ସାରସ୍ୱତ ସାଧିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ, ସତୀଚୈାରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

Creat A Revolution

କଟକ -: ପ୍ରଥିତଯଶା ସାରସ୍ୱତ ସାଧିକା, ପ୍ରାଧ୍ୟାପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି(ବୀଣା ଅପା) ଆଉ ନାହାନ୍ତି । ରବିବାର ରାତି ୯ଟାରେ ବାଦାମବାଡ଼ି ଗ୍ଲାସ୍ ହାଉସ୍ ଲେନ୍‌ସ୍ଥିତ ଭାଇ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଛି ।

Advertisement

ତାଙ୍କୁ ୮୬ବର୍ଷ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ଭାଇ ଡାକ୍ତର ବିବେକାନନ୍ଦ ମହାନ୍ତି, ଅବନୀନ୍ଦ୍ର ମହାନ୍ତି, ପୁତୁରା ବିଶ୍ୱଦାସ ମହାନ୍ତି, ପୁତୁରାବୋହୂ ସୁଶ୍ରୀ ସଂଗୀତା ଦାସ, ଝିଆରୀ ଡାକ୍ତର ସମିତା ମହାନ୍ତି, ଡାକ୍ତର ସୁଜାତା ଭଟ୍ଟ, ପୁତୁରାବୋହୂ ସୁସ୍ମିତା ରଥଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଆସନ୍ତାକାଲି ପୂର୍ବାହଣରେ ସତୀଚୈାରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଖବର ପାଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ପ୍ରମୁଖ ତାଙ୍କ ବାସଭବନରେ ଶେଷଦର୍ଶନ କରିଥିଲେ ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡ଼ା ସବ୍‌-ଡିଭିଜନ୍ ଚାନ୍ଦୋଳର ସ୍ୱର୍ଗତ ଚତୁର୍ଭୁଜ ମହାନ୍ତି ଓ କୁମୁଦିନୀ ମହାନ୍ତିଙ୍କ ଝିଅ । ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣି ମହାନ୍ତି କଲେଜ ଜୀବନରୁ କବିତା ଲେଖୁଥିଲେ । ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକରେ ତାଙ୍କର ୨୦୦ରୁ ଅଧିକ କବିତା ପ୍ରକାଶ ପାଇଛି । ୧୯୬୫ ମସିହାରୁ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ରଚିତ ୩୦ରୁ ଅଧିକ ଗଳ୍ପ ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶ ପାଇଛି । ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ପାଟଦେଈ’ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଥିଲା ।

ତାଙ୍କ ରଚିତ ଗଳ୍ପ ଭାରତର ବିଭିନ୍ନ ଭାଷାରେ ଅନୁଦିତ ହୋଇଥିବା ବେଳେ କେତେକ ଗଳ୍ପ ଉର୍ଦ୍ଦୁ, ନେପାଳୀ ଓ ଋଷ ଭାଷାରେ ମଧ୍ୟ ଅନୁଦିତ ହୋଇଛି । ୧୯୯୨ରେ ଗାଙ୍ଗଟକ୍‌ରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମି ସମ୍ମେଳନରେ ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ସାରସ୍ୱତ ସୃଷ୍ଟି ନବତରଙ୍ଗ, ସାୟାହ୍ନର ସ୍ୱର, ମଧ୍ୟାନ୍ତର, ଶକୁନିର ଚକ, ଅଭିନେତ୍ରୀ ଆଦି ଗଳ୍ପ ପୁସ୍ତକ, ମନସ୍ୱିନୀ, କୁନ୍ତି କୁନ୍ତଳା ସକୁନ୍ତଳା ଭଳି ଉପନ୍ୟାସ, କବିତା ସଂକଳନ ଆସିବାର ବେଳ ଓ କ୍ରାନ୍ତି ଭଳି ଏକକ ଅଭିନୟ ପୁସ୍ତକ ସ୍ୱତନ୍ତ୍ର ପାଠକୀୟ ଆଦୃତି ଲାଭ କରିଛି । ସାରସ୍ୱତ ସାଧନା ପାଇଁ ତାଙ୍କୁ ଉତ୍କଳ ସାହିତ୍ୟ ସମାଜ, ବିଦ୍ୟାଭାରତୀ, କଳିଙ୍ଗଭାରତୀ, ସାରଳା ସାହିତ୍ୟ ସଂସଦ, ଓଡ଼ିଆ ସାହିତ୍ୟ ସମାଜ, କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ସମ୍ମାନିତ କରାଯାଇଥିଲା । ଜୀବନବ୍ୟାପୀ ସାଧନା ପାଇଁ ୨୦୨୦ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ ।

୨୦୧୦ରେ ଶାରଳା ପୁରସ୍କାର ଏବଂ ୨୦୧୯ରେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ । ୧୯୬୦ ମସିହାରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବୀଣାପାଣି ମହାନ୍ତି ୧୯୯୨ରେ ଅବସର ଗ୍ରହଣ କରିଥିଲେ । ଜଣେ କବି ଭାବେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ତାଙ୍କର ବିୟୋଗରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୈାରହରି ଦାସ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, କବି ଅମରେଶ ପଟ୍ଟନାୟକ, ଡାକ୍ତର ରବିରଞ୍ଜନ ସାହୁ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ଗୀତିକବି ମନୋଜ ପଟ୍ଟନାୟକ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights