‘ଭାରତର ଅଗ୍ନି’ ସ୍ବାଧୀନତାର ମହାନାୟିକା ଦୁର୍ଗାବତୀ ଦେବୀ…

ସ୍ବାଧୀନତା ପାଇଁ ସଂଘର୍ଷ ବେଳେ ଯେଉଁ ମହାନାୟିକାମାନେ ପୁରୁଷଙ୍କ କାନ୍ଧ ସହିତ କାନ୍ଧ ମିଳାଇ ଚାଲିଥିଲେ ସେମାନଙ୍କ ମଧ୍ୟରୁ ଦୁର୍ଗାବତୀ ଦେବୀ ଅନ୍ୟତମ। ‘ଭାରତର ଅଗ୍ନି’ ନାମରେ ସୁପରିଚିତା ଏହି ଦୁର୍ଦ୍ଧର୍ଷ ବିପ୍ଳବିନୀ ବ୍ରିଟିସ୍ ପୁଲିସଙ୍କ ପାଇଁ ଏକ ବିରାଟ ଆହ୍ବାନ ସାଜିଥିଲେ। ୧୯୦୭ ଅକ୍‌ଟୋବର ୭ ତାରିଖରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜନ୍ମ ହୋଇଥିଲେ ଦୁର୍ଗାବତୀ ଦେବୀ। ବାଲ୍ୟକାଳରେ ମାତାଙ୍କର ମୃତ୍ୟୁ ହୋଇଯିବାରୁ ପିତା ସନ୍ନ୍ୟାସ ଗ୍ରହଣ କରିଥିଲେ। ଏହା ପରେ ଦୁର୍ଗାବତୀଙ୍କ ମାଉସୀ ତାଙ୍କର ଲାଳନପାଳନର ଦାୟିତ୍ବ ନେଇଥିଲେ। ମାତ୍ର ୧୧ ବର୍ଷ ବୟସରେ ଲାହୋରର ଭଗବତୀଚରଣ ବୋହରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଭଗବତୀଚରଣ ଲାହୋରର ନେସ୍‌ନାଲ୍ କଲେଜରେ ପଢ଼ିବା ସମୟରେ ଭଗତ ସିଂହ, ସୁଖଦେବ ଓ ଯଶପାଲଙ୍କ ସହ ମିଶି କ୍ରାନ୍ତିକାରୀ ଅଭିଯାନରେ ଭାଗ ନେବା ଆରମ୍ଭ କରିଥିଲେ। ଅନେକ ସମୟରେ ଭଗବତୀଚରଣଙ୍କ ବାସଭବନକୁ କ୍ରାନ୍ତିକାରୀମାନେ ଆସୁଥିଲେ।

Advertisement
Freedom files: The secret life of Durga Devi Vohra

ଏହି ଅବସରରେ ଦୁର୍ଗାବତୀ ଦେବୀ କ୍ରାନ୍ତିକାରୀମାନଙ୍କ ସହିତ ମିଶିଲେ। ସ୍ବାଧୀତନା ହାସଲ ପାଇଁ ସେ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ (ଏଚ୍‌ଏସ୍‌ଆର୍‌ଏ)ରେ ଯୋଗ ଦେଇଥିଲେ। ଯୋଜନା ପ୍ରସ୍ତୁତକାରୀ ଭାବେ ଦୁର୍ଗା ଦେବୀ ସଂଗଠନର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିଲେ। ୧୯୨୮ରେ ଏଚ୍‌ଏସ୍‌ଆର୍‌ଏ ସଦସ୍ୟଙ୍କ ବିରୋଧରେ ବ୍ରିଟିସ୍ ପୁଲିସ ନୃଶଂସ ଦମନଲୀଳା ଆରମ୍ଭ କରିବା ପରେ ଦୁର୍ଗା ଦେବୀ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ। ସେହି ବର୍ଷ ଡିସେମ୍ବର ୧୯ରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ବ୍ରିଟିସ୍ ପୁଲିସ ଅଧିକାରୀ ଜନ୍ ସୌଣ୍ଡର୍ସଙ୍କୁ ହତ୍ୟା କରିବା ପରେ ପୁଲିସର ଚଢ଼ାଉ ଆରମ୍ଭ ହୋଇଯାଇଥିଲା। ଏଥିରୁ ବର୍ତ୍ତିବା ପାଇଁ ତିନିଜଣ କ୍ରାନ୍ତିକାରୀ ଦୁର୍ଗାବତୀ ଦେବୀଙ୍କ ସାହାଯ୍ୟ ଲୋଡ଼ିଥିଲେ। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କେବଳ ନିଜକୁ ବିପଦରେ ପକାଇବାକୁ ପ୍ରସ୍ତୁତ ହୋଇ ନ ଥିଲେ, ନିଜର ସଞ୍ଚିତ ଧନ ମଧ୍ୟ ସେମାନଙ୍କୁ ସମର୍ପି ଦେଇଥିଲେ। ଲାହୋର ପୁଲିସର ଦୃଷ୍ଟିରୁ ଖସିଯିବା ପାଇଁ ସେ ଭଗତ ସିଂହଙ୍କ ପତ୍ନୀ ସାଜିଥିଲେ। ତାଙ୍କ ସାଙ୍ଗରେ ଥିଲା ତିନି ବର୍ଷର ଶିଶୁପୁତ୍ର। ରାଜଗୁରୁ ଚାକର ବେଶରେ ସେମାନଙ୍କ ସହିତ ଥିଲେ।

