କାହା ଭରସାରେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା ଶାରଳା ?

ଜଗତସିଂହପୁର -: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଓ ତାଙ୍କ ମନ୍ଦିର ପ୍ରତି ଅବହେଳାର ସୀମା ଟପିଲାଣି । ମନ୍ଦିରର ପାରିପାର୍ଶ୍ୱିକ ଅବସ୍ଥା ସାଂଘାତିକ ଭାବେ ବିଗିଡ଼ିଲାଣି । ଜିଲ୍ଲା ପ୍ରଶାସନ ଏ ଦିଗରେ ମୁଣ୍ଡ ପୂରାଉନାହିଁ । ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି । ସିଂହଦ୍ୱାର ଠାରୁ ଆରମ୍ଭ କରି ଦୀପ ଓ ଭୋଗ ଦୋକାନ ପର୍ଯ୍ୟନ୍ତ ସବୁ ଛାତ ଫାଟି ଆଁ ହେଲାଣି । ସେଥିରୁ ପୁଳାପୁଳା ସିମେଣ୍ଟ ଶ୍ରଦ୍ଧାଳୁଙ୍କ ଉପରେ ଖସୁଛି । ମରାମତି ହେଉନାହିଁ କି ଚୂନ ଲଗାଯାଉନାହିଁ । ଏବେ କୋଟିକୋଟି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଓ ଭରସା ଥିବା ମା’ ଶାରଳାଙ୍କ ପୀଠ କାହା ଭରସାରେ ବୋଲି ଭକ୍ତ ପ୍ରଶ୍ନ କରୁଛନ୍ତି । ମନ୍ଦିର ପରିଚାଳନା ଚରମ ଦୁର୍ଦ୍ଦିନରେ ପହଞ୍ଚିଛି ।

Advertisement

କୋଟିଏ ଟଙ୍କା ଖର୍ଚ୍ଚ ହେଲା କେମିତି ଓ କେଉଁଠି ?


ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି ପାଇଁ ତତ୍‌କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ୧ କୋଟି ଟଙ୍କାର ଅନୁଦାନ ଘୋଷଣାକରି ଭୋଟରଙ୍କ ମନ ଜିଣିଲେ । ପୂର୍ବତନ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେବାକୁ କୈାଣସି ବ୍ୟବସ୍ଥା କରାଯାଇ ନାହିଁ । ତାଙ୍କ ସମୟରେ ଆସିଥିବା ଏହି ଟଙ୍କା କେମିତି ଓ କେଉଁଠି ଖର୍ଚ୍ଚ ହେଲା ତାର ହିସାବ କାହା ପାଖରେ ନାହିଁ । ବିବାଦୀୟ ପରିସ୍ଥିତିରେ ମନ୍ଦିର ସାମ୍ନାରେ ଦାରୁ ସ୍ମୃତିରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ବଡ଼ ଠାକୁର ବଳଭଦ୍ରଙ୍କ ଏକ ମନ୍ଦିର ନିର୍ମାଣ କରାଗଲା । ସେହି ମନ୍ଦିରରେ ଏବେ ବି ତାଲା ଝୁଲୁଛି । ମନ୍ଦିର ନିର୍ମାଣ କେବଳ ଠିକାଦାର ସ୍ୱାର୍ଥରେ କରାଗଲା ବୋଲି ସମାଲୋଚନା ହେଉଛି । ଯେଉଁ ସ୍ଥାନରେ ଟ୍ରାଫିକ୍ ସମସ୍ୟା ପାଇଁ ୫୦ରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବନଜୀବିକା ବିପନ୍ନ କରାଗଲା ସେଠାରେ ତାଲା ପଡ଼ି ରହିଥିବା ମନ୍ଦିର ଉପହାସ ସଦୃଶ ଠିଆ ହୋଇ ରହିଛି । ମନ୍ଦିର ଭିତରେ ବଳଭଦ୍ରଙ୍କ ରଥ ଚକକୁ ରଖାଯାଇ ତାଲା ପକା ଯାଇଛି । ମନ୍ଦିର କେବେ ପ୍ରତିଷ୍ଠା ହେବ ତାର ଉତ୍ତର କାହା ପାଖରେ ନାହିଁ ।

ପାଚେରି ନିର୍ମାଣ କାହା ସ୍ୱାର୍ଥରେ ?


ମନ୍ଦିରର ଜମିକୁ ଜବରଦଖଲମୁକ୍ତ କରିବା ଉଦ୍ଦେଶ୍ୟରେ ମାପଚୁପ କରି ପୁରୁଣା ମେଘନାଦ ପାଚେରି ଭଙ୍ଗାଯିବା ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟିହେଲା । ଏପର୍ଯ୍ୟନ୍ତ ମନ୍ଦିର ପଛପାଖରେ ଥିବା ଠାକୁରାଣୀଙ୍କ ଜମି ଅନ୍ୟ ଲୋକଙ୍କ ଦଖଲରେ ରହିଛି । କାହିଁକି ପାଚେରି ଭଙ୍ଗା ଯାଇଥିଲା ତାର କୈାଣସି ସନ୍ତୋଷଜନକ ଉତ୍ତର ନପାଇ ପୂଜକଙ୍କ ଭିତରେ ଅସନ୍ତୋଷ ତୀବ୍ର ହୋଇଛି । ମନ୍ଦିରର ଉନ୍ନତୀକରଣ ପାଇଁ କୋଟିଏ ଟଙ୍କାର ଖର୍ଚ୍ଚକୁ ନେଇ ବଢ଼ିଥିବା ସନ୍ଦେହ ଏବେ ଅସନ୍ତୋଷର ମଞ୍ଜି ବୁଣିଛି । ମନ୍ଦିରର ସୈାନ୍ଦର୍ଯ୍ୟ ରସାତଳକୁ ଯାଉଥିବା ବେଳେ କୋଟିଏ ଟଙ୍କାର ଅନୁଦାନ ଅର୍ଥ ଖର୍ଚ୍ଚ ଧର୍ମକୁ ଆଖିଠାର ସଦୃଶ ହୋଇଛି ।

ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡ଼ୁ ନାହିଁ


ଜିଲ୍ଲାପାଳ ଭାବେ ପାରୁଲ ପଟ୍ଟୱାରୀ ଯୋଗ ଦେବାର କିଛି ଦିନ ପରେ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏହାପରେ ମନ୍ଦିରକୁ ସେ ସମ୍ପୂର୍ଣ୍ଣ ଭୁଲି ଗଲାଭଳି ମନେ ହୁଏ । ମାର୍ଚ୍ଚମାସ ଶେଷ ସପ୍ତାହରେ ଏଠାକୁ ଜିଲ୍ଲାପାଳ ଆସି ସପ୍ତାହକ ମଧ୍ୟରେ ସବୁ ସମସ୍ୟାର ସମାଧାନ କରାଯିବ କହି ଚୁପ୍ ରହିଛନ୍ତି । ମନ୍ଦିର ପାରିପାର୍ଶ୍ୱିକ ବ୍ୟବସ୍ଥା ବିଗୁଡ଼ୁଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ତ୍ୱେ ସମସ୍ତ ପ୍ରାଶାସନିକ ଅଧିକାରୀ ନିଦାବିଷ୍ଣୁ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୈାର୍ଯ୍ୟ ରଂଜନ ପରିଜାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁ ନାହିଁ । ଦୁଇ ମାସରୁ ଅଧିକ ହେବ ତାଙ୍କର ଏଠାରେ ଦେଖାଦର୍ଶନ ନାହିଁ । ଅବୈତନିକ ଭାବେ ନିୟୋଜିତ ଏହି ଅଧିକାରୀ ରୁହନ୍ତି ଭୁବନେଶ୍ୱରରେ । ଖର୍ଚ୍ଚାନ୍ତ ହୋଇ ଏଠାକୁ ଆସି ଦୈନନ୍ଦିନ କାର୍ଯ୍ୟ ତୁଲାଇବା ସମ୍ଭବ ହେଉନାହିଁ ।

ବନ୍ଦ ରହିଛି ଯାତ୍ରୀ ବିଶ୍ରାମାଗାର


ସେହିପରି ମନ୍ଦିର ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯାତ୍ରୀ ନିବାସ ନିର୍ମାଣ କରାଯାଇଥିବା ବେଳେ ତାହା ବନ୍ଦ ରହିଛି । ଏହି ଯାତ୍ରୀ ନିବାସ ନ ଖୋଲିବା ପଛରେ କିଛି ମୁଷ୍ଟିମେୟ ଲୋକଙ୍କ ହାତ ରହିଥିବା କୁହାଯାଉଛି । ଯାତ୍ରୀନିବାସକୁ ଲାଗି ଥିବା ଏକ ଘରୋଇ ସଂସ୍ଥାର ବେପାର ବଢ଼ିବା ବେଳେ ମନ୍ଦରର ଯାତ୍ରୀନିବାସଟି ଅବ୍ୟବହୃତ ଅବସ୍ଥାରେ ପଡ଼ିଛି କାହିଁକି ? କିଏ ତାର ପରଚାଳନା କରିବ ଅବା କିଏ କାହାକୁ ଦାୟିତ୍ୱ ଦେବ ତାର ନିର୍ଦ୍ଦିଷ୍ଟ ନିୟମାବଳୀ ନାହିଁ ।

ଖସୁଛି ସିମେଣ୍ଟ ପଲସ୍ତରା


ପ୍ରାୟ ୫ଶହ ବର୍ଷ ପୂର୍ବେ ନିର୍ମିତ ଏହି ମନ୍ଦିରର କୋଠା ଅସୁରକ୍ଷିତ ହୋଇପଡ଼ିଛି । ସିଂହଦ୍ୱାର, ଦୀପ ଓ ଭୋଗ ଦୋକାନ, ମନ୍ଦିର କାର୍ଯ୍ୟାଳୟ ଛାତରୁ ପୁଳା ପୁଳା ସିମେଣ୍ଟ ଖସୁଛି । ଶ୍ରଦ୍ଧାଳୁଙ୍କ ଉପରେ ଏହା ଖସି ପଡ଼ୁଥିବାରୁ ମନ୍ଦିରକୁ ଆସିବାକୁ ସେମାନେ ଭୟ କଲେଣି । ମନ୍ଦିର ଯାହା ବି ନିର୍ମାଣ କାମ ଆରମ୍ଭ ହୋଇଥିଲା, ତାହା ଅଧାପନ୍ତରିଆ ହୋଇ ରହିଛି ।

ମନ୍ଦିର ପ୍ରଶାସନ ବୈଠକ ତୁରନ୍ତ ଡକାଯିବ


ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୈାର୍ଯ୍ୟରଂଜନ ପରିଜା କହିଛନ୍ତି ମନ୍ଦିର ପ୍ରଶାସନ ବୈଠକ ତୁରନ୍ତ ଡକାଯିବ । ତେବେ ମନ୍ଦିର ପରଚାଳନା କ୍ଷମତା ସଂକୁଚିତ ପଛରେ ପ୍ରଶାସନ ହସ୍ତକ୍ଷେପର ଅଭାବକୁ ସେ ଖୋଲାଖୋଲି ଭାବେ ସମଲୋଚନା କରି ନଥିଲେ ହେଁ ପରୋକ୍ଷରେ ସମସ୍ତ ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି । ମନ୍ଦିରର ଉନ୍ନତି ପାଇଁ ବୈଠକ ଡକାଯାଉ ନାହିଁ କି କୈାଣସି ଅର୍ଥ ମଧ୍ୟ ଦିଆଯାଉ ନାହିଁ । ଏମିତିକି ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାର ଦେଇଥିବା ଅନୁଦାନ କେମିତି ଖର୍ଚ୍ଚ ହେଲା, ସେ ବି ଜାଣନ୍ତି ନାହିଁ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!