ଆନ୍ଧ୍ର ମାଫିଆଙ୍କ କବଜାରେ କଳାହାଣ୍ଡିର ଆଦିବାସୀଙ୍କ ଚାଷଜମି

କଳାହାଣ୍ଡି/ଲାଞ୍ଜିଗଡ -: ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବୋରିଂପଦର ଗାଁରେ ଆଦିବାସୀଙ୍କ ଜମିକୁ ଜଣେ ଆନ୍ଧ୍ର ଚାଷୀ କବ୍‌ଜା କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ନିର୍ଦ୍ଦେଶକ୍ରମେ ଆଜି ନଙ୍ଗଳବେଡ଼ା ରାଜସ୍ୱ ନିରୀକ୍ଷକ ସରୋଜ ସାହୁ ବୋରିଂପଦରରେ ପହଞ୍ଚି ଘଟଣା ବିଷୟରେ ଆଲୋଚନା କରିଥିଲେ । ପରେ ଆନ୍ଧ୍ର ଜମି ମାଫିଆଙ୍କ ରେକର୍ଡଭୁକ୍ତ ଜମି, ସେ ଜବରଦଖଲ କରିଥିବା ଆଦିବାସୀଙ୍କ ଜମି ଓ ସରକାରୀ ତଥା ଗୋଚର ଜମି ଚିହ୍ନଟ କରିଥିଲେ ।

Advertisement

ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଜମିକୁ ମାପିବା ପରେ ଆନ୍ଧ୍ର ଚାଷୀଙ୍କ ୩୦ ଏକର ୯ ଡିସ୍‌ମିଲ୍ ରହିଥିବା ବେଳେ ସେ ଜବର ଦଖଲ କରିଥିବା ୧୧ ଏକରୁ ଉର୍ଦ୍ଧ୍ୱ ଜମିକୁ ରାଜସ୍ୱ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି । ଏହି ୧୧ ଏକର ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ ଓ ବସ୍ତି ଯୋଗ୍ୟ ଜମି ବୋଲି ଚିହ୍ନଟ କରାଯାଇଛି । ଅଭିଯୋଗ କରିଥିବା ବୋରିଂପଦର ଗାଁର ୪ ଜଣ ଆଦିବାସୀଙ୍କ ଗ୍ରାମ୍ୟ ଜଙ୍ଗଲ ଛାଡ଼ି ଅନ୍ୟ ଏକ ପ୍ଲଟରେ ୫୦ ଡିସ୍‌ମିଲ୍ ଲେଖାଏଁ ଜମି ରହିଥିବା ଜଣାପଡ଼ିଛି । ଏଣୁ ରାଜସ୍ୱ ବିଭାଗ ତରଫରୁ ପାଖାପାଖି ୧୧ ଏକର ଜମି ଆନ୍ଧ୍ର ଚାଷୀର ଦଖଲରେ ରଖିଥିବା ଚିହ୍ନଟ ପରେ ଅତିଶୀଘ୍ର ଜମି ଛାଡ଼ିବାକୁ ନୋଟିସ୍ ଦିଆଯିବ ବୋଲି ନଙ୍ଗଳବେଡ଼ା ଆର୍ଆଇ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଆଜି ଜମି ମାପିବା ସମୟରେ ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତିସଭ୍ୟ ଗୋବିନ୍ଦ ନାଏକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!