ଶର୍ମିଷ୍ଠାଙ୍କ ନିଷ୍ଠୁରତାର ବାସ୍ତବତା, ନା ସମାଜ ସେବା ବାସ୍ତବତା ଠାରୁ ବହୁ ଦୁରରେ…

ଯାଜପୁର/କାଳିଆପାଣି -: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠା ରାଉତ ନିଜକୁ ପ୍ରତିଷ୍ଠିତ ସାମ୍ବାଦିକ ଓ ସମାଜସେବୀ ଭାବେ ଉପସ୍ଥାପନ କରି ଆସୁଥିଲେ । ଏବେ ଓଡ଼ିଶା ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟଡ୍ ଥିବା ଶର୍ମିଷ୍ଠାଙ୍କ କାର୍ଯ୍ୟକଳାପ ସଂପର୍କରେ ତାଙ୍କ ଶାଶୂ ଶାନ୍ତିଲତା ବଳ ଓ ଯାଆ ମମତା ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଦେଡ଼ଶୁର ମାନସ କୁମାର ବଳଙ୍କ ଅକାଳ ମୃତ୍ୟୁ ପରେ ସାହାରା ଖୋଜୁଥିବା ଯାଆ ଓ ବୃଦ୍ଧା ଶାଶୂଙ୍କୁ ଶର୍ମିଷ୍ଠା ଦିନେ ସହାୟତାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାସ କେଇଟାରେ ସେ ଶାଶୂ ଓ ଯାଆଙ୍କଠାରୁ ଘରଭଡ଼ା ଦାବି କରିବାକୁ ପଛାଇ ନଥିଲେ । ଭଡ଼ା ନଦେବାରୁ ଉଭୟଙ୍କୁ ମାଡ଼ମାରି ଘରୁ ତଡ଼ି ଦେଇଥିଲେ । ‘ଦୟାଲ୍‌’ ବୃଦ୍ଧାଶ୍ରମ ନାଁରେ ଜନସାଧାରଣଙ୍କୁ ସମାଜସେବାର ବାର୍ତ୍ତା ଦେଉଥିବା ଶର୍ମିଷ୍ଠା ବାସ୍ତବରେ ନିର୍ଦ୍ଦୟ ଥିଲେ ବୋଲି କହନ୍ତି ବୃଦ୍ଧା ଶାନ୍ତିଲତା ।

Advertisement

ବିଧବା ଶାନ୍ତିଲତାଙ୍କର ୨ ପୁଅ ମଧ୍ୟରୁ ବଡ଼ପୁଅ ମାନସ ୨୦୧୩ ରେ କିଡନି ରୋଗରେ ପଡ଼ି ମାତ୍ର ୩୫ ବର୍ଷରେ ମୃତ୍ୟୁର ଶିକାର ହୋଇଥିଲେ । ସ୍ୱଳ୍ପ ବେତନରେ ଘରୋଇ କମ୍ପାନିରେ ଚାକିରି କରୁଥିବା ସାନପୁଅ ଜିତେଶ ଅଧିକାଂଶ ସମୟରେ ପତ୍ନୀ ଶର୍ମିଷ୍ଠାଙ୍କ ଆୟ ଉପରେ ନିର୍ଭର କରୁଥିଲେ । ମାନସଙ୍କ ମୃତ୍ୟୁ ପରେ ୨ ଶିଶୁକନ୍ୟାଙ୍କୁ ନେଇ ମମତା ଓ ଶାନ୍ତିଲତା ସଂପୂର୍ଣ୍ଣ ବେସାହାରା ପାଲଟି ଯାଇଥିଲେ । ଦେଡ଼ଶୁରଙ୍କ ଶୁଦ୍ଧିକ୍ରିୟାରେ ସାମିଲ ଥିବା ଶର୍ମିଷ୍ଠା ସେତେବେଳେ ପରିବାର କଥା ବୁଝିବେ ବୋଲି କହିଥିଲେ । ଭୁବନେଶ୍ୱର ହାଇଟେକ୍ ପ୍ଲାଜାର ଏକ ଭଡ଼ାଘରେ ରହୁଥିବା ଶର୍ମିଷ୍ଠା ପ୍ରଥମେ ଶାଶୂଙ୍କୁ ନେଇ ନିଜ ପାଖରେ ୨ ମାସ ରଖାଇଥିଲେ । ୨ ଛୁଆଙ୍କୁ ଧରି ମମତା ନିଜ ବାପଘରେ ମୁଣ୍ଡ ଗୁଞ୍ଜିଥିଲେ । ବାପଘର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ ଯାଆଙ୍କ ସହାୟତା ଲୋଡ଼ିଥିଲେ । ଯାଆ ଭରସାରେ ମମତା ପିଲାଛୁଆ ଧରି ଭୁବନେଶ୍ୱର ପହଞ୍ଚିଥିଲେ ।

ଚଳଣି ପାଇଁ ଘରେ ଥିବା ଆସବାବପତ୍ର ଭୁବନେଶ୍ୱର ଅଣାଯାଇଥିଲା । କିଛିଦିନ ପରେ ଘରଭଡ଼ା ବାବଦକୁ ଧାର୍ଯ୍ୟଭଡ଼ାର ଅଧା ଦାବି କରିଥିଲେ । ମାଆ ଓ ଭାଉଜଙ୍କ ଉପରେ ଜୁଲମକୁ ଜିତେଶ ବିରୋଧ କରିଥିଲେ । ଏ ପ୍ରସଙ୍ଗକୁ ନେଇ ଶର୍ମିଷ୍ଠା ଓ ଜିତେଶଙ୍କ ମଧ୍ୟରେ ଭୀଷଣ କଳିଝଗଡ଼ା ହୋଇଥିଲା । କଜିଆ ଭାଙ୍ଗିବାକୁ ଯାଇ ବୃଦ୍ଧା ଶାନ୍ତିଲତା ବୋହୂ ଶର୍ମିଷ୍ଠାଙ୍କ ହାତରୁ ଚାପୁଡ଼ା ଓ ତଣ୍ଟିଆ ଖାଇଥିଲେ । ଭଡ଼ା ବାବଦକୁ ସେହି ଆବବାବପତ୍ର ସବୁକୁ ଶର୍ମିଷ୍ଠା ବନ୍ଧକ ରଖିଥିଲେ । ଶେଷରେ ନିରୁପାୟ ଶାଶୂବୋହୂ ୩ ଓ ୪ ବର୍ଷର ଦୁଇ ଶିଶୁକନ୍ୟାଙ୍କୁ ଧରି କାଳିଆପାଣି ଫେରି ଆସିଥିଲେ । ଓଏମ୍‌ସି କୋଇପଶି କଲୋନିରେ ଫାଙ୍କା ପଡ଼ିଥିବା ପରିତ୍ୟକ୍ତ କ୍ୱାର୍ଟର୍ସକୁ ମରାମତି କରି ବିଧବା ଶାଶୂବୋହୂ ଦୁହେଁ ସେଇଠି ରହି ଆସୁଛନ୍ତି । ଦିନେ ମାଡ଼ମାରି ଘରୁ ତଡ଼ି ଦେଇଥିବା ଶର୍ମିଷ୍ଠା ଦୁଃସମୟରେ ଶାଶୂଙ୍କ ଶରଣାପନ୍ନ ହୋଇଥିଲେ । ୪ ଦିନ ଧରି ଅଭିଯୁକ୍ତ ବୋହୂ ସେଠାରେ ଆଶ୍ରୟ ନେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!