ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର ପର୍ଦ୍ଦାଫାସ କରି ପୁଲିସ ହତ୍ୟାକାଣ୍ଡର ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ।

ମୃତଦେହଟି ଗୁଜରାଟର କଚ୍ଛ ଜିଲ୍ଲା ମଣ୍ଡେଇ ତହସିଲ ଅନ୍ତର୍ଗତ ଗଡ଼ଶିସା ଗାଁର ଅକ୍ରାମ ରଜାକ ରାୟାମ୍ । ଟ୍ରକ ପରିବହନରେ ନିଜେ ଡ୍ରାଇଭିଂ କରି ବିଭିନ୍ନ ରାଜ୍ୟକୁ ସାମଗ୍ରୀ ନେଇ ଯାଉଥିବା ଅକ୍ରାମଙ୍କୁ ତାଙ୍କ ଟ୍ରକ୍ ହେଲ୍ପର ସୁରଜିତ ସିଂଙ୍କ ସମେତ ସହଯୋଗୀ ଜାଗିର ସିଂ ଓ ପୋଲ୍ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି । ଟ୍ରକକୁ ବିକିବା ଲୋଭରେ ସୁରଜିତ ଓ ଅନ୍ୟମାନେ ଏ କାଣ୍ଡ ଭିଆଇଥିବା ପୁଲିସ କହିଛି । ମୁଖ୍ୟ ଅଭିଯୁକ୍ତ ସୁରଜିତ ସିଂ ଧରା ପଡିଥିବା ବେଳେ ଫେରାର ଥିବା ଅନ୍ୟ ଦୁଇ ସହ ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡିବେ ବୋଲି ଏସପି ସାଗରିକା ନାଥ କହିଛନ୍ତି ।

Advertisement

ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏସପି ଶ୍ରୀମତୀ ନାଥ ହତ୍ୟାକାଣ୍ଡର ସବିଶେଷ ବିବରଣୀ ରଖିଥିଲେ । ବଡ଼ଗାଁ ଥାନାରୁ ପ୍ରାୟ ୩ କିମି ଦୂର ବିଜୁ ଏକ୍ସପ୍ରେସ ୱେ ମରଚିମୁଣ୍ଡା ଛକ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ଏକ ବସ୍ତାରେ ହାତଗୋଡ଼ ବନ୍ଧା ଅଜଣା ମୃତଦେହ ଉଦ୍ଧାର ହୋଇଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେବା ପରେ ଏସପି ଶ୍ରୀମତୀ ନାଥଙ୍କ ତତ୍ତ୍ୱାବଧାନ ଓ ରାଜଗାଙ୍ଗପୁର ଏସଡିପିଓଙ୍କ ନେତୃତ୍ୱରେ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ୨ଟି ଅନ୍ତଃରାଜ୍ୟ ଟିମ ସମେତ ୩ଟି ସ୍ୱତନ୍ତ୍ର ଟିମ୍ ତନାଘନା ଆରମ୍ଭ କରିଥିଲା ।

ସାଇବର ସେଲ୍ ତଦନ୍ତରେ ସହଯୋଗ କରିଥିଲା । ଠିକ୍ ଏହି ସମୟରେ ଛତିଶଗଡ଼ ଯାଇଥିବା ଗୁଜରାଟର ଅକ୍ରାମ ୮ ତାରିଖରୁ ନିଖୋଜ ଥିବା ସୂଚନା ମିଳିଥିଲା । ଏନେଇ ପରିବାର ଲୋକେ ୧୨ ତାରିଖରେ ଛତିଶଗଡ଼ ବିଳାସପୁର ଜିଲ୍ଲା ଚକ୍ରବର୍ତ୍ତୀ ଥାନାରେ ଏତଲା ଦେଇଥିଲେ । ଅକ୍ରାମ ନିଜ ୧୦ ଚକିଆ କଣ୍ଟେନର (ଜିଜେ ୦୧ ଜେଡି ୨୫୫୨)ରେ ୫ ତାରିଖରେ ସୁରଟରୁ ଲୁଗା ନେଇ ବିଳାସପୁର ଯାଇଥିଲେ । ୮ ତାରିଖ ଅପରାହ୍ନ ୫ଟାରେ ବିଳାସପୁରରେ ଲୁଗା ବୋଝ ଓହ୍ଲାଇଥିଲେ । ଏହା ପରଠାରୁ ଅକ୍ରାମଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ।

ଅକ୍ରାମଙ୍କ ବାପା ୧୨ ତାରିଖରେ ବିଳାସପୁର ଆସି ପୁଅ ସହ ଟ୍ରକ ବି ନିଖୋଜ ଥିବା ଜାଣିବାକୁ ପାଇଥିଲେ । ବଡଗାଁ ପୁଲିସ ଓ ଛତିଶଗଡ଼, ପଶ୍ଚିମବଙ୍ଗ ପୁଲିସର ନିଷ୍ଠାପର ତଦନ୍ତ ପରେ ଟ୍ରକଟି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଠାବ ହୋଇଥିଲା । ଏହା ପରେ କିଛି ମାସ ତଳେ ଅକ୍ରାମଙ୍କ ଟ୍ରକରେ ନିୟୋଜିତ ହେଲ୍ପର ପଞ୍ଜାବର ସୁରଜିତ ସିଂ ଉପରେ ପୁଲିସର ସନ୍ଦେହ ହୋଇଥିଲା । ତାକୁ ଫୋନ ଟ୍ରାକ କରି ଧରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା । ବିଳାସପୁରରେ ଲୁଗା ଓହ୍ଲାଇବା ପରେ ଛତିଶଗଡ଼ ଭାଟାପରାରେ ଅକ୍ରାମଙ୍କୁ ହେଲ୍ପର ଓ ତାର ଦୁଇ ସହଯୋଗୀ ଟ୍ରକ ପାନାରେ ଆକ୍ରମଣ କରି ହତ୍ୟା କରିବା ପରେ ଶବକୁ ବସ୍ତାରେ ଭର୍ତ୍ତି କରି ବଡ଼ଗାଁ ନିକଟରେ ଫିଙ୍ଗି ଟ୍ରକକୁ ପଶ୍ଚିମବଙ୍ଗରେ ବିକିବାକୁ ନେଇ ଯାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!