ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ 

ପୁରୀ/ଭୁବନେଶ୍ୱର -: ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ସୋମବାର ଦିନ ପୁରୀ ରେଳଷ୍ଟେସନ୍‌‌ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି । ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଦୃଢ଼ ବିରୋଧ କରିବା ସହ ତାଙ୍କୁ ପୁରୀ ଛାଡ଼ି ଚାଲିଯିବାକୁ ଦାବି କରିଥିଲେ । ଫଳରେ, ସେ ପୁନର୍ବାର ପୁରୀରୁ ଟ୍ରେନ୍‌‌ ଧରି ଫେରିଯାଇଛନ୍ତି । ମିଳିଥିବା ସୂଚନା ମୁତାବକ, ଧର୍ମପ୍ରଚାର ସହ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୋମବାର ସକାଳେ ହାୱାଡା-ପୁରୀ ଟ୍ରେନ୍‌‌ ଯୋଗେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ପୁରୀରେ ପହଞ୍ଚିଥିଲେ ।

Advertisement

ଟ୍ରେନ୍‌‌ରୁ ଓହ୍ଲାଇ ଆ‌ର୍ପିଏଫ୍‌‌ଙ୍କ ସୁରକ୍ଷା ବଳୟରେ ଷ୍ଟେସନ୍‌‌ରୁ ବାହାରୁଥିବା ବେଳେ ଆଦିତ୍ୟ ବାହିନୀ ଓ ଗୋବର୍ଦ୍ଧନ ପୀଠର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଥିଲେ । ପ୍ରାୟ ଅଧଘଣ୍ଟା ଧରି ବିରୋଧ ଭିତରେ ସେ ପୁରୀ ରେଳଷ୍ଟେସନ୍‌‌ରେ ଅଟକି ରହିଥିଲେ । ପରେ ଜିଆ‌ର୍ପି, ଆ‌ର୍ପିଏଫ୍‌‌ ଓ ଟାଉନ୍‌‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସୁରକ୍ଷାଦେଇ ରେଳଷ୍ଟେସନ୍‌‌ରୁ ବାହାର କରିଥିଲେ । କିଛି ସମୟର ରହଣି ପରେ ‌ଧର୍ମ ପ୍ରଚାର ନ କରି ସେ ଫେରିଯାଇଥିବା ଜଣାପଡ଼ିଛି ।ସୂଚନାଯୋଗ୍ୟ, ଗୋବର୍ଦ୍ଧନ ପୀଠର ପୀଠାଧୀଶଙ୍କୁ ନେଇ ୧୯୯୬ ମସିହାରେ ବିବାଦ ଦେଖାଦେଇଥିଲା । ସେହିସମୟରେ ଜଗଦ୍‌‌ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଓ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ, ଉଭୟ ନିଜକୁ ଗୋବର୍ଦ୍ଧନ ପୀଠର ପୀଠାଧୀଶ ସହ ଶଙ୍କରାଚାର୍ଯ୍ୟ ବୋଲି ଦାବି କରିଥିଲେ ।

ବିଭିନ୍ନ ଧାର୍ମିକ ସଭାରେ ଉଭୟ ଉଭୟଙ୍କୁ ନକଲି ବୋଲି ଦର୍ଶାଇଥିଲେ । ପରେ ଏହି ଧାର୍ମିକ ବିବାଦ ଉଗ୍ରରୂପ ନେବା ସହ ହାଇକୋର୍ଟରେ ପହଞ୍ଚିଥିଲା । ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ବିବାଦ ଲାଗି ରହିବାପରେ ଶେଷରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଛାଡ଼ିବାକୁ ପଡ଼ିଥିଲା । ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବାବେଳେ ଏହି ବିବାଦକୁ ନେଇ ଉତ୍ତେଜନା ଦେଖାଦେବାରୁ ଜିଲ୍ଲା ପ୍ରଶାସନ ପୁରୀ ପୁଲିସ ସହଯୋଗରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କ ଘର ଭାଙ୍ଗିଦେବା ସହ ସେ ସମୟରେ ୧୪୪ ଧାରା ଜାରି କରି ତାଙ୍କୁ ପୁରୀରୁ ବିତାଡ଼ିତ କରିଥିଲା । ପୁରୀରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କ ଧାର୍ମିକ ସଭା ତଥା ପ୍ରଚାର ଉପରେ ରୋକ୍‌‌ ଲଗାଯାଇଥିଲା । ଭୁବନେଶ୍ୱର ଏକାମ୍ରକ୍ଷେତ୍ରେ‌ର ବି ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ଆଜି ଜୋ‌ର୍ଦା‌ର୍ ବିରୋଧ କରାଯାଇଥିଲା । ଆଦିତ୍ୟ ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ଏହି ବିରୋଧ ‌ଓ ଗଣମାଧ୍ୟମର ଘନଘନ ପ୍ରଶ୍ନବାଣରେ ଜର୍ଜରିତ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ଶେଷରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିନପାରି ଫେରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!