ଘୋଡା ପ୍ରେମରେ ବାଣୀ, ଶିଖୁଛନ୍ତି ଘୋଡା ଚଢିବା …

‘ଚଣ୍ଡୀଗଡ଼ କରେ ଆସିକି’ରେ ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ହେବା ପରେ ବାଣୀ କପୁର ଆଗକୁ ମୁକ୍ତିଲାଭ କରିବାକୁ ଥିବା ‘ଶମଶେରା’ ଚଳଚ୍ଚିତ୍ରରେ ପୂର୍ବ ସଫଳତା ଟପିବାକୁ ସବୁପ୍ରକାର ଉଦ୍ୟମ କରିଥିବା ଭଳି ମନେ ହେଉଛି। ଏ ଚଳଚ୍ଚିତ୍ରରେ ବାଣୀ ଜଣେ ନର୍ତ୍ତକୀ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚରିତ୍ରରେ ଅଭିନୟ ପାଇଁ ତାଙ୍କୁ କଥକ ନୃତ୍ୟ ଶିଖିବାକୁ ପଡ଼ିଥିଲା ବୋଲି ଆମେ ପୂର୍ବରୁ ଜାଣିଥିଲୁ। କିନ୍ତୁ ଏଥି ପାଇଁ ତାଙ୍କୁ ଅଶ୍ବାରୋହଣ ମଧ୍ୟ ଶିଖିବାକୁ ପଡ଼ିଥିଲା ବୋଲି ସେ ନିକଟରେ ପ୍ରକାଶ କରିଛନ୍ତି। ନିର୍ଦେଶକ କରନ ମଲହୋତ୍ରାଙ୍କ କହିବା ଅନୁସାରେ ଚଳଚ୍ଚିତ୍ରରେ ଏହି ଅଭିନେତ୍ରୀଙ୍କର ଘୋଡ଼ା ସହିତ ବିଭିନ୍ନ ଦୃଶ୍ୟ ରହିଛି। କୌଣସି ପଶୁ ସହ ସୁଟିଂ କରିବାକୁ ହେଲେ ତା ସହିତ ପ୍ରଥମେ ସମ୍ପର୍କ ସ୍ଥାପନ କରିବା ଗୁରୁତ୍ବପୂର୍ଣ୍ଣ।

Advertisement

ତେଣୁ ସୁଟିଂ ପୂର୍ବରୁ ବାଣୀଙ୍କୁ ଘୋଡ଼ା ନିୟନ୍ତ୍ରଣ କରିବା ଓ ଘୋଡ଼ା ଚଢ଼ିବାର ପ୍ରଶିକ୍ଷଣ ଦିଆଯାଇଥିଲା। ବାଣୀଙ୍କ କହିବା କଥା ଏକ ଘୋଡ଼ା ଉପରେ ଚଢ଼ିବା ପୂର୍ବରୁ ତା ସହିତ ଆବେଗିକ ସମ୍ପର୍କ ସ୍ଥାପନ କରିବାକୁ ହୁଏ। ନହେଲେ ସେ ଚଢ଼ାଳିକୁ ତଳେ ପକାଇ ଦେଇପାରେ। ପ୍ରଶିକ୍ଷକଙ୍କ ଉପଦେଶକ୍ରମେ ସେ ପ୍ରଥମେ ଘୋଡ଼ାଟିକୁ ନିୟମିତ ବିସ୍କୁଟ ଖୁଆଉଥିଲେ। ମାସ ମାସ ଧରି ଏକାଠି ଅଭ୍ୟାସ କରିବା ପରେ ଘୋଡ଼ାଟି ବାଣୀଙ୍କର ବନ୍ଧୁ ପାଲଟିଯାଇଥିଲା। ତା ପରେ ଯାଇ ସୁଟିଂ କରାଯାଇଥିଲା। ‘ସଞ୍ଜୁ’ ଚଳଚ୍ଚିତ୍ର ମୁକ୍ତିଲାଭର ଚାରିବର୍ଷ ପରେ ରଣବୀର କପୁର ‘ଶମଶେରା’ ଜରିଆରେ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୧୫୦ କୋଟି ଟଙ୍କାର ବଜେଟ୍‌ରେ ଏହାର ନିର୍ମାଣ ହୋଇଛି। ଅଷ୍ଟାଦଶ ଶତାବ୍ଦୀର ଏକ କାଳଖଣ୍ଡରେ ‘ଶମଶେରା’ର କାହାଣୀ ପର୍ଯ୍ୟବସିତ। ରଣବୀର ଏଥିରେ ଉଭୟ ପିତା (ଶମଶେରା) ଓ ପୁତ୍ର (ବଲ୍ଲି) ଭୂମିକାରେ ଦେଖାଦେବେ। ଏହି ଚଳଚ୍ଚିତ୍ରର କେନ୍ଦ୍ରରେ ଅଛି ଖଳନାୟକ ସାଜିଥିବା ସଞ୍ଜୟ ଦତ୍ତ ଓ ରଣବୀରଙ୍କ ମଧ୍ୟରେ ସଂଘର୍ଷମୟ ଗାଥା। ବାଣୀ ଏହାର ମୁଖ୍ୟ ନାରୀ ଚରିତ୍ର ‘ସୋନା’ ଭୂମିକାରେ ଦେଖାଦେବେ। ଆସନ୍ତା ୨୨ ତାରିଖରେ ‘ଶମଶେରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!