ଆଇନ ଜାଲରେ କଟକ କ୍ରାଇମବ୍ରାଞ୍ଚ ଡିଏସ୍‌ପ ରମେଶ ଚନ୍ଦ୍ର ଦୋରା, ବରଗଡ ତହସିଲଦାରଙ୍କ ନାଁ ପରେ ବଢିଲା ଅଡୁଆ


କଟକ/ସମ୍ବଲପୁର/ବରଗଡ -: ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଭାବେ କଟକରେ ଅବସ୍ଥାପିତ ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ ବଢ଼ିଛି । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସ୍‌ଇବିସି)ର ହୋଇଥିବା ବେଳେ ନିଜକୁ କଣ୍ଡ ଦୋରା (ତଫସିଲଭୁକ୍ତ ଜନଜାତି) ଦର୍ଶାଇ ପୁଲିସ୍ ବିଭାଗରେ ଚାକିରି କରିଥିବା ନେଇ ଗତ ବର୍ଷ ହାଇକୋର୍ଟରେ ମାମଲା ହୋଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍‌ପି ଏହା ଉପରେ ତଦନ୍ତ କରିବାକୁ ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା (ବର୍ତ୍ତମାନ ସୋନପୁର ଏସ୍‌ପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ପଣ୍ଡା ଏହା ଉପରେ ତଦନ୍ତ କରି ଶ୍ରୀ ଦୋରାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ । ଏହା ଭିତରେ ଶ୍ରୀ ଦୋରା ପଦୋନ୍ନତି ପାଇ ଡିଏସ୍‌ପି ଭାବେ କଟକ ଯାଇଥିଲେ । ଶ୍ରୀ ପଣ୍ଡା ମଧ୍ୟ ଏସ୍‌ପି ହୋଇ ସୋନପୁରରେ ଅବସ୍ଥାପିତ ହୋଇଥିଲେ । କିନ୍ତୁ ଶ୍ରୀ ପଣ୍ଡାଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ମାମଲାର ମୂଳ ଅଭିଯୋଗକାରୀ ଆଇନ୍‌ଜୀବୀ ସୁରେନ୍ଦ୍ର କୁମାର ମହାପାତ୍ର ନିରବ ନରହି ଏହା ଉପରେ ତଥ୍ୟ ସଂଗ୍ରହ ଓ ନିଜ ସ୍ତରରେ ଅନୁସଂଧାନ ଜାରି ରଖିଥିଲେ ।

Advertisement

ଏହି ତଦନ୍ତବେଳେ ଶ୍ରୀ ମହାପାତ୍ର ସୂଚନା ଅଧିକାର ଆଇନ୍ ଓ ଅନ୍ୟାନ୍ୟ ସୂତ୍ରରୁ ଯେଉଁ ସବୁ ତଥ୍ୟ ପାଇଛନ୍ତି ତାହା ଆଶ୍ଚର୍ଯ୍ୟ କଲା ଭଳି । ଶ୍ରୀ ଦୋରା ବରଗଡ଼ର ରଂଗପଡ଼ା ୟୁପି ସ୍କୁଲ୍‌ରେ ପାଠ ପଢ଼ିଛନ୍ତି ଓ ବିଇଓ ବରଗଡ଼ ଦେଇଥିବା ତଥ୍ୟ ଅନୁସାରେ ସ୍କୁଲ୍ ରେଜିର୍ଷ୍ଟରେ ତାଙ୍କ ଜାତି ‘ତେଲେଙ୍ଗା’ ବୋଲି ଉଲ୍ଲେଖ ରହିଛି । ଅମରେଶ ପଣ୍ଡା ଦେଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଶ୍ରୀ ଦୋରାଙ୍କ ସପକ୍ଷରେ ୧୪.୧୧.୧୯୯୪ରେ ବରଗଡ଼ ତହସିଲଦାର ଜାରି କରିଥିବା ଜାତି ପ୍ରମାଣପତ୍ରରେ ତାଙ୍କ ଜାତି କଣ୍ଡଦୋରା ବୋଲି ଉଲ୍ଲେଖ ରହିଛି । କିନ୍ତୁ ଶ୍ରୀ ମହାପାତ୍ରଙ୍କୁ ସୂଚନା ଆଇନ୍‌ରେ ବରଗଡ଼ ତହସିଲ୍ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଉପରୋକ୍ତ ତାରିଖରେ ରମେଶ ଚନ୍ଦ୍ର ଦୋରାଙ୍କ ନାଁରେ କୈାଣସି ପ୍ରମାଣପତ୍ର ଜାରି କରାଯାଇ ନାହିଁ ।