Durgavati Devi (b. - 1992) - Genealogy

ତାଙ୍କ ସାହସିକତା ଯୋଗୁଁ ପୁଲିସ ଛାଉଣୀକୁ ଅତିକ୍ରମ କରି ଲକ୍ଷ୍ମୌ ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ବସି ସମସ୍ତେ ଖସି ପଳାଇଥିଲେ। କଲିକତାରେ ସ୍ବାମୀ ଭଗବତୀଚରଣଙ୍କ ପାଖରେ ପହଞ୍ଚିବା ପରେ ଦୁର୍ଗାବତୀ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ଯୋଗ ଦେଇଥିଲେ। ଐତିହାସିକଙ୍କ ମତରେ ସେଠାରେ ହିଁ ପ୍ରସିଦ୍ଧ ଆସେମ୍ବଲି ବୋମାମାଡ଼ର ଯୋଜନା ପ୍ରସ୍ତୁତ ହୋଇଥିଲା। ୧୯୨୯ରେ ଦିଲ୍ଲୀର ସେଣ୍ଟ୍ରାଲ୍ ଆସେମ୍ବଲିରେ ଭଗତ ସିଂହ ଓ ବଟୁକେଶ୍ବର ଦତ୍ତ ବୋମା ଫିଙ୍ଗି ଗିରଫ ହେବା ପରେ ଲାହୋର ଷଡ୍‌ଯନ୍ତ୍ର ମାମଲାର ଶୁଣାଣି ମଧ୍ୟ ଆରମ୍ଭ ହୋଇଥିଲା। ଏଚ୍‌ଏସ୍‌ଆର୍‌ଏର ଅନେକ ଶୀର୍ଷ ନେତା ଗିରଫ ହେବା ଫଳରେ ସଂଗଠନରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ଏହି ସମୟରେ ଦୁର୍ଗା ଦେବୀ ନେତୃତ୍ବ ନେଇ ବିପ୍ଳବୀ କାର୍ଯ୍ୟକଳାପକୁ ଆଗେଇ ନେଇଥିଲେ। ପଞ୍ଜାବର ପୂର୍ବତନ ରାଜ୍ୟପାଳ ଲର୍ଡ ହେଲିଙ୍କୁ ହତ୍ୟା ଉଦ୍ୟମ ତାଙ୍କର ବହୁବିଧ ବିପ୍ଳବୀ ପଦକ୍ଷେପ ମଧ୍ୟରୁ ଗୋଟିଏ। ରାଜ୍ୟପାଳ ଏହି ଆକ୍ରମଣରୁ ବର୍ତ୍ତିଯାଇଥିଲେ ହେଁ ତାଙ୍କର କିଛି ସହଯୋଗୀ ଆହତ ହୋଇଥିଲେ। ଏହି ସମୟରେ ଭଗବତୀଚରଣ ଏକ ବୋମା ବିସ୍ଫୋରଣରେ ପ୍ରାଣ ହରାଇଲେ। ମର୍ମାହତ ଦୁର୍ଗାବତୀ ନିଜ ବିପ୍ଳବାତ୍ମକ କାର୍ଯ୍ୟକୁ ତୀବ୍ରତର କରିଦେଇଥିଲେ।

୧୯୨୯ରେ ଜୁଲାଇରେ ଭଗତ ସିଂହଙ୍କ ମୁକ୍ତି ପାଇଁ ଦାବି କରି ସେ ଲାହୋରରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏହାର କିଛି ସପ୍ତାହ ପରେ ଜେଲରେ ୬୩ ଦିନର ଅନଶନ ପରେ ଯତୀନ୍ଦ୍ରନାଥ ଦାସଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପାର୍ଥିବ ଶରୀରକୁ ଲାହୋରରୁ କଲିକତା ଯାଏ ଅନ୍ତିମ ଶୋଭାଯାତ୍ରାରେ ନିଆଯାଇଥିଲା। ଦୁର୍ଗାବତୀ ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ସେହି ବର୍ଷ ଅକ୍‌ଟୋବର ୮ରେ ନିଜେ ଜଣେ ବ୍ରିଟିସ୍ ପୁଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ। ତାଙ୍କୁ ଗିରଫ କରି ତିନି ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ଦେଶ ସ୍ବାଧୀନତା ହାସଲ କରିବା ପରେ ସେ ଲୋକଲୋଚନରୁ ଦୂରେଇ ରହିଥିଲେ। ୧୯୯୯ ଅକ୍‌ଟୋବର ୧୫ରେ ତାଙ୍କର ପରଲୋକ ଘଟିଥିଲା।

Advertisement

Leave a Reply

Your email address will not be published. Required fields are marked *

error: Content is protected !!