ଫେସ୍‌ବୁକ୍ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ବଡ ବିପଦ, ସତର୍କ ରୁହନ୍ତୁ ନହେଲେ ଆପଣ ବି ଶିକାର ହେବେ ଏଭଳି ହ୍ୟାକରଙ୍କ ଦ୍ୱାରା

Instagram users are reporting the same bizarre hack | Mashable

ଜଗତସିଂହପୁର -: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାରକାରୀ ଯେତେ ସତର୍କ ହେଉଛନ୍ତି ସାଇବର ଅପରାଧୀମାନେ ସେତିକି ପ୍ରଭାବୀ ଢଙ୍ଗରେ ଅପରାଧ ଘଟାଇବା ଆରମ୍ଭ କଲେଣି। ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଗୋଟିଏ ପଟେ ପୁଲିସ ଭିଡିଓ ଏବଂ ମେସେଜ୍ ଜରିଆରେ ଏ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରୁଛି; ଅନ୍ୟପଟରେ ସାଇବର ଅପରାଧୀମାନେ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଲୁଟୁଛନ୍ତି ଏବଂ ଗୋପନୀୟ ତଥ୍ୟ ଚୋରାଇ ନେଉଛନ୍ତି। ମାତ୍ର ଗୋଟିଏ କ୍ଲିକରେ ହ୍ୟାକ୍ ହୋଇଯାଉଛି ଫେସବୁକ୍, ଇନଷ୍ଟାଗ୍ରାମ୍। ହା ପରେ ସାଇବର ଅପରାଧୀ ବ୍ୟବହାରକାରୀ ସାଜି ଏହି ସୋସିଆଲ୍ ମିଡିଆକୁ ନିଜ କବଜାକୁ ନେଇ ଯେମିତି ମନ ସେମିତି ଚଳାଉଛନ୍ତି। ପ୍ରତିଦିନ ରାଜ୍ୟରେ ଶହ ଶହ ବ୍ୟବହାରକାରୀଙ୍କ ଫେସବୁକ୍ ହ୍ୟାକ୍ ହେବା ଘଟଣା ଏବେ ଚିନ୍ତାଜନକ ପାଲଟିଛି। ରାଜ୍ୟର ଲକ୍ଷ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ଠାରୁ ବିପଦ ବେଶୀ ଦୂରରେ ନାହିଁ। ହ୍ବାଟସଆପ୍ ପରେ ନୂଆ ଢଙ୍ଗରେ ଫେସବୁକ୍ ହ୍ୟାକ୍ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ବଡ଼ବଡ଼ିଆଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଅପରାଧୀ। ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ପେଜ୍ ଓ ଇନଷ୍ଟାଗ୍ରାମ୍ ହ୍ୟାକ୍ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। କେବଳ ସେ ଜଣେ ନୁହେଁ, ପ୍ରତିଦିନ ଫେସବୁକ ବ୍ୟବହାରକାରୀଙ୍କ ସ୍ପଷ୍ଟୀକରଣ ଦେଖିଲେ ଯେ କେହି ବୁଝିପାରିବ, କେତେ ଚତୁରତାର ସହିତ ଏହି ଅପରାଧୀମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଇଛନ୍ତି। ଏହା ସତ୍ତ୍ବେ କ୍ରାଇମବ୍ରାଞ୍ଚ କିମ୍ବା ରାଜ୍ୟ ପୁଲିସ ପକ୍ଷରୁ ଏ ନେଇ ଯେତିକି ତନାଘନା ହେବା କଥା ବା ଶକ୍ତିଶାଳୀ ପ୍ରତିଜବାବ ଦିଆଯିବା କଥା ତାହା ପରିଲକ୍ଷିତ ହୋଇନାହିଁ।

Advertisement

ଏମିତି ହେଉଛି ହ୍ୟାକ୍


ପ୍ରଥମେ ଫେସବୁକ୍ ବନ୍ଧୁଙ୍କ ଠାରୁ ମେସେଞ୍ଜରରେ ଏକ ଲିଙ୍କ୍ ଆସୁଛି। ଯଦି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଆପଣଙ୍କ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ସେହି ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଉଛି। ସୋସିଆଲ୍ ମିଡିଆରେ ନିଜର ଭିଡିଓ ଦେଖିବାକୁ ଅଧିକାଂଶ ଯୁବପିଢ଼ି, ସେଲିବ୍ରିଟି, ରାଜନେତାଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଥରେ ଏହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ଫେସବୁକର ୟୁଜର ଆଇଡି ଓ ପାସଓ୍ଵର୍ଡ ଦେବା ପାଇଁ କୁହାଯାଉଛି। ଏହାକୁ ଭରିବା ମାତ୍ରେ ହ୍ୟାକରଙ୍କ ହାତକୁ ଚାଲିଯାଉଛି ପୂରା ଫେସବୁକ କଣ୍ଟ୍ରୋଲ। ଏହାକୁ ବ୍ୟବହାର କରି ସେମାନେ ଫେସବୁକରେ ଥିବା ଅନ୍ୟ ବନ୍ଧୁମାନଙ୍କୁ ସମାନ ଢଙ୍ଗରେ ମେସେଞ୍ଜର ମାଧ୍ୟମରେ ଲିଙ୍କ୍ ପଠାଉଛନ୍ତି। ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରୁଛନ୍ତି ସାଇବର ଅପରାଧୀ। ଖାଲି ସେତିକି ନୁହେଁ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କର ପାସଵାର୍ଡ ସମାନ ରହିଥାଏ। ଏହାକୁ ଆଧାର କରି ଇ-ମେଲ୍ ଖୋଲିବାକୁ ଚେଷ୍ଟା କରନ୍ତି ହ୍ୟାକର୍। ସମାନ ପାସଵାର୍ଡ ମିଳିଗଲେ ସେମାନେ ଇ-ମେଲ୍ ଭିତରେ ପଶି ସବୁ ଗୋପନୀୟ ତଥ୍ୟ ଚୋରାଇ ନିଅନ୍ତି। ଯେପରିକି ବ୍ୟାଙ୍କ, ଇନସ୍ୟୁରାନ୍ସର ମେଲ୍, ଆଧାର, ପାନ୍ କାର୍ଡ ଓ ସମ୍ପୃକ୍ତ ବ୍ୟବହାରକାରୀ ଯେଉଁ ସଂସ୍ଥାର ହୋଇଥାନ୍ତି ସେହି ସଂସ୍ଥା ସହିତ ମେଲ୍ ଚାଟିଂର ସମସ୍ତ ତଥ୍ୟ ଚୋରାଇ ନିଅନ୍ତି। ସେହିପରି ସ୍ମାର୍ଟ ଫୋନ୍ ସହ ଇ-ମେଲ୍ ସଂଯୋଗ ରହୁଥିବାରୁ ତାହାର ମଧ୍ୟ ତଥ୍ୟ ହାସଲ କରି ନେବା ଲାଗି ସେମାନଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିନଥାଏ। ଏ ସବୁ ତଥ୍ୟ ହାସଲ କରିବା ପରେ ସବୁ ଗୋପନୀୟ ତଥ୍ୟ ଚୋରାଇ ନେଉଛନ୍ତି ସାଇବର ଅପରାଧୀ। କେଉଁଠି ଟଙ୍କା ଲୁଟ୍ କରୁଛନ୍ତି ତ ଆଉ କେଉଁଠି ଅନ୍ୟମାନଙ୍କ ଗୋପନୀୟ ତଥ୍ୟ ଚୋରାଇ ନିଜର ଦବ୍‌ଦବା ଜାହିର କରୁଛନ୍ତି। ବଡ଼ବଡ଼ିଆଙ୍କ ଆକାଉଣ୍ଟ ହ୍ୟାକ୍ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି।

କେମିତି ବର୍ତ୍ତିବେ


ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ମେସେଞ୍ଜରରେ ଏହିଭଳି ଆସୁଥିବା ଭିଡିଓକୁ କ୍ଲିକ୍ କରନ୍ତୁ ନାହିଁ। ଯଦି ବି କ୍ଲିକ୍ କରି ଦେଇଛନ୍ତି ତାହେଲେ ତୁରନ୍ତୁ ଫେସବୁକର ୟୁଜର ଆଇଡି, ପାସଵାର୍ଡ ବଦଳାଇବା ସହ ଟୁ-ଷ୍ଟେପ୍ ଭେରିଫିକେସନ୍ କରାଇ ନେବା ଦରକାର। ସେହିପରି ଯେଉଁ ଫେସବୁକ୍ ବନ୍ଧୁଙ୍କ ଆଇଡିରୁ ମେସେଜ୍ ଆସୁଛି ତାଙ୍କୁ ତୁରନ୍ତ ଏ ବିଷୟରେ ଅବଗତ କରାଇବା ସହ ୟୁଜର ଆଇଡି, ପାସଵାର୍ଡ ବଦଳାଇବା ସହ ତାଙ୍କୁ ମଧ୍ୟ ଟୁ-ଷ୍ଟେପ୍ ଭେରିଫିକେସନ୍ କରିବା ପାଇଁ ପରାମର୍ଶ ଦିଅନ୍ତୁ। ମେସେଞ୍ଜେର ଓ ହ୍ବାଟସଆପରେ ଆସୁଥିବା କୌଣସି ଅଜଣା ଲିଙ୍କକୁ କ୍ଲିକ୍ କରିବା ସବୁବେଳେ ବିପଦପୂର୍ଣ୍ଣ ବୋଲି ଶ୍ରୀ ସାହୁ ମତ ରଖିଛନ୍ତି।

Advertisement

Leave a Reply

Your email address will not be published. Required fields are marked *