ଶ୍ରୀ ଦୋରା ପୁଲିସ୍ ଚାକିରି ପାଇଁ ବ୍ୟବହାର କରିଥିବା ଜାତି ପ୍ରମାଣପତ୍ରକୁ ପ୍ରଦାନକାରୀ ଅଧିକାରୀଭାବେ ବରଗଡ଼ ତହସିଲଦାର ଅସ୍ୱୀକାର କରିବା ଫଳରେ ତାଙ୍କ ଅଡ଼ୁଆ ବଢ଼ି ଯାଇଛି । ତେଣୁ ଶ୍ରୀ ଦୋରା ସଂପୂର୍ଣ୍ଣ ମିଥ୍ୟା ବା ଜାଲ ପ୍ରମାଣପତ୍ର ଦେଇ ଏତେ ବର୍ଷ ଧରି ପୁଲିସ୍ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସରକାରୀ ଭାବେ ପ୍ରମାଣିତ ହୋଇଥିବା ଅଭିଯୋଗକାରୀ ଦାବି କରିଛନ୍ତି । ଏହାଛଡ଼ା ଶ୍ରୀ ଦୋରାଙ୍କ ଜାତି ପ୍ରମାଣପତ୍ରର ସତ୍ୟତା ଯାଞ୍ଚ ପାଇଁ ସମ୍ବଲପୁର ଏସ୍‌ପି କାର୍ଯ୍ୟାଳୟ ବା ତଦନ୍ତକାରୀ ଅଧିକାରୀ ଅମରେଶ ପଣ୍ଡାଙ୍କ ପକ୍ଷରୁ ବରଗଡ଼ ତହସିଲ ସହ କୈାଣସି ଯୋଗାଯୋଗ କରାଯାଇ ନଥିବା ଜଣା ପଡ଼ିଛି । ଏସ୍‌ପି ତଦନ୍ତ ନିର୍ଦ୍ଦେଶ ଦେବା ଦିନଠୁ ଶ୍ରୀ ପଣ୍ଡା ତଦନ୍ତ ରିପୋର୍ଟ ଦାଖଲ କରିବା ମଧ୍ୟରେ ତଦନ୍ତକାରୀ ଅଧିକାରୀ ଅମରେଶ ପଣ୍ଡାଙ୍କ ସମେତ ସମ୍ବଲପୁର ଏସ୍‌ପି କାର୍ଯ୍ୟାଳୟର କୈାଣସି ଅଧିକାରୀ ଶ୍ରୀ ଦୋରାଙ୍କ ଜାତି ପ୍ରମାଣପତ୍ର ବାବଦରେ କିଛି ପଚରାଉଚରା କରି ନାହାନ୍ତି ବା ତଥ୍ୟ ମାଗି ନାହାନ୍ତି ବୋଲି ବରଗଡ଼ ତହସିଲ ପକ୍ଷରୁ ଦିଆ ଯାଇଥିବା ଆର୍ଟିଆଇ ତଥ୍ୟରେ ସ୍ପଷ୍ଟ ହୋଇଛି ।

ଫଳରେ ଶ୍ରୀ ଦୋରାଙ୍କ ଜାତି ସଂପର୍କରେ ଉପଯୁକ୍ତ ତଦନ୍ତ କରା ନଯାଇ ବେପରୁଆଭାବେ କ୍ଲିନ୍‌ଚିଟ୍ ଦିଆ ଯାଇଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଏନେଇ ସେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଆବେଦନ କରିଛନ୍ତି । ଯେହେତୁ ଏହି ମାମଲାରେ ଜାତି ପ୍ରମାଣପତ୍ର ଜାରି ହିଁ ହୋଇ ନାହିଁ ତେଣୁ ନକଲି ପ୍ରମାଣପତ୍ର ତିଆରି କରା ଯାଇଥିବାରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଆର୍ଡିସିଙ୍କୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ପ୍ରତିକ୍ରିୟା ରଖି ସମ୍ବଲପୁର ଏସ୍‌ପି ବି ଗଂଗାଧର କହିଛନ୍ତି ଯେ ଯେତେବେଳେ ତାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା ସେ ଘଟଣାର ତଦନ୍ତ କରାଇଥିଲେ । ଏବେ ଯଦି ଆରଡିସି କିମ୍ବା ଅନ୍ୟ କୈାଣସି ଉପରିସ୍ଥ ଅଧିକାରୀ ପୁଣି ମାମଲାର ତଦନ୍ତ ନିର୍ଦ୍ଦେଶ ଦେବେ ତାହେଲେ ଆଉଥରେ ଯାଞ୍ଚ ହେବ । ଯଦି ଶ୍ରୀ ଦୋରା ଭୁଲ ପ୍ରମାଣପତ୍ର ଦେଇଥିବା ପ୍ରମାଣିତ ହେବ ତା’ହେଲେ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେବେ ବରଗଡ଼ ତହସିଲଦାର ଆରଟିଆଇରେ ଦେଇଥିବା ରିପୋର୍ଟ ସଂପର୍କରେ ମୁଁ ଅବଗତ ନୁହେଁ ବୋଲି ଶ୍ରୀ ଗଂଗାଧର କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!