ମନ୍ତ୍ରୀଙ୍କ ଘରେ ରୋଷେୟା ଲଳିତ ମୃତ୍ୟୁ ଘଟଣାରେ ବିଜେପି ବିଜେଡି ମୁହାଁମୁହିଁ, ୧୪୪ ଧାରା ଜାରି

ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ସକାଳେ ଝଣ୍ଡାଚୈାକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା ଲାଗୁ ହୋଇଛି । ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ଗତକାଲି ବିଜେପି ପକ୍ଷରୁ ଥାନା ଘେରାଉ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା । ଏପଟେ ମୃତକ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ଦେଇଥିବା ଅଭିଯୋଗରେ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଝାରସୁଗୁଡ଼ା ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ପକ୍ଷରୁ ଆନ୍ଦୋଳନ ଦାବି କରିଥିଲେ ।

Advertisement

ଉଭୟ ପକ୍ଷର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବଂ ଆଇନ୍‌ଶୃଙ୍ଖଳାକୁ ଦେଖି ଜିଲ୍ଲା ପୁଲିସ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ୧୪୪ ଧାରା ଲାଗୁ କରାଯାଇଥିଲା । ୧୪୪ ଧାରା ଲାଗୁ ସତ୍ତ୍ୱେ ଉଭୟ ପକ୍ଷ ଆନ୍ଦେଳନକୁ ଓହ୍ଲାଇଥିଲେ । ଝାରସୁଗୁଡ଼ା ଥାନା ନିକଟ ଝଣ୍ଡାଚୈାକଠାରେ ଉଭୟ ପକ୍ଷର ଆନ୍ଦୋଳନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷରୁ ୩୫୦ ଜଣଙ୍କୁ ପୁଲିସ ଅଟକ ରଖିଛି । ଆନ୍ଦୋଳନ ସମୟରେ ବିଜେପିର କର୍ମୀ ଓ ମହିଳା କର୍ମୀଙ୍କୁ ଆକ୍ରମଣ ହୋଇଥିବା ନେଇ ବରିଷ୍ଠ ବିଜେପି ନେତା ଦିନେଶ ଜୈନ ଅଭିଯୋଗ କରିଛନ୍ତି ।

ଏବେ ଅଞ୍ଚଳ ଉତ୍ତେଜନାପ୍ରବଣ ରହିଛି । ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନାଯୋଗ୍ୟ, ଲଳିତଙ୍କ ମୃତଦେହକୁ କାହିଁକି ରାତି ଅଧିଆ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପୂର୍ବରୁ ବିଜେପି ପକ୍ଷରୁ ଏକ ଦାବିପତ୍ର ଝାରସୁଗୁଡ଼ା ଏସ୍‌ପିଙ୍କୁ ପ୍ରଦାନ ସହ ସିବିଆଇ ତଦନ୍ତ ଦାବି କରାଯାଇଛି । ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ପୁଲିସ ଡିଜି, ବରଗଡ଼ ସାଂସଦ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!