଏହା ମଶା ବଂଶ ବୃଦ୍ଧି କରୁଛି । ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ । ଏଏସଆଇ ଭୁବନେଶ୍ୱର ସଂଗ୍ରାଧୀକ୍ଷକ ଅରୁଣ କୁମାର ମଲ୍ଲିକ କୁହନ୍ତି, ମନ୍ଦିରମାଳିନୀ ଭୁବନେଶ୍ୱରରେ ପ୍ରତିଟି ଦେବାଳୟ ସହିତ ଜଡ଼ିତ ହୋଇ ଥିବା ଐତିହ୍ୟ ପୁଷ୍କରିଣୀର ଜଳ ନିଷ୍କାସନ ଓ ଏହାର ପୁନରୁଦ୍ଧାର ନ ହୋଇପାରିଥିବାରୁ ବର୍ଷାଦିନେ ଅନେକ ମନ୍ଦିରର ଦିଅଁ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି । ତେବେ ଉକ୍ତ ପୁଷ୍କରିଣୀ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କାମ ବିଗତ ବର୍ଷରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ତାହା ସମ୍ପୂର୍ଣ୍ଣ କରାଯିବ । ଦେବୀ ପାଦହରା ପୁଷ୍କରିଣୀ କାମ ଚାଲିଥିବା ବେଳେ ରାମେଶ୍ୱର, ବ୍ରହ୍ମେଶ୍ୱର, ପାପନାଶିନୀର ପୁନରୁଦ୍ଧାର ହେବ । ସେହିପରି ଶୁକଶାରି ମନ୍ଦିର ଖନନ କାମ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ଭବାନୀ ଶଙ୍କର ମନ୍ଦିର ଓ ଶୁକଶାରି ମନ୍ଦିର ମଝି ରାସ୍ତାଦେଇ ବିନ୍ଦୁସାଗର ଯାଏ ଖୋଳାଯାଇ ଅନ୍ୟ ମନ୍ଦିର କିଛି ଅଛି କି ନାହିଁ ଏବଂ ବିନ୍ଦୁସାଗର ଓ ଲିଙ୍ଗରାଜ ମନ୍ଦିର ସହିତ ତାହା କିପରି ଜଡ଼ିତ ସେ ବିଷୟରେ ଅଧିକ ଅନ୍ୱେଷଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଇଣ୍ଟରନ୍ୟାନାଲ୍ କାଉନ୍‌ସିଲ୍ ଫର୍ ମନୁମେଣ୍ଟ୍‌ସ ଆଣ୍ଡ୍ ସାଇଟ୍‌ସ’ ପକ୍ଷରୁ ଚଳିତ ବର୍ଷ ଐତିହ୍ୟ ଦିବସର ବିଷୟ ରହିଛି ‘ଐତିହ୍ୟ ଓ ଜଳବାୟୁ’ । ଉକ୍ତ ବିଷୟକୁ ନେଇ ଶ୍ରୀ ମଲ୍ଲିକ କହିଛନ୍ତି, ଐତିହ୍ୟ ଆମକୁ ଜଳବାୟୁ ବିଷୟରେ ସୂଚନା ଦେଇଥାଏ । ପରିବେଶ ପରିବର୍ତ୍ତନ ହେଲେ ଆମ ମୃତ୍ତିକା ଉପରେ ପ୍ରଭାବ ପକାଇବ । ଯାହା ଅନୁରୂପ ଭାବେ ମାନବ ସମାଜକୁ କ୍ଷତି ପହଞ୍ଚାଇବ । ତେଣୁ ପ୍ରତି ଅଞ୍ଚଳର ଘର, ଅଞ୍ଚଳର ଐତିହ୍ୟ ସେ ଅଞ୍ଚଳର ପରିବେଶ ମୁତାବକ ତିଆରି ହୋଇଛି । ଏହାର ଉଦାହରଣ ହାୱା ମହଲ । ହେଲେ ଲୋକେ ଏହାର ଆବଶ୍ୟକତାକୁ ଅନୁଭବ କରି ପାରୁ ନାହାନ୍ତି । କୌଣସି କାରଣ ନଥାଇ ଅଯଥା ବଡ଼ ବଡ଼ ଅଟ୍ଟାଳିକା ତିଆରି କରିଛନ୍ତି । ସେହିପରି ଓଡ଼ିଶାରେ ପ୍ରତି ଐତିହ୍ୟ ସ୍ଥଳୀ ଓ ଘର ପାଖରେ ପୋଖରୀ ରହିଥାଏ । ଏହା ଲୋକଙ୍କ କାମରେ ଆସିବା ସହିତ ପରିବେଶ ଅନୁକୂଳ ହୋଇ ଥାଏ । ଲୋକେ ଏବେ ନିଜ ଘର ପାଖରେ ଥିବା ପୋଖରୀ ପୋତି ଦେଉଛନ୍ତି । ଯାହାର ପ୍ରଭାବ ଆମେ ଜଳବାୟୁରେ ଦେଖିବାକୁ ପାଉଛୁ । ତେଣୁ ଚଳିତ ବର୍ଷ ଏହାକୁ ନଜରରେ ରଖି ଐତିହ୍ୟ ପୋଖରୀକୁ ପୁନରୁଦ୍ଧାର କରିବା ପାଇଁ ଏଏଏସଆଇ ନିଷ୍ପତ୍ତି ନେଇଛି ।

ରାମେଶ୍ୱର ପୁଷ୍କରିଣୀ, କେଦାରଗୈାରୀ, ଗୋସାଗରେଶ୍ୱର ପୁଷ୍କରିଣୀ ସଫା ହେଉନାହିଁ । କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନଜର ନାହିଁ ।
ବିଷ୍ଣୁ ପ୍ରସାଦ ମୁଦୁଲି

ବିନ୍ଦୁସାଗର ପାଣିରେ ସ୍ନାନ କରି ହେଉନାହିଁ । ଏହାଦ୍ୱାରା ଏକାମ୍ର କ୍ଷେତ୍ରର ଗରିମା ନଷ୍ଟ ହେଉଛି । ପାଣି ଅପରିଷ୍କାର ଯୋଗୁଁ କେବଳ ତୀର୍ଥ ପାଣି ସିଞ୍ଚନ କରୁଛୁ ।
– ବାବୁ ଦୁବେ, କୋଲକାତା

ବିନ୍ଦୁସାଗର, ନନ୍ଦକୁଣ୍ଡ ପୁଷ୍କରିଣୀ, ଦେବୀ ପାଦହରା, କେଦାରଗୌରୀ, ଗୋସାଗରେଶ୍ୱର, ରାମେଶ୍ୱର, ଆଦି ୧୫ରୁ ଊର୍ଧ୍ୱ ପୁଷ୍କରିଣୀ ପରିତ୍ୟକ୍ତ ହେବାକୁ ବସିଲାଣି । ଯେଉଁ ମନ୍ଦିରକୁ ପର୍ଯ୍ୟଟକ ଅଧିକ ଆସୁଛନ୍ତି ଏଏସ୍‌ଆଇ କେବଳ ସେହି ମନ୍ଦିର ବ୍ୟତୀତ ଅନ୍ୟ କିଛି କରୁନାହିଁ ।
– ଶରତ ଚନ୍ଦ୍ର ପଣ୍ଡା, ସେବାୟତ

Advertisement

Leave a Reply

Your email address will not be published. Required fields are marked *

error: Content is protected !!