ଗୋ ଚାଲାଣ ପ୍ରସଙ୍ଗରେ ପୋଲିସ ଡିଜି, ରାଜ୍ୟ ଗୃହ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ -: ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ଗୋ ସୁରକ୍ଷା ପାଇଁ ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ଓ ଏ ସଂପର୍କିତ ୧୯୬୦ର ନିୟମାବଳୀ ରହିଛି । କିନ୍ତୁ ଆଇନ ଓ ନିୟମାବଳୀ କଡ଼ାକଡ଼ି ପାଳନ କରାଯାଉ ନାହିଁ ବୋଲି ଅଭିଯୋଗ କରି ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି । ଅନ୍ୟ ରାଜ୍ୟରେ ଗୋ ସୁରକ୍ଷା ପ୍ରସଂଗରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାରେ କିନ୍ତୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

Advertisement

ଫଳରେ ଗୋ ହତ୍ୟା ଓ ଗୋ ଚାଲାଣ ଭଳି ଘଟଣା ରାଜ୍ୟରେ ବୃଦ୍ଧି ପାଇଛି । ବୟସ୍କ ଗାଈ, ବଳଦ ସହିତ ବାଛୁରି ମଧ୍ୟ ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ କରାଯାଉଛି । ଏପରି ପରିସ୍ଥିତିରେ ଗୋ ସୁରକ୍ଷା ପାଇଁ ସରକାର ଆଇନରେ ସଂଶୋଧନ ଆଣିବା ସହିତ ଏ ସଂପର୍କିତ ନିୟମ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଆବେଦନକାରୀ ନିବେଦନ କରିଛନ୍ତି । ଗୋ ହତ୍ୟା ଓ ଗୋ ଚାଲାଣ ରୋକିବାକୁ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ତରଫରୁ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ୨୧ଟି ବେଆଇନ ଗୋଚାଲାଣ ଓ ଗୋ-ହତ୍ୟା ସଂପର୍କିତ ମାମଲାର ତଥ୍ୟ ଦାଖଲ କରାଯାଇଛି । ରାଜ୍ୟ ବାହାରକୁ ଗୋ ଚାଲାଣ ନେଇ ଏହି ସବୁ ମାମଲାରୁ ସ୍ପଷ୍ଟ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